• ଭାରତ-ପାକିସ୍ତାନ ଯୁଦ୍ଧର ମଧ୍ୟସ୍ଥି ଥିବା ଚୀନର ଦାବି
  • ପ୍ରଥମେ ଆମେରିକା ଏମିତି ଦାବି କରିଥିଲା
  • ୩ୟ ପକ୍ଷର ମଧ୍ୟସ୍ଥତାକୁ ଭାରତର ଖାରଜ
  • ଚୀନର ଆଭିମୁଖ୍ୟ ଆଲୋଚନାର ପରିସରରେ

ନୂଆଦିଲ୍ଲୀ : ପ୍ରଥମେ ଆମେରିକା ଦାବି କରିଥିଲା। ଏବେ ଚୀନ କହୁଛି ଯେ, ସେ ଏହି ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧରେ ସାଜିଥିଲା ମଧ୍ୟସ୍ଥି। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର କହିଛନ୍ତି , ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା, ସେହି ହଟସ୍ପଟ୍ ପ୍ରସଙ୍ଗ ତାଲିକାରେ ସାମିଲ ଥିଲା, ଯେଉଁଥିରେ ଏହି ବର୍ଷ ଚୀନ ମଧ୍ୟସ୍ଥତା କହିଛି। ଅନ୍ୟପଟେ ଭାରତ ନିରନ୍ତର ଭାବେ କହି ଆସୁଛି ଯେ, ଭାରତ ଓ ପାକିସ୍ତାନ ସମ୍ୱନ୍ଧୀୟ ମାମଲାରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପର କୌଣସି ସ୍ଥାନ ନାହିଁ।

ଏହାସହ ମଧ୍ୟ ପଢନ୍ତୁ : ‘ପୁଟିନଙ୍କ ଘର ଉପରେ କୌଣସି ଆକ୍ରମଣ ହୋଇନି, ଏବେ ସୁଦ୍ଧା କାହିଁକି ପ୍ରମାଣ ଦେଇ ପାରୁନି ରୁଷ୍ ?’ : ୟୁକ୍ରେନ

ଭାରତ ଏହା କହିଛି ଯେ, ମେ ମାସ ୭ ରୁ ୧୦ ତାରିଖ ମଧ୍ୟରେ ଭାରତ -ପାକିସ୍ତାନ ମଧ୍ୟରେ ସଂଘର୍ଷର ସମାଧାନ ଦୁଇ ଦେଶର ସେନାର ସାମରିକ ପରିଚାଳନା ମହାନିର୍ଦ୍ଦେଶକ (DGMO)ଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ହୋଇଥିଲା। ମେ ୭ ତାରିଖରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ "ଅପରେସନ୍ ସିନ୍ଦୂର" ଆରମ୍ଭ କରି ଥିଲା।

ବେଜିଂରେ ଆୟୋଜିତ ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଚୀନର ବୈଦେଶିକ ସମ୍ପର୍କ ଉପରେ ଏକ ଆଲୋଚନାଚକ୍ରରେ ୱାଙ୍ଗ କହିଥିଲେ – ଚଳିତ ବର୍ଷ , ଦ୍ଵିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରଠାରୁ କୌଣସି ବି ସମୟର ତୁଳନାରେ ସ୍ଥାନୀୟ ଯୁଦ୍ଧ ଏବଂ ସୀମାପାର ସଂଘର୍ଷ ଅଧିକ ଥର ଦେଖାଦେଇଛି। ଭୂ-ରାଜନୈତିକ ଅସ୍ଥିରତା ବ୍ୟାପିବାରେ ଲାଗିଛି। ସେ ଆହୁରି ମଧ୍ୟ କହିଥିଲେ-ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ, ଆମେ ଏକ ବସ୍ତୁନିଷ୍ଠ ଏବଂ ତର୍କ ସଙ୍ଗତ ମନୋଭାବ ଆପଣାଇଛୁ। ଲକ୍ଷଣ ଓ ମୂଳ କାରଣ ଉଭୟକୁ ସମାଧାନ କରିବା ଉପରେ ଧ୍ୟାନ ଦେଇଛୁ।

ଏହାସହ ମଧ୍ୟ ପଢନ୍ତୁ :ପୁଟିନଙ୍କ ଘର ଉପରେ ଡ୍ରୋନ୍ ମାଡ଼ କଲା ୟୁକ୍ରେନ ! ରୁଷ୍ର ଦାବିକୁ ମିଛ ଦର୍ଶାଇଲେ ଜେଲେନସ୍କି

ସେ କହିଛନ୍ତି , ଅଚଳାବସ୍ଥାର ସମାଧାନ ପାଇଁ ଚୀନର ଏହି ଆଭିମୁଖ୍ୟ ଅନୁସରଣ କରି, ଆମେ ଉତ୍ତର ମିଆଁମାର, ଇରାନର ପରମାଣୁ ସମସ୍ୟା, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା, ପାଲେଷ୍ଟାଇନ ଏବଂ ଇସ୍ରାଏଲ ସମସ୍ୟା ଏବଂ କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ସାମ୍ପ୍ରତିକ ବିବାଦରେ ମଧ୍ୟସ୍ଥତା କରିଛୁ।

ପାକିସ୍ତାନକୁ କରିଥିଲା ସାହାଯ୍ୟ -

ଚଳିତ ବର୍ଷ ମେ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତ - ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନର ଭୂମିକା, ବିଶେଷକରି , ତା ଦ୍ୱାରା ପାକିସ୍ତାନକୁ ପ୍ରଦାନ କରାଯାଇ ଥିବା ସାମରିକ ସହାୟତା, ଗଭୀର ଯାଞ୍ଚ ଓ ସମାଲୋଚନାର ପରିସରକୁ ଆସିଛି। କୂଟନୈତିକ କ୍ଷେତ୍ରରେ, ଚୀନ୍ ମେ ୭ ତାରିଖରେ ଭାରତ ଏବଂ ପାକିସ୍ତାନକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ ଦେଇଥିଲା।

ଚୀନର ବୈଦେଶିକ ନୀତି ସମ୍ୱନ୍ଧୀୟ ପଦକ୍ଷେପ ଉପରେ ତାଙ୍କର ଭାଷଣରେ ୱାଙ୍ଗ ଭାରତ ଓ ଚୀନ୍ ମଧ୍ଯରେ ସମ୍ପର୍କରେ ଉନ୍ନତି ଆଣିବାରେ ଭଲ ଗତିର ଉଲ୍ଲେଖ କରିଥିଲେ । ଏହାସହ ଅଗଷ୍ଟରେ ତିଆନଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଜିଂର ନିମନ୍ତ୍ରଣ ବିଷୟରେ ଉଲ୍ଲେଖ କରିଥିଲେ।