ନୂଆଦିଲ୍ଲୀ ୧୪/୦୧: ଚୀନ୍ର ଜଣେ ମହିଳା ‘ଲଭ୍ ଇନ୍ସୁରାନ୍ସ’ କିଣିଥିଲେ । ବୀମା ଦାବି କଲେ, ୧୦ ହଜାର ଗୋଲାପ ଫୁଲ କିମ୍ବା ନଗଦ ଟଙ୍କା ମିଳିବ ବୋଲି ତାଙ୍କୁ କୁହାଯାଇଥିଲା । ୧୦ ବର୍ଷ ପରେ ସେ ବିବାହ କରିଛନ୍ତି । ବିବାହ ପରେ ବୀମା ଦାବି କରିଛନ୍ତି ।
ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ମଧ୍ୟ ଚୀନ୍ର ଶାନସି ପ୍ରାନ୍ତର ଶିୟାନ ବାସିନ୍ଦା ୱୁ ନାମ୍ନୀ ମହିଳା ୨୦୧୬ରେ ୨୮ ଆମେରିକୀୟ ଡଲାର (୨୫୦୦ ଟଙ୍କା)ରେ ପ୍ରେମ ବୀମା ପଲିସି କରାଇଥିଲେ । ତାଙ୍କ ସ୍ୱାମୀ ୱାଙ୍ଗ୍ କହିଛନ୍ତି, ପତ୍ନୀ ଯେତେବେଳେ ଏହି ଇନ୍ସୁରାନ୍ସ ବିଷୟରେ ଜଣାଇଲେ, ସେ ଠକାମିର ଶିକାର ହୋଇଛନ୍ତି ବୋଲି ତାଙ୍କର ଧାରଣା ହେଲା । ୱୁ ପ୍ରେମ ବୀମା କରିବାର ୧୦ ବର୍ଷ ପରେ ବୀମା ଦାବି କଲେ । ୧୦ ହଜାର ଗୋଲାପ ଫୁଲ ବଦଳରେ ସେ ନଗଦ ରାଶି ବିକଳ୍ପ ଚୟନ କଲେ । ବୀମା ଦାବି ପରେ ସେ ୧,୪୦୦ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ପାଇଛନ୍ତି । ଦୀର୍ଘ ୧୦ ବର୍ଷର ସମ୍ପର୍କ ପରେ ୨୦୨୫ରେ ବିବାହ ପଞ୍ଜୀକୃତ କରିବା ପରେ ଦମ୍ପତି ବୀମା ଦେୟ ପାଇଛନ୍ତି ।
ସ୍କୁଲରେ ଅଧ୍ୟୟନ ସମୟରେ ଏହି ଦମ୍ପତିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ୨୦୧୫ରେ ଉଭୟ ଡେଟିଂ ଆରମ୍ଭ କଲେ । ୱାଙ୍ଗ୍ଙ୍କୁ ଉପହାର ଦେବା ଲାଗି ୱୁ ୨୦୧୬ରେ ‘ଲଭ୍ ଇନ୍ସୁରାନ୍ସ’ ପଲିସି କିଣିଥିଲେ । ଏହି ପଲିସିର ଷ୍ଟାଣ୍ଡାର୍ଡ ପ୍ରାଇସ୍ (ମାନକ ମୂଲ୍ୟ) ୨୯୯ ୟୁଆନ୍ (୪୨ ଆମେରିକୀୟ ଡଲାର) ଥିଲା । ଏହାକୁ ଚାଇନା ଲାଇଫ୍ ପ୍ରପର୍ଟି ଆଣ୍ଡ୍ କାଜୁଆଲଟି ଇନ୍ସୁରାନ୍ସ କମ୍ପାନି ଲିମିଟେଡ୍ ଦ୍ୱାରା ଜାରି କରାଯାଇଥିଲା । ଯଦି ବୀମାଧାରୀ ପଲିସି ପଞ୍ଜୀକୃତ କରିବାର ୩ୟ ବର୍ଷ ପରେ ୧୦ ବର୍ଷ ମଧ୍ୟରେ ଯେକୌଣସି ଦିନ ନିଜ ସାଥୀଙ୍କୁ ବିବାହ କରନ୍ତି, ତେବେ ସେ ୧୦ ହଜାର ଗୋଲାପ କିମ୍ବା ୦.୫ କ୍ୟାରେଟ୍ର ହୃଦୟ ଆକାରଯୁକ୍ତ ହୀରା ମୁଦି ପାଇବା ପାଇଁ ଯୋଗ୍ୟ ହେବେ । ନଚେତ୍ ତାଙ୍କୁ ନଗଦ ରାଶି ମଧ୍ୟ ମିଳିପାରେ ।