ଭୁବନେଶ୍ୱର,୦୬/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିନି । ଏବେଠୁ ରାଜ୍ୟ ରାଜନୀତି ସରଗରମ ହୋଇଗଲାଣି । ନୂଆପଡ଼ାକୁ ଏବେଠୁ ନେତାଙ୍କ ସୁଅ ଛୁଟିଲାଣି । ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ୧୧ ଶହ କୋଟିରୁ ଅଧିକ ୯୪୫ ନୂଆ ପ୍ରକଳ୍ପର ଘୋଷଣା, ଶିଳାନ୍ୟାସ ଓ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ନୂଆପଡ଼ା କାର୍ଯ୍ୟକ୍ରମରେ ଯୋଗ ଦେବେ । ମନମୋହନ ସାମଲ ଦିଲ୍ଲୀରେ ନୂଆପଡ଼ା ଉପନିର୍ବାଚନ ନେଇ ଅଙ୍କ କସୁଥିବା ବେଳେ ମୋହନଙ୍କ ନୂଆପଡ଼ା ଗସ୍ତ ମାହୋଲକୁ ସରଗରମ କରିଦେଇଛି ।
ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ବିଜେପି ତା’ର ସାଙ୍ଗଠନିକ କାର୍ଯ୍ୟକଲାପ ୩୬୫ ଦିନ ଜାରି ରଖିଥାଏ । ଉପନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ । ତେବେ ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ହେଲେ ରାଜ୍ୟର ନିର୍ବାଚନ କମିଟି ବସିବ । ରାଜ୍ୟର ନିର୍ବାଚନ କମିଟି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ତାର ଅନୁମୋଦନ ପଠାଇବ । କେନ୍ଦ୍ରୀୟ ସଂସଦୀୟ ବୋର୍ଡର ମୋହର ବାଜିବା ପରେ କିଏ ପ୍ରାର୍ଥୀ ହେବ, ତାହା ସ୍ପଷ୍ଟ ହେବ । ତେବେ ନୂଆପଡ଼ା ନିର୍ବାଚନ ଯେବେ ବି ହେଉ, ନୂଆପଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଭଲ ଭୋଟ ନେଇ ବିଜେପି ବାଜି ମାରିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଅପରପକ୍ଷେ, ଆଜି କଂଗ୍ରେସ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କୋମନାରୁ ଖରିଆର ରୋଡ୍ ଯାଏଁ ନ୍ୟାୟ ଶୋଭାଯାତ୍ରା ହେବ । ନୂଆପଡା ଉପନିର୍ବାଚନ ଶାସକ ଦଳ ପାଇଁ ଏସିଡ ଟେଷ୍ଟ୍ ହୋଇଥିବା ବେଳେ, ବିଜେଡି ଆଉ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ । ସେଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନୂଆପଡ଼ାରେ କସରତ ଆରମ୍ଭ କରିଦେଲେଣି ୩ ଦଳ । କଂଗ୍ରେସ ଘାସିରାମ ମାଝୀଙ୍କୁ ଏକ ପ୍ରକାର ପ୍ରାର୍ଥୀ ଘୋଷଣା କରିଦେଇଥିବା ବେଳେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦମ୍ଭୋକ୍ତି କରି ମୈଦାନକୁ ଓହ୍ଲେଇ ସାରିଲେଣି । ସେପଟେ ବିଜେପି, ଭେଟେରାନ୍ ବସନ୍ତ ପଣ୍ଡା କିମ୍ୱା ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଦଳ କିନ୍ତୁ ଏ ନେଇ ହୋମୱର୍କ ଆରମ୍ଭ କରିଦେଇଛି । ନିକଟରେ ନୂଆପଡା ଗସ୍ତରେ ଯାଇ ବିଜେପି ରାଜ୍ୟ ସଭାପତି ଏକ ବଡ ଧରଣର ମିଶ୍ରଣ ପର୍ବ କରିଥିବା ବେଳେ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି ।
ଭକ୍ତ କହିଛନ୍ତି, ନୂଆପଡ଼ାରେ କଂଗ୍ରେସ ୧, ବିଜେଡି ୨ ଓ ବିଜେପି ୩ ନମ୍ବରରେ ରହିବ । ସେଠାରେ କଂଗ୍ରେସ ହିଁ ଜିତିବ । କାରଣ ୨୦୧୯ରେ ବସନ୍ତ ପଣ୍ଡା ମୋ ବିରୋଧରେ ସଂସଦୀୟ ପ୍ରାର୍ଥୀ ହୋଇଥିଲେ । ୭ଟି ବିଧାନସଭା ମଧ୍ୟରୁ ମୁଁ ୬ଟିରେ ଭୋଟଗଣତିରେ ପଛରେ ଥିଲି । ଯେଉଁ ଗୋଟିଏ ଆସନରେ ମୁଁ ଅଧିକ ଭୋଟ ପାଇଥିଲି, ତାହା ହେଉଛି ନୂଆପଡ଼ା । ନିର୍ବାଚନ ପ୍ରଚାରରେ ମୁଁ ନୂଆପଡ଼ା ନ ଯାଇ ବସନ୍ତଙ୍କଠାରୁ ୧ ହଜାର ଭୋଟ ଅଧିକ ପାଇଥିଲି । ମୁଁ ନୂଆପଡ଼ା ଯାଉଛି । ଯିବା ପରେ କଂଗ୍ରେସ ଭୋଟ ୩ ଗୁଣା ହୋଇଯିବ । ସେଠାରେ ଦାଦନ, ଶ୍ରମିକ, ଚାଷୀ, ଜଳ ସେଚନ ଓ ବେକାରୀ ସମସ୍ୟା ରହିଛି । ଆଦିବାସୀ ଓ ଅଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ସମସ୍ୟା ବି ରହିଛି ବୋଲି ଭକ୍ତ କହିଛନ୍ତି ।