ଭୁବନେଶ୍ବର, ୨୭/୩ : ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏହି ଅବସରରେ ଲୋକଭବନ ଯାଇ ରାଜ୍ୟପାଳ ଡ. କମ୍ଭମପତି ହରି ବାବୁଙ୍କୁ ଭେଟିଛନ୍ତି । ସେ ଭେଟିବା ପରେ ରାଜ୍ୟପାଳ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଲୋକଭବନରେ ମୋତେ ଭେଟିଛନ୍ତି । ଅପରେସନ ସିନ୍ଦୂରର ସଫଳ କାର୍ଯ୍ୟକାରୀତା ପାଇଁ ମୁଁ ତାଙ୍କୁ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଉଛି । ଯାହା ଦେଶ ପ୍ରତି ସେମାନଙ୍କର ଅଟଳ ସମର୍ପଣ ଏବଂ ଅନୁକରଣୀୟ ସେବାକୁ ପ୍ରତିଫଳିତ କରୁଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଞ୍ଚିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଯାଇଥିଲେ ।

ଶନିବାର ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋପାଳପୁର ଯିବେ । ଆର୍ମି ଏୟାର ଡିଫେନ୍ସ କଲେଜ ଯାଇ ସେଠାରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ। ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। । ଆସନ୍ତା ୨୯ରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଦିଲ୍ଲୀ ଫେରିବେ ।