ଛତ୍ରପୁର/ଆସିକା, ୦୩/୦୨: ମଙ୍ଗଳବାର ଗଞ୍ଜମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସୁକନ୍ୟା ଯୋଜନାର ଶୁଭାରମ୍ଭ କରିବେ । ଏଠାରେ ଏକାସଙ୍ଗେ ୨୦୧ କନ୍ୟା ବିବାହ କରିବେ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଯୋଜନାରେ ବିବାହ କରୁଥିବା କନ୍ୟାମାନଙ୍କୁ ୪୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ମଙ୍ଗଳବାର ପ୍ରଦାନ କରାଯିବ । ବିବାହ ଦିନ ହିଁ ବିବାହ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଗରିବ ଯୁବତୀଙ୍କ କନ୍ୟାଦାନ କରିବେ ।
ମଙ୍ଗଳବାର ଶୁଭାରମ୍ଭ ପରେ ଏହି ଯୋଜନା ଆଗକୁ ମଧ୍ୟ ଚାଲୁ ରହିବ । ପ୍ରତି ମାସରେ ନିରାଡ଼ମ୍ବର ଭାବେ ଏହା ଆୟୋଜନ କରାଯିବ । ଏହି ହିତାଧିକାରୀ ଚିହ୍ନଟ ପାଇଁ ଜିଲ୍ଲାର ଆଇଏସ୍ଆର୍ଡି ଏବଂ ଲିପିକା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକଙ୍କୁ ୧୧ଟି ଲେଖାଏଁ ବ୍ଲକ୍ ଦାୟିତ୍ୱ ଦିଆଯାଇଛି । ଅପରପକ୍ଷରେ ଗୋପାଳପୁରଠାରୁ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଆକାଶ ମାର୍ଗରୁ ବୁଲି ଦେଖିବା ପାଇଁ ପବନ ହଂସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଆସିକା ବ୍ଲକ୍ରୁ ୧୧ ଯୋଡ଼ି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିବାହ କରିବେ । ବିବାହ ଦୃଷ୍ଟିରୁ ଆସିକା ଉପନିବନ୍ଧକ କାର୍ଯ୍ୟାଳୟରେ ଆବଶ୍ୟକ ପ୍ରସ୍ତୁତି ସମ୍ପାଦନ କରାଯାଇଛି । ଉକ୍ତ ଯୋଡ଼ି ସିଡିପିଓ ଶାନ୍ତି ସୁଧାକର ପଟ୍ଟନାୟକଙ୍କ ନେତୃତ୍ୱରେ ଉପନିବନ୍ଧକ ତଥା ବିବାହ ଅଧିକାରୀ ସମରଜିତ ତ୍ରିପାଠୀଙ୍କ ଉପସ୍ଥିତିରେ ବିବାହ ପାଇଁ ପଞ୍ଜୀକରଣ କରିଥିଲେ ।
ଆହୁରି ପଢ଼ନ୍ତୁ:- ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଆଜି ଯାଜପୁର, ବାଲେଶ୍ବର ଏବଂ ପୁରୀ ଗସ୍ତ କାର୍ଯ୍ୟକ୍ରମ