ପୁରୀ, ୦୬/୦୫ : ମଧ୍ୟପ୍ରଦେଶର ଜବଲପୁର ବର୍ଗି ଡ୍ୟାମରେ କ୍ରୁଜ୍ ଦୁର୍ଘଟଣା ପରେ ପୁରୀରେ ବଢ଼ିଛି ସତର୍କତା । ପୁରୀର ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କୁ ଆମୋଦିତ କରିବା ନିମନ୍ତେ ଦୁଃସାହସିକ ଜଳକ୍ରୀଡ଼ା କରାଯାଉଥିବାରୁ ଏପରି ଦୁର୍ଘଟଣାକୁ ଏଡ଼ାଇବାକୁ ଯାଞ୍ଚକୁ କଡ଼ାକଡ଼ି କରାଯାଉଛି । ଯାତ୍ରୀଙ୍କୁ ଜଳକ୍ରୀଡ଼ା ସେବା ଦେଉଥିବା ସଂସ୍ଥାଗୁଡ଼ିକୁ ଯାଞ୍ଚ ପ୍ରକ୍ରିୟାରେ ନିଆଯାଇଛି । କ୍ରୁଜ୍, ଜେଟସ୍କି, ଡଙ୍ଗାଗୁଡ଼ିକ ସୁରକ୍ଷା ସାଙ୍ଗକୁ ନିର୍ଦ୍ଧାରିତ ମାନର ସୁରକ୍ଷା ଉପକରଣ ବ୍ୟବହାର, ଆବଶ୍ୟକ ଏନ୍ଓସି (ନନ୍ ଅବଜେକ୍ସନ୍ ସାର୍ଟିଫିକେଟ) ହାସଲ କରିଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରାଯାଉଛି । ପୁରୀ ଆସି ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ସ୍ଥିତି ଅନୁଧ୍ୟାନ କରୁଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ୱାଟର୍ସ୍ପୋର୍ଟସ (ଏନ୍ଆଇଓଓବ୍ଲୁ)ର ଅଧିକାରୀଙ୍କ ସମେତ ପ୍ରଶାସନିକ ଯୁଗ୍ମ ଟିମ୍ ।
ଦୁଃସାହସିକ ଜଳକ୍ରୀଡ଼ା ନିମନ୍ତେ ପୁରୀରେ ବିଶ୍ୱସ୍ତରର ଭିତ୍ତିଭୂମି କରାଯିବ। ଏହି ନିର୍ଦ୍ଦେଶକୁ ସଫଳ କରିବା ନିମନ୍ତେ ଅନୁଧ୍ୟାନକୁ ଗୁରୁତ୍ୱ ଦିଆଯାଉଛି । ସମୁଦ୍ରରେ ଜଳକ୍ରୀଡ଼ା ପାଇଁ ଲାଗୁ ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ସାତପଡ଼ା ଠାରୁ ପୁରୀ ପର୍ଯ୍ୟନ୍ତ ସବୁଠାରେ ପର୍ଯ୍ୟଟକଙ୍କୁ ଆମୋଦିତ କରିବା ନିମନ୍ତେ ବୋଟ ଓ ଜେଟସ୍କି ପ୍ରଭୃତି ଦ୍ୱାରା ଜଳକ୍ରୀଡ଼ା ସେବା ଦେବା ନିୟମ କଡ଼ାକଡ଼ି ପାଳନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଜଳକ୍ରୀଡ଼ା ନିମନ୍ତେ ବ୍ୟବହୃତ ବୋଟ ଆଦିଗୁଡ଼ିକ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବାକୁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦିଗରେ ଆଦୌ ସାଲିସ କରାଯିବନି । କାଳବୈଶାଖୀ ବେଳେ ଉଭୟ ଯାତ୍ରୀ ଓ ବୋଟ୍ ଚାଳକମାନେ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସଚେତନ କରାଯାଉଛି ।
ସୂଚନା ଥାଉକି, ଗତ ମେ’ ୨୦୨୫ରେ ସ୍ପିଡ୍ ବୋଟ୍ରେ ପୁରୀ ସମୁଦ୍ରରେ ହୋଇଥିଲା ଦୁର୍ଘଟଣା । ଉଚ୍ଚ ଜୁଆର ଯୋଗୁଁ ଓଲଟି ଥିଲା ସ୍ପିଡ୍ ବୋଟ୍ । ଉପସ୍ଥିତ ଲାଇଫ ଗାର୍ଡଙ୍କ ପଦକ୍ଷେପରୁ ବର୍ତ୍ତିଯାଇଥିଲା ପୂର୍ବତନ କ୍ରିକେଟର ସ୍ନେହାଶିଷ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ଅର୍ପିତା ଗାଙ୍ଗୁଲିଙ୍କ ଜୀବନ । ସେହିପରି ଗୋଲଡେନ ବିଚ୍ରେ ହୋବର ଓ ପାରାଚ୍ୟୁଟ ଚାଳନା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଆଲୋଚନାର ବିଷୟ ହୋଇଥିଲା । ବାନାନା ବୋଟ ଓଲଟି ପର୍ଯ୍ୟଟକ ଆହତ ହେବା ଘଟଣା ମଧ୍ୟ ଅତୀତରେ ପୁରୀ ସମୁଦ୍ରରେ ଦୁଃସାହସିକ କ୍ରୀଡ଼ା ବା ଜଳକ୍ରୀଡ଼ା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଗତ ମାର୍ଚ୍ଚ ୨୦୨୬ରେ କିଛି ଯୁବକ ବିନା ଲାଇଫ ଜ୍ୟାକେଟରେ ମଝି ସମୁଦ୍ରରେ ବୋଟ୍କୁ ଚାରି ପଟକୁ ବୁଲାଇ ଅତି ଭୟଙ୍କର ଭାବରେ ଷ୍ଟଣ୍ଟ କରି ଦେଖାଉଥିବା ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦୁଃସାହସିକ ଜଳକ୍ରୀଡ଼ାର ଢିଲା ସୁରକ୍ଷା ବ୍ୟବସ୍ଥାର ଚିତ୍ର ପୁଣି ସାମନାକୁ ଆସିଥିଲା । ଏବେ ମଧ୍ୟପ୍ରଦେଶ ଜବଲପୁରରେ କ୍ରୁଜ୍ ଦୁର୍ଘଟଣା ସାରା ଦେଶର ଆଖି ଖୋସି ଦେଇଥିବା ବେଳେ ପର୍ଯ୍ୟଟନ ନଗରୀ ପୁରୀରେ ଏପରି ଘଟଣା ଏଡ଼ାଇବା ପାଇଁ ସକ୍ରିୟ ହୋଇଛି ପ୍ରଶାସନ ।
ପ୍ରତିଦିନ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସି ଦୁଃସାହସିକ ଜଳକ୍ରୀଡ଼ାର ମଜା ନେଉଛନ୍ତି । ଯାତ୍ରୀଙ୍କ ଆଗ୍ରହକୁ ଦେଖି ଜଳକ୍ରୀଡ଼ା ସେବା ଦେବା ନିମନ୍ତେ ବହୁ ଆଗ୍ରହୀ ସଂସ୍ଥା ପ୍ରଶାସନ ନିକଟରେ ଅନୁମତି ଲୋଡ଼ିଛନ୍ତି । ପୁରୀ ଅସ୍ତରଙ୍ଗଠାରୁ ଚିଲିକା ପର୍ଯ୍ୟନ୍ତ ପ୍ରାୟ ୫ ସଂସ୍ଥା ଏବେ ନୂଆ ଆବେଦନ କରିଥିବା ବେଳେ ପୁରୁଣା ବହୁ ସଂସ୍ଥା ଦେଉଥିବା ଜଳକ୍ରୀଡ଼ା ସେବାର ସୁରକ୍ଷା ବ୍ୟବସ୍ଥା ଓ ଏନ୍ଓସି ପ୍ରଭୃତିର ତଦାରଖ କରୁଛି ପ୍ରଶାସନିକ ଯୁଗ୍ମ ଟିମ୍ ସହ ଗୋଆର ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ୱାଟର ସ୍ପାର୍ଟସର ଅଧିକାରୀ ରଞ୍ଜିତ୍ ସିଂହ । ଶ୍ରୀ ସିଂ କହିଛନ୍ତି, ପୁରୀର ୫ ଆବେଦନ ସହ ବାଲେଶ୍ୱର, ସମ୍ବଲପୁରରୁ ଆସିଥିବା ମୋଟ ୧୦ ଜଳକ୍ରୀଡ଼ା ଅନୁମତି ଆବେଦନ ଉପରେ ନିରୀକ୍ଷଣ କରାଯାଉଛି । ପୁରୀ ସମୁଦ୍ରରେ ରିପକରେଣ୍ଟ ବିଶେଷ ଭାବେ ରହୁଥିବା ବେଳେ ଏହା ଅଚାନକ ସ୍ଥାନ ବଦଳାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସତର୍କତା ଅନୁଯାୟୀ ଯାତ୍ରୀମାନେ ସ୍ନାନ କରିବା ସହ ଜଳକ୍ରୀଡ଼ା କରିବା ଉଚିତ୍ । ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ କହିଛନ୍ତି, ରାଜ୍ୟସ୍ତରୀୟ କମିଟି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ରିପୋର୍ଟ ଓ ପରାମର୍ଶ ଉପରେ ଚୂଡ଼ାନ୍ତ ପଦକ୍ଷେପ ନେବ । ଏହା ନିଶ୍ଚିତ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Digha Jagannatha Temple : ଦର୍ପ ଭାଙ୍ଗିଗଲା ହେଲେ ସୁଧୁରିଲେନି ଦିଦି, ସରକାର ବଦଳିବା ପରେ ଏବେ ଦୀଘାରେ 'ଧାମ' ରହିବ ନା ହଟିବ ?