ଭୁବନେଶ୍ୱର, ୩୧।୧୨: ସରକାରଙ୍କୁ ପ୍ରଦୂଷଣ ଚିନ୍ତା । ଭୁବନେଶ୍ୱରରୁ ନେଇ ଅନୁଗୁଳ, ତାଳଚେର, ବାଲେଶ୍ୱର ପର୍ଯ୍ୟନ୍ତ ସବୁଠି ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ପ୍ରଦୂଷଣ ଜ୍ୱାଳାରେ ରାଜ୍ୟବାସୀ ଘାଣ୍ଟି ହେଉଥିବା ବେଳେ ଏବେ ସରକାର ବଣଭୋଜି ସ୍ଥଳକୁ ପ୍ରଦୂଷଣମୁକ୍ତ କରିବାକୁ ଜୋର୍ ଦେଇଛନ୍ତି । ବଣଭୋଜି ସ୍ଥଳରେ ନିଆଁ ଜାଳିବାକୁ ବାରଣ କରାଯାଇଛି । ଯଦି କେହି ଏହାର ଖିଲାପ କରିବେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ବର୍ତ୍ତମାନ ନୂଆବର୍ଷର ସମୟ । ସବୁ ପର୍ଯ୍ୟଟନସ୍ଥଳରେ ବଣଭୋଜି ଚାଲିଛି । ଲୋକେ ନିଜ ନିଜ ପରିବାର ସହ ସେଠାକୁ ଯାଇ ଛୁଟି ମନାଇବା ସହ ଖିଆପିଆ କରୁଛନ୍ତି ।

ଏଭଳି ସମୟରେ ରାଜ୍ୟରେ ପ୍ରଦୂଷଣର ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ । ଗୋଟିଏ ପଟେ ରାଜ୍ୟ ସରକାର ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଇଥିବା ବେଳେ ଅନ୍ୟପଟେ ବଣଭୋଜିସ୍ଥଳରେ ଯେପରି କୌଣସି ପ୍ରକାର ପ୍ରଦୂଷଣ ନହୁଏ ସେଦିଗରେ ସଚେତନ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି । ବିଶେଷ କରି ଇକୋଟୁରିଜିମ୍ ସ୍ଥଳରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡ଼ା ନଜର ରଖିଛି । ଖଣି ଖାଦାନ ଅଞ୍ଚଳରେ ଯଥେଷ୍ଟ ଜଳ ସିଞ୍ଚନ ବ୍ୟବସ୍ଥା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଖୁବ୍ ଶୀଘ୍ର ଏନେଇ ସହରାଞ୍ଚଳ, ଶିଳ୍ପ ଓ ପ୍ରଦୂଷଣ ବିଭାଗ ପକ୍ଷରୁ ବୈଠକ ଡକାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।