ନବରଙ୍ଗପୁର, ୦୬/୦୫ : ଜନ୍ମରୁ ନାହିଁ ମଳଦ୍ୱାର । ଦୀର୍ଘ ୧୦ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁଟିଏ  । ଅସ୍ତ୍ରୋପଚାର ପରେ ଅସ୍ତ୍ରୋପଚାର ହେଉଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା କରଜ ପରେ ବି ସ୍ୱାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର । ଶେଷରେ ଅଧିକ ଚିକିତ୍ସା ପାଇଁ ଶିଶୁକୁ ଧରି ବାପାମାଆ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସରକାରୀ ସହାୟତା ଲାଗି ନିବେଦନ କରିଛନ୍ତି । ଯନ୍ତ୍ରଣାରେ ଜଳୁଥିବା ଏହି ଶିଶୁଟି ହେଉଛି ଝରିଗାଁ ବ୍ଲକ ତାରାବେଡା ଗାଁର ପରବେଜ ଅହମ୍ମଦଙ୍କ ପୁଅ ଫୈଜଲ । ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି, ରାଜ୍ୟ ସରକାରଙ୍କୁ ଅବଗତି କରି ଏ ଦିଗରେ ନିଶ୍ଚୟ ପଦକ୍ଷେପ ନେବେ। 

ପରବେଜ୍‌ କହିଛନ୍ତି, ଜନ୍ମରୁ ଫୈଜଲର ମଳଦ୍ୱାର ନଥିଲା । ଜନ୍ମର ୮ ଦିନ ମଧ୍ୟରେ ହୋଇଥିଲା ପ୍ରଥମ ଅସ୍ତ୍ରୋପଚାର । ୨୦ ଦିନରେ ପେଟରୁ ମଳ ବାହାରିବା ଲାଗି ବାଇପାସ୍‌ କରାଯାଇଥିଲା । ପେଟକାଟି ଏକ ପାଇପ୍‌ ଲଗାଯାଇଥିଲା । ଅସ୍ତ୍ରୋପଚାର ପରେ ପେଟ ଫୁଲିବା ସହ ବାନ୍ତି ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ତୃତୀୟ ଥର ଲାଗି ଅସ୍ତ୍ରୋପଚାର କରାଯାଇଥିଲା । ତାହା ବି ବିଫଳ ହୋଇଥିଲା । ମଳ ଅନ୍ୟବାଟ ଦେଇ ବାହାରିଥିଲା । ଏଭଳି ୬ଥର ଅସ୍ତ୍ରୋପଚାର ପରେ ବି ଅନ୍ୟବାଟ ଦେଇ ମଳ ବାହାରିବା ବନ୍ଦ ହେଲାନି । ଜନ୍ମରୁ ଯମଯନ୍ତ୍ରଣା ଭୋଗୁଛି ଫୈଜଲ । ଡାକ୍ତରଙ୍କ ପରାମର୍ଶରେ ନିୟମିତ ବଥା ବଟିକା ଦିଆଯାଉଛି । ହଜମ ପାଇଁ ସୁକ୍ଷ୍ମ ଓ ତରଳ ଖାଦ୍ୟ ଦିଆଯାଉଛି । 

ସେପଟେ ବିଭିନ୍ନ ଡାକ୍ତରଖାନାରେ ପୁଅର ଚିକିତ୍ସା ପାଇଁ ବାପା-ମାଆ ଧାରକରଜରେ ବୁଡ଼ିଗଲେଣି । ଲକ୍ଷାଧିକ ଟଙ୍କା ଋଣ କରିସାରିଲେଣି । ୩ ପୁଅ ଓ ସ୍ତ୍ରୀଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ । ରୋଜଗାର କହିଲେ କେବଳ ଗାଁରେ ଛୋଟ ରାସନ ଦୋକାନଟିଏ । ସରକାରଙ୍କ ପକ୍ଷରୁ ୨୫ କେଜି ଚାଉଳ ମିଳୁଛି । ଜମିବାଡ଼ି କିଛି ନାହିଁ । ଏଭଳି ସ୍ଥିତିରେ ଫୈଜଲର ଚିକିତ୍ସା ପାଇଁ ପ୍ରତିମାସରେ ଔଷଧ ବାବଦରେ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି । ତଥାପି ପୁଅର ଅସହ୍ୟ ଯନ୍ତ୍ରଣା ସହିହେଉନି । ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ କୌଣସି ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି । ଶେଷରେ ଜିଲ୍ଲା ପ୍ରଶାସନର ଶରଣ ପଶିଛନ୍ତି । ପ୍ରଶାସନ ସହ ଅନ୍ୟ କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ଫୈଜଲ ସବୁଦିନ ପାଇଁ ଯନ୍ତ୍ରଣାରୁ ମୁକ୍ତି ପାଇପାରନ୍ତା ।

ଏହି ଖବରଟିକୁ ପଢନ୍ତୁପୁରୀରେ ବିଶ୍ୱସ୍ତରୀୟ ଦୁଃସାହସିକ ଜଳକ୍ରୀଡ଼ା ଭିତ୍ତିଭୂମି, ପ୍ରାଶାସନିକ ଟିମ୍‌ ସହ ସ୍ଥିତି ଅନୁଧ୍ୟାନ କଲେ ଏନ୍‌ଆଇଓଓବ୍ଲୁ