ବେଜିଂ ୨୩/୦୨: ଚୀନ୍‌ର ବୈଜ୍ଞାନିକମାନେ କରୋନା ଭଳି ଆଉ ଏକ ଭୂତାଣୁ ଠାବ କରିଛନ୍ତି । ତାର ନାମ ହେଉଛି ଏଚ୍‌କେୟୁ୫-ସିଓଭି-୨। ଏହି  ଭାଇରସ୍‌ରେ ମଧ୍ୟ କୋଭିଡ୍‌-୧୯ ଲାଗି ଦାୟୀ ଭାଇରସ୍‌  ସାର୍ସ-ସିଓଭି-୨ ଭଳି ହୁମ୍ୟାନ୍‌ ରିସେପ୍ଟର ମିଳିଛି । 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ମୁତାବକ, ୱୁହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ଭାଇରୋଲୋଜିର ବୈଜ୍ଞାନିକ ଶି ଝେଙ୍ଗଲି ଏହି  ଭୂତାଣୁ ସଂପର୍କରେ ଅଧ୍ୟୟନ କରୁଥିବା ଟିମ୍‌ର ନେତୃତ୍ୱ  ନେଇଥିଲେ । ଟିମ୍‌ରେ ଗୁଆଙ୍ଗଝୌ ଲାବରେଟୋରୀ,  ଗୁଆଙ୍ଗଝୌ ସାଇନ୍ସ ଏକାଡେମୀ, ୱୁହାନ୍‌ ବିଶ୍ୱବିଦ୍ୟାଳୟ  ଓ ୱୁହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର  ବୈଜ୍ଞାନିକମାନେ ସାମିଲ ଥିଲେ । ଏହି ଅଧ୍ୟୟନ ଫେବ୍ରୁଆରୀ  ୧୮ ତାରିଖରେ ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା ।  

ଅଧ୍ୟୟନରୁ ଜଣାପଡିଛି ଯେ, ନୂଆ ଭାଇରସ୍‌ କରୋନା ଭଳି ମାନବ କୋଷିକାକୁ ସଂକ୍ରମିତ କରିଥାଏ । ଏହା  କେବଳ ବାଦୁଡ଼ି ନୁହେଁ, ମଣିଷ ସମେତ ଅନେକ ପଶୁଙ୍କ  ଉପରେ ବି ପ୍ରଭାବ ଦେଖାଇଥାଏ । ବାଦୁଡି଼ଙ୍କ ନିକଟରୁ  ଏହା ମଣିଷଙ୍କ ମଧ୍ୟରେ ବ୍ୟାପିବାର ଆଶଙ୍କା ବହୁତ  ଅଧିକ । ତେବେ ସାର୍ସ-ସିଓଭି-୨ ଭଳି ଏହା ମାନବ  କୋଷିକାରେ ସେତେ ସହଜରେ ପ୍ରବେଶ କରେନାହିଁ ।