ନୂଆଦିଲ୍ଲୀ ୩୦/୦୧ : ମ୍ୟାଁମାରରେ ଅନ୍ଲାଇନ୍ ଠକେଇ ସମେତ ଗମ୍ଭୀର ଅପରାଧରେ ଜଡ଼ିତ ମିଙ୍ଗ୍ ପରିବାର ଗ୍ୟାଙ୍ଗ୍ରେ ୧୧ ସଦସ୍ୟଙ୍କୁ ଚୀନ୍ ଫାଶୀ ଦେଇଛି । ଏମାନେ ହତ୍ୟା, ଅବୈଧ କବ୍ଜା ଓ ଠକେଇ ଭଳି ଗମ୍ଭୀର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମିଙ୍ଗ୍ ପରିବାର ଉତ୍ତର ମ୍ୟାଁମାର୍ର ୪ ବଡ଼ ଅପରାଧିକ ପରିବାର ମଧ୍ୟରେ ଅନ୍ୟତମ ଥିଲା । ଏମାନେ ଶତାଧିକ ସ୍କାମ୍ ସେଣ୍ଟର୍ ଚଳାଉଥିଲେ । ଏହିସବୁ ସେଣ୍ଟର୍ରେ ଇଣ୍ଟର୍ନେଟ୍ ଠକେଇ, ବେଶ୍ୟାବୃତ୍ତି ଓ ଡ୍ରଗ୍ସ ଉତ୍ପାଦନ ଭଳି ଅବୈଧ କାର୍ଯ୍ୟକଳାପ ହେଉଥିଲା । ସ୍କାମ୍ ସେଣ୍ଟର୍ରେ କାମ କରୁଥିବା ମଜୁରିଆଙ୍କୁ ଜବରଦସ୍ତି ରଖାଯାଉଥିଲା । ପଳାୟନ ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ହତ୍ୟା କରାଯାଉଥିଲା ।
ଆହୁରି ପଢନ୍ତୁ...ଚାର୍ଟର୍ଡ ବିମାନରେ ଟର୍ବୁଲେନ୍ସ ବେଶି, ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ
ଚୀନ୍ର କୋର୍ଟ ସେପ୍ଟେମ୍ବର ୨୦୨୩ରେ ମିଙ୍ଗ୍ ପରିବାରର ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଦୁଇଜଣ ଅଭିଯୁକ୍ତ ନିଷ୍ପତ୍ତି ବିରୋଧରେ ଅପିଲ କରିଥିଲେ, କିନ୍ତୁ ଚୀନ୍ର ସୁପ୍ରିମ୍ ପିପଲ୍ସ କୋର୍ଟ ନିମ୍ନ କୋର୍ଟର ନିଷ୍ପତ୍ତିକୁ ବଳବତ୍ତର ରଖି ଫାଶୀଦଣ୍ଡକୁ ମଞ୍ଜୁରି ଦେଲେ । ମିଙ୍ଗ୍ ପରିବାରର ନେଟ୍ୱର୍କ ମ୍ୟାଁମାର୍ର କୋକାଙ୍ଗ କ୍ଷେତ୍ରର କ୍ରାଉଚିଙ୍ଗ୍ ଟାଇଗର ଭିଲା ନାମକ ପରିସର ସହ ସଂଶ୍ଳିଷ୍ଟ ଥିଲା । କୋକାଙ୍ଗ୍ର ରାଜଧାନୀ ଲୌକ୍କାଇଙ୍ଗ୍କୁ ଅରବ ଡଲାର ସ୍କାମ୍ ଇଣ୍ଡଷ୍ଟ୍ରିର ମୁଖ୍ୟ କେନ୍ଦ୍ର କୁହାଯାଏ । ଚୀନ୍ ୨୦୨୩ରେ ଅନ୍ତର୍ଜାତୀୟ ଚାପ ଓ ଅଭିଯୋଗ ପରେ ଏହି ଅପରାଧ ସେଣ୍ଟର୍ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା । ନଭେମ୍ବରରେ ମିଙ୍ଗ୍ ପରିବାର ସଦସ୍ୟଙ୍କ ବିରୋଧରେ ଗିରଫ ୱାରେଣ୍ଟ୍ ଜାରି କଲା । ମିଙ୍ଗ୍ ପରିବାରର ମୁଖିଆ ମିଙ୍ଗ୍ ଶୁଏଛାଙ୍ଗ୍ଙ୍କର ପୁଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସରକାର କହିଲେ । ଫାଶୀ ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ସାକ୍ଷାତ ଅନୁମତି ଦିଆଗଲା । ଏହି ଗ୍ୟାଙ୍ଗ୍ ଏତେ କୁଖ୍ୟାତ ଯେ ସ୍କାମ୍ ଜରିଆରେ ପ୍ରତି ବର୍ଷ ଦକ୍ଷିଣ ପୂର୍ବ ଏସିଆରେ ପ୍ରାୟ ୪୩ ବିଲିଅନ ଡଲାର ଆୟ କରୁଥିଲା । ଆମେରିକୀୟ କଂଗ୍ରେସ ଦ୍ୱାରା ସ୍ଥାପିତ ୟୁନାଇଟେଡ୍ ଷ୍ଟେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପିସ୍ ଏହି ତଥ୍ୟ ଦେଇଛି ।