ନୂଆଦିଲ୍ଲୀ, ୧୯।୧: ଦକ୍ଷିଣ ଆମେରିକା ଦେଶ ଚିଲିର ଅନେକ ଜଙ୍ଗଲରେ ଅଗ୍ନିକାଣ୍ଡ । ଅନିୟନ୍ତ୍ରିତ ଜଙ୍ଗଲ ନିଆଁ ଲାଗିଯିବାରୁ ଏଥିରେ ପାଖାପାଖି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ରବିବାର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସାଣ୍ଟିଆଗୋରୁ ପ୍ରାୟ ୫୦୦ କିମି ଦକ୍ଷିଣରେ ନୁବଲ ଏବଂ ବାୟୋବିଓ ଅଞ୍ଚଳରେ ଦୁଇ ଦିନ ଧରି ଲାଗି ରହିଥିବା ଅଗ୍ନିକାଣ୍ଡ ଯୋଗୁଁ ୫୦ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଦ୍ରୁତ ବେଗରେ ପବନ ବୋହିବା ସହ ଗରମ ପାଗ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ।

ଏକ ଭିଡିଓରେ ପୋଡ଼ିଯାଇଥିବା ଘର, ପିକ୍-ଅପ୍ ଟ୍ରକ୍ ଏବଂ କାରଗୁଡ଼ିକ ଦେଖାଯାଉଛି । ଏଭଳି ଅଗ୍ନିକାଣ୍ଡ ପରେ ସହରର ରାସ୍ତାଘାଟ ଖାଁ ଖାଁ ଦିଶୁଛି । ମେୟର ରୋଡ୍ରିଗୋ ଭେରା କହିଛନ୍ତି ଯେ, ଜଙ୍ଗଲ ନିଆଁ ଯୋଗୁଁ ପେନକୋରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୨୦ ହଜାର ଲୋକସଂଖ୍ୟା ବିଶିଷ୍ଟ ଛୋଟ ବନ୍ଦର ସହର ଲିରକୁଏନ୍ରେ ମଧ୍ୟ ସମାନ ଦୃଶ୍ୟ । ନିଆଁ ଏତେ ଭୟଙ୍କର ଥିଲା ଯେ, କିଛି ସେକେଣ୍ଡ ମଧ୍ୟରେ ସହରରେ ନିଆଁ ଲାଗିଥିବା ସେଠାକାର ବାସିନ୍ଦା କହିଛନ୍ତି । ୫୭ ବର୍ଷୀୟ ଆଲେଜାଣ୍ଡ୍ରୋ ଆରେଡୋଣ୍ଡୋ ଏଏଫପିକୁ କହିଛନ୍ତି, "ଅନେକ ବାସିନ୍ଦା ବେଳାଭୂମିକୁ ଦୌଡ଼ି ପଳାଇବାରୁ ସେମାନେ ନିଆଁରୁ ରକ୍ଷା ପାଇଗଲେ ।" ରବିବାର ରାତି ସମୟରେ ଲିରକୁଏନ୍ ସହରରେ ସୈନିକମାନେ ରାସ୍ତାରେ ପାଟ୍ରୋଲିଂ କରୁଥିଲେ । କର୍ଫ୍ୟୁ ସତ୍ତ୍ୱେ, କିଛି ବାସିନ୍ଦା ଟର୍ଚ୍ଚଲାଇଟ୍ ଧରି ନିଆଁ ଲିଭାଇବା ସହ ଧ୍ୱଂସାବଶେଷ ସଫା କରିବା ଲାଗି କାମ ଜାରି ରଖିଥିଲେ ।

ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଦକ୍ଷିଣ ଗୋଲାର୍ଦ୍ଧ ଗ୍ରୀଷ୍ମ ଋତୁର ଉଚ୍ଚ ତାପମାତ୍ରା ସମୟରେ ପ୍ରାୟ ୪ ହଜାର ଅଗ୍ନିଶମ କର୍ମଚାରୀ ଜଙ୍ଗଲ ନିଆଁକୁ ମୁକାବିଲା କରିବା ପାଇଁ ନୁବଲ୍ ଏବଂ ବାୟୋବିଓରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହି ଆଦେଶ ସହାୟତା ପାଇଁ ସଶସ୍ତ୍ର ବାହିନୀକୁ ନିୟୋଜିତ କରିବାକୁ ଅନୁମତି ଦିଏ । ରାଷ୍ଟ୍ରପତି ଅଗ୍ନି ନିର୍ବାପନ ପ୍ରୟାସ ତଦାରଖ ପାଇଁ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା କନସେପ୍ସିଅନ ସହରକୁ ଯାତ୍ରା କରିଥିଲେ । ବୋରିକ୍ ସର୍ବାଧିକ ପ୍ରଭାବିତ ସହରଗୁଡ଼ିକରେ ରାତିକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ ଓ, "ପରିସ୍ଥିତି ବହୁତ କଷ୍ଟକର" ବୋଲି ଚେତାବନୀ ଦେଇଥିଲେ । ସେ ସନ୍ଧ୍ୟାରେ ସାଣ୍ଟିଆଗୋ ଫେରି ଆସିଲେ, ସୋମବାର ଦିନ ନିର୍ବାଚିତ ରାଷ୍ଟ୍ରପତି ଜୋସ୍ ଆଣ୍ଟୋନିଓ କାଷ୍ଟଙ୍କୁ ଭେଟି ଜଙ୍ଗଲ ଅଗ୍ନିକାଣ୍ଡ ସମ୍ପର୍କରେ ବିସୃତ ଖବର ଜଣାଇବାକୁ କହିଥିଲେ । ସେ କହିଛନ୍ତି "ଏଭଳି କଠିନ ପରିସ୍ଥିତିରେ, ଚିଲିର ଏକତା ସୁଦୃଢ଼ ହୋଇଛି । ଆମ ସରକାର ଏବଂ ନିର୍ବାଚିତ ରାଷ୍ଟ୍ରପତି ଏକାଠି କାମ କରିବେ" ।

ନ୍ୟାସନାଲ ସର୍ଭିସ ଫର୍ ଡିଜାଷ୍ଟର ପ୍ରିଭେନସନ୍ ଆଣ୍ଡ ରେସପନ୍ସର ନିର୍ଦ୍ଦେଶକ ଆଲିସିଆ ସେବ୍ରିଆନ୍ କହିଛନ୍ତି ଯେ, ଅଧିକାଂଶ ସ୍ଥାନାନ୍ତର ପେନକୋ ଏବଂ ଲିରକୁଏନ୍ ବାୟୋବିଓ ସହରରେ କରାଯାଇଥିଲା, ଯାହାର ମୋଟ୍ ଜନସଂଖ୍ୟା ପ୍ରାୟ ୬୦ ହଜାର । ଦକ୍ଷିଣ ଆମେରିକୀୟ ଦେଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୃଦ୍ଧି ପାଉଥିବା ସଙ୍କେତ ମଧ୍ୟରେ, ଗତ କିଛି ବର୍ଷ ମଧ୍ୟରେ ଦକ୍ଷିଣ-କେନ୍ଦ୍ରୀୟ ଚିଲିରେ ଜଙ୍ଗଲ ନିଆଁ ଗୁରୁତର ଭାବରେ ପ୍ରଭାବିତ କରିଛି । ଯେଉଁଥିରେ ଅତି ଖରାପ ପାଗ, ମରୁଡ଼ି ଏବଂ ବନ୍ୟା ଅନ୍ତର୍ଭୁକ୍ତ । ସରକାରୀ ଓକିଲଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଫେବୃଆରୀ ୨୦୨୪ରେ ସାଣ୍ଟିଆଗୋରଉତ୍ତର-ପଶ୍ଚିମରେ ଥିବା ଭିନା ଡେଲ୍ ମାର୍ ସହର ନିକଟରେ ଏକକାଳୀନ ଅନେକ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିଲା । କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରାୟ ୧୬ ହଜାର ଲୋକ ସେହି ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିଲେ ।