ରାଜକନିକା ୦୬/୦୭ (ସୁକାନ୍ତ ଦାଶ ): ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗାଁରେ ଆତଙ୍କ ଖେଳାଇଲେ ଯୁବକ। ମାମୁ ଘରକୁ ଆସିଥିବା ଭଣଜାର ଡାହାଣ ହାତକୁ ଭୁଜାଲିରେ ହାଣି ଅଲଗା କରିଦେଲେ । ହାତରୁ ଛିଡ଼ି ତଳେ ପଡିଲା ପାପୁଲି। ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ତେବେ ଯୁବକ ଜଣଙ୍କ କେଉଁ କାରଣରୁ ଆକ୍ରମଣ କଲେ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଜା ଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି।

ଘଟଣା ମୁତାବକ,  ସୋମବାର ସକାଳେ ନୂଆ ଅରସା ଗାଁର ଗାଲେଖ ଥାଟୋଇଙ୍କ ପୁଅ ସୌରଭ ଥାଟୋଇ( ୨୧)  ତାର ମାମୁ ଘର ବରୁଣାଡିହା ଯାଇଥିଲା। ମାମୁ ଘର ପାଖରେ ବୁଲୁଥିବା ବେଳେ ସେହି ଗାଁର ବାପୁନା ନାୟକ (୩୫) ନାମକ ଜଣେ ଯୁବକ ତାକୁ ଅତର୍କିତ ଭାବରେ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରୁ ବଞ୍ଚିବା ପାଇଁ ସୌରଭ ଡାହାଣ ହାତ ଦେଖାଇ ଦେବାରୁ ହାତର ମଣିବନ୍ଧ ପାଖରୁ କଟି ହାତ ଓ ପାପୁଲି ଅଲଗା ହୋଇଯାଇଛି। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୌରଭକୁ ଗାଁ ଲୋକେ ଉଦ୍ଧାର କରି ରାଜକନିକା ମେଡିକାଲ ଅଣାଯିବା ପରେ ତାର ଅବସ୍ଥା ଗୁରୁତର ଥିବାରୁ ସୌରଭକୁ କଟକ ପଠାଯାଇଛି। ପୁଲିସ ବରୁଣାଡିହା ଯାଇ ହାଣିଥିବା ଯୁବକକୁ ଖୋଜିବାରେ ଲାଗିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ପାଲଟିଛି।