- ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନର ଡ୍ରୋନ୍ ହମଲା
- ରୁଷ୍ର ଦାବିକୁ ମିଛ କହିଲେ ଜେଲେନସ୍କି
- ୟୁକ୍ରେନ ହମଲା ନେଇ କହିଲେ ରୁଷୀୟ ବୈଦେଶିକ ମନ୍ତ୍ରୀ
- ରୁଷ୍ - ୟୁକ୍ରେନ ଯୁଦ୍ଧ ଫେବ୍ରୁଆରୀ ୨୦୨୨ରୁ ଚାଲିଛି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ଉପରେ ୟୁକ୍ରେନ ହମଲା କରିବାର ଅଭିଯୋଗ ଲଗେଇଛି ରୁଷ୍। ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ସୋମବାର କହିଛନ୍ତି, ୟୁକ୍ରେନ୍ ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିବାସ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ମସ୍କୋ ଏବେ ନିଜର କଥାବାର୍ତ୍ତାର ସ୍ଥିତିକୁ ନେଇ ସମୀକ୍ଷା କରିବ। ଲାଭରୋଭ କହିଛନ୍ତି ଯେ, ୨୮-୨୯ ଡିସେମ୍ୱରରେ ୟୁକ୍ରେନ ରୁଷୀୟ ରାଷ୍ଟ୍ରପତିଙ୍କ ରାଜ୍ୟ ନିବାସ ଉପରେ ଲମ୍ୱା ଦୂରଗାମୀ ଡ୍ରୋନରେ ଆକ୍ରମଣ କରିଥିଲା, ଯାହାକୁ ରୁଷୀୟ ବାୟୁ ପ୍ରତିରକ୍ଷା ସିଷ୍ଟମ ସଂପୂର୍ଣ୍ଣ ରୂପେ ନଷ୍ଟ କରି ଦେଇଛି। ଲାଭରୋଭ ଚେତାବନୀ ଦେଇଛନ୍ତି ଯେ, ଏମିତି ବେପରୁଆ କାର୍ଯ୍ୟାନୁଷ୍ଠାନ ବିନା ଜବାବରେ ରହି ହେବ ନାହିଁ। ଏହାସହ ସେ ଏହାକୁ ଆତଙ୍କବାଦୀ କାର୍ଯ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ରୁଷୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଜବାବୀ ଆକ୍ରମଣ ପାଇଁ ପୂର୍ବରୁ ହିଁ ଟାର୍ଗେଟ୍ ଚୟନ କରାଯାଇଛି। ଲାଭରୋଭ କହିଛନ୍ତି , ଏହି ହମଲା ୟୁକ୍ରେନ ସହ ସମ୍ଭାବିତ ଶାନ୍ତି ବୁଝାମଣା ଉପରେ ଚାଲି ଥିବା କଥାବାର୍ତ୍ତା ବେଳେ ହୋଇଛି। ଏବେ ରୁଷ୍ କଥାବାର୍ତ୍ତାରୁ ପଛକୁ ହଟିବ ନାହିଁ , କିନ୍ତୁ ମସ୍କୋ ନିଜର ସ୍ଥିତିର ସମୀକ୍ଷା କରିବ।
ହେଲେ , ୟୁକ୍ରେନୀ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଅଭିଯୋଗକୁ ମିଛ କହିଛନ୍ତି। ସେ କହିଛନ୍ତି ଯେ,ମସ୍କୋ କିଭ୍ରେ ସରକାରୀ ବିଲ୍ଡିଂ ଗୁଡ଼ିକ ଉପରେ ହମଲା କରିବାକୁ ଗ୍ରାଉଣ୍ଡ ପ୍ରସ୍ତୁତ କରୁଛି। ସେ କହିଛନ୍ତି ଯେ, ରୂଷୀୟ ଦାବି ଶାନ୍ତି ବାର୍ତ୍ତାକୁ ଦୁର୍ବଳ କରିବାର ପ୍ରୟାସ। ଏହା ସ୍ପଷ୍ଟ ନୁହେଁ ଯେ, ରାଷ୍ଟ୍ରପତି ପୁଟିନ ଏହି ସମୟରେ ନିଜର ନିବାସରେ ଥିଲେ କି ନାହିଁ।
ଉଲ୍ଲେଖନୀୟ ଯେ, ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଫେବ୍ରୁଆରୀ ୨୦୨୨ରେ ଆରମ୍ଭ ହୋଇଥିଲା,ଯେବେ ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଉପରେ ବଡ଼ ଆକ୍ରମଣର ଘୋଷଣା କରିଥିଲେ ଏବଂ ରୁଷୀୟ ସେନା ଅନେକ ଦିଗରୁ ୟୁକ୍ରେନରେ ପ୍ରବେଶ କରିଥିଲେ। ଏହି ସଂଘର୍ଷ ବାସ୍ତବରେ ୨୦୧୪ରୁ ଚାଲି ଆସୁଥିବା ଉତ୍ତେଜନାର ବିସ୍ତାର, ଯେବେ ରୁଷ୍ କ୍ରିମିଆ ଉପରେ କବଜା କରି ତାକୁ ନିଜ ସହ ମିଶାଇ ଦେଇଥିଲା ଏବଂ ଡୋନବାସ ଅଞ୍ଚଳରେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିଥିଲେ। ୨୦୨୨ର ଆକ୍ରମଣ ଏହାକୁ ୟୁରୋପର ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସବୁଠୁ ବଡ଼ ଯୁଦ୍ଧରେ ବଦଳାଇ ଦେଇଥିଲା , ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନର ବଡ଼ ଭାଗକୁ ରୁଷ୍ କବଜା କରିଥିଲା। ଡିସେମ୍ୱର ୨୦୨୫ ସୁଦ୍ଧା ଯୁଦ୍ଧ ଜାରି ରହିଛି। ରୁଷ୍ ୟୁକ୍ରେନର ପାଖାପାଖି ୨୦ ପ୍ରତିଶତ ଅଞ୍ଚଳ ଉପରେ ନିୟନ୍ତ୍ରଣ କରି ରଖିଛି।ଉଭୟ ପକ୍ଷର ଖୁବ୍ କ୍ଷତି ହୋଇଛି ଏବଂ ଶାନ୍ତି ବାର୍ତ୍ତା ଚାଲୁ ରହିଛି , କିନ୍ତୁ କୌଣସି ଶେଷ ଚୁକ୍ତି ହୋଇ ନାହିଁ।