ଭୁବନେଶ୍ୱର,୧୫/୧୦: ଓଡ଼ିଶାକୁ ଅଧିକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ସହ ନିବେଶ ଟାଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଗସ୍ତରେ ଯିବେ । ଆସନ୍ତା  ୧୭ରେ ସେ ମୁମ୍ବାଇରେ ନିବେଶକଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା  ସଂପର୍କରେ ଶିଳ୍ପ ବିଭାଗ ପକ୍ଷରୁ ସେଠାରେ ଏକ ରୋଡ  ସୋ’ରେ ମଧ୍ୟ ଯୋଗ ଦେବେ । କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସେ ନିବେଶକଙ୍କ ସହ ଆଲୋଚନା  କରିବେ । କେନ୍ଦୁଝର ଗସ୍ତରେ ଯାଇ ଏ ସୂଚନା ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।   

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ  ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଇ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ  କମିଶନର, ବାଣିଜ୍ୟିକ କମିଶନର ଓ ପୁଞ୍ଜିପତିମାନଙ୍କ ସହ  ଓଡ଼ିଶାରେ ନିବେଶ ନେଇ ଆଲୋଚନା କରିଥିଲେ । ସେମାନଙ୍କୁ  ଭରସା ଓ ପ୍ରତିଶ୍ରୁତି ଦେଇଥିଲେ, ଶିଳ୍ପାୟନକୁ ନୂଆ ଉଚ୍ଚତାକୁ  ନେବାକୁ ରାଜ୍ୟ ନିଷ୍ପତ୍ତି ନେଇଛି । ଆପଣମାନେ ଓଡ଼ିଶା  ଆସନ୍ତୁ । ସେଠାରେ ନିବେଶ ରୋଡ୍‌ ସୋରେ ମଧ୍ୟ ମୁଖ୍ୟମନ୍ତ୍ରୀ  ଯୋଗ ଦେଇଥିଲେ । ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ ଓଡ଼ିଶା  କନ୍‌କ୍ଲେଭ ୨୦୨୫ ପାଇଁ ସେ ନିବେଶକମାନଙ୍କୁ ନିମନ୍ତ୍ରଣ କରିଥିଲେ। ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି  ଏ ସମ୍ମିଳନୀ ଆୟୋଜିତ ହେବାକୁ ଥିବାରୁ ଅଧିକ ନିବେଶ  ଭିଡ଼ିବାକୁ ମୁଖ୍ୟମନ୍ତ୍ରୀ ୧୭ରେ ମୁମ୍ବାଇ ଗସ୍ତରେ ଯାଇ ରୋଡ  ସୋ’ କରିବେ ବୋଲି ଜଣାପଡ଼ିଛି ।