ଭୁବନେଶ୍ୱର,୦୧/୧୨: ଶୀତଦିନିଆ ପର୍ଯ୍ୟଟନର ଆକର୍ଷଣୀୟ ପର୍ବ ଇକୋ ରିଟ୍ରିଟ୍‌-୨୦୨୪ । ପ୍ରଥମ ପର୍ଯ୍ୟାୟରେ ଏହା ୬ଟି  ସ୍ଥାନ ଯଥା ଭିତରକନିକା, ହୀରାକୁଦ, ଦାରିଙ୍ଗବାଡ଼ି,  ସାତକୋଶିଆ, ଗଞ୍ଜାମ ସୁନାପୁର ଓ କୋରାପୁଟର  ପୁଟସିଲରେ ଆରମ୍ଭ ହେବ । ଦୀର୍ଘ ୩ ମାସ ଧରି  ଡିସେମ୍ବର ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ  ଚାଲିବ । ସେହିପରି ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । 

ବଡ଼ କଥା ହେଲା ପ୍ରଥମ ଥର ଦର କମି  ଗୋଟିଏ ରାତି ପାଇଁ ବିଳାସପୂର୍ଣ୍ଣ କଟେଜ୍‌ରେ ରହଣି  ଦର ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ସେଥିପାଇଁ  ସବୁଠି ଆଗୁଆ ବୁକିଂ ହୋଇଛି । ଏ ବିଷୟରେ ଓଡ଼ିଶା  ପର୍ଯ୍ୟଟନ ବିଭାଗର ୱେବ୍‌ସାଇଟ୍‌ରେ ସବୁ ସୂଚନା  ଉପଲବ୍ଧ ରହିଛି । ପ୍ରତି ଇକୋ ରିଟ୍ରିଟ୍‌ ସ୍ଥଳରେ ୧୦୦%  ନିରାପଦ ଏବଂ ସ୍ୱଚ୍ଛତା, ୨୪ ଘଣ୍ଟିଆ ସେବା, ଶୀତତାପ  ନିୟନ୍ତ୍ରଣ, ସମ୍ମିଳନୀ ସୁବିଧା, ଜଳକ୍ରୀଡ଼ା, ସାନ୍ଧ୍ୟକାଳୀନ  ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଓ ପାନୀୟ, ରେସ୍ତୋରାଁ,  ଚିତ୍ତ ବିନୋଦନ କାର୍ଯ୍ୟକ୍ରମ, ପିଲାମାନଙ୍କ ପାଇଁ  ବିଭିନ୍ନ କାର୍ଯ୍ୟକ୍ରମ, ଉନ୍ନତ ଶୌଚାଳୟ ସୁବିଧା, ବିଚ୍‌  ଆକ୍ଟିଭିଟିଜ୍‌, ବିଚ୍‌ ବାର୍‌, ଗାଇଡେଡ୍‌ ଟୁର୍‌ସ୍‌, ଡକ୍ଟର ଅନ୍‌  କଲ୍‌ ବ୍ୟବସ୍ଥା ପର୍ଯ୍ୟଟକମାନେ ପାଇପାରିବେ । ପ୍ରକୃତି  କୋଳରେ ଅତିଥିମାନଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ପରଷାଯିବ ।  ଭରପୂର ମନୋରଞ୍ଜନ ପାଇଁ ସବୁ ଇକୋ ରିଟ୍ରିଟ୍‌ ସ୍ଥଳରେ  ଅଲଗା ଅଲଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ଯେଛଁଠି ବେଳାଭୂମି ନାହିଁ ସେଠି ପାହାଡ଼, ଜଙ୍ଗଲ ଓ  ଝରଣା ଏବଂ ସ୍ଥାନୀୟ ପର୍ଯ୍ୟଟନକୁ ନେଇ ଭିନ୍ନ ଭିନ୍ନ  କାର୍ଯ୍ୟକ୍ରମ, ଦୁଃସାହସିକ କ୍ରୀଡ଼ାର ବ୍ୟବସ୍ଥା ହୋଇଛି।