ବ୍ରହ୍ମପୁର,୦୫/୦୬: ତିନି ମାସ ହେଲା ଗଞ୍ଜାମ ଜିଲ୍ଲାକୁ ଲଗାତାର ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିବାରୁ ଜିଲ୍ଲାର ଗୁରୁତ୍ୱ ଅଧିକ ରହୁଥିଲା । ବର୍ତ୍ତମାନ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ସରକାର ଗଠନ ପରଠୁ ଲଗାତାର ଜିଲ୍ଲା ଗସ୍ତ  ଜାରି ରଖିଛନ୍ତି, ଯାହା ବିଜେପି ନେତା ଓ କର୍ମୀଙ୍କ ମହଲରେ  ଉତ୍ସାହ ଭରି ଦେଇଛି । ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ  ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

ମୁଖ୍ୟମନ୍ତ୍ରୀ  ୯ଟା ୩୦ରେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୦ଟାରେ ରମ୍ଭା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ସେଠାକାର ହାଇସ୍କୁଲରେ ସଂଗ୍ରାମୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେବା  ପରେ ପୂର୍ବାହ୍ନ ୧୦ଟା ୩୦ରେ ଛତ୍ରପୁର ଆସିବେ । ସେଠାରେ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ (ଉଦ୍ୟୋଗପତି)ମାନଙ୍କ ସହ ଆଲୋଚନା  କରିବେ । ଛତ୍ରପୁର ଷ୍ଟାଡିୟମରେ ପ୍ରସ୍ତାବିତ ୮ଟି ଶିଳ୍ପାନୁଷ୍ଠାନର  ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ସେଠାରେ ସାଧାରଣ  ସଭାରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ।   

ମୁଖ୍ୟମନ୍ତ୍ରୀ ଅପରାହ୍ନ ୨ଟା ୧୫ରେ ଶିଳ୍ପାନୁଷ୍ଠାନ ବୁଲିବା କାର୍ଯ୍ୟକ୍ରମ ରହିଛି । ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ବୁଲିବା ସହ ସେଠାରେ ଚାରାରୋପଣ କରିବେ । ଇଣ୍ଡଷ୍ଟ୍ରିଆଲ୍‌ ପାର୍କ  ପରିସରରେ ଦୀପକ ଫର୍ଟିଲାଇଜର ୟୁନିଟ୍‌ ବୁଲିବେ ।  ଅପରାହ୍ନରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରାରେ ପହଞ୍ଚି ଠାକୁରାଣୀଙ୍କ ଦର୍ଶନ କରି  ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଇସ୍ପାତ ଓ ଖଣି, ବାଣିଜ୍ୟ  ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କାର୍ଯ୍ୟକ୍ରମର  ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାରେ ୫ଟି  ବୃହତ୍‌ ଶିଳ୍ପର ଶିଳାନ୍ୟାସ ହେବ । ଏଥିରେ ୨୮ ହଜାର  କୋଟିରୁ ଊଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ ଏବଂ ୧୫ ହଜାରରୁ  ଊଦ୍ଧ୍ୱର୍ ଲୋକ ନିଯୁକ୍ତି ପାଇବେ ବୋଲି ଛତ୍ରପୁର  କାର୍ଯ୍ୟକ୍ରମ ସ୍ଥଳରେ ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ଗଞ୍ଜାମ  ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ଏହା ପୂର୍ବରୁ ଏପ୍ରିଲ୍‌ ୨୭ରେ ବ୍ରହ୍ମପୁର, ପାତ୍ରପୁର ଓ  ବୁଗୁଡ଼ା, ମେ ୮ରେ ତାରାତାରିଣୀ ଓ ପୁରୁଷୋତ୍ତମପୁର  ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଚଳିତ ମାସରେ ପୁଣି ଗଞ୍ଜାମ ଜିଲ୍ଲା ଗସ୍ତ କରୁଛନ୍ତି । ଆଗାମୀ ଦିନରେ ସେ ଜନ  ଅଭିଯୋଗ ଶୁଣାଣି ପାଇଁ ବ୍ରହ୍ମପୁର ଗସ୍ତ କରିବା  କାର୍ଯ୍ୟକ୍ରମ ରହିଛି । ଛତ୍ରପୁର ଠାରେ ପ୍ରସ୍ତୁତି ସମୀକ୍ଷା  ବୈଠକରେ ପରିବହନ ମନ୍ତ୍ରୀଙ୍କ ସମେତ ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ  ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ । ସେହିପରି  ଲାଞ୍ଜିପଲ୍ଲୀ ଯାତ୍ରା ସ୍ଥଳ ପରିଦର୍ଶନ ସମୀକ୍ଷା ସମୟରେ  ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌, ଉପଜିଲ୍ଲାପାଳ  ଦୀନା ଦସ୍ତଗୀର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ,  କର୍ପୋରେଟର ବନିତା ସାହୁଙ୍କ ସମେତ ଯାତ୍ରା ପରିଚାଳନା  କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।