ନୂଆଦିଲ୍ଲୀ, ୨।୬: ବ୍ରେକଅପ୍ ପରେ ପ୍ରେମିକ ବା ପ୍ରେମିକାକୁ ଭୁଲିଯିବା ଏକ କଷ୍ଟକର ପ୍ରକ୍ରିୟା । କିନ୍ତୁ ଆଧୁନିକ ଯୁଗର ଟେକ୍ନୋଲୋଜି ଏହି ବିଚ୍ଛେଦର ସଂଜ୍ଞାକୁ ବଦଳାଇ ଦେଇଛି । ଚୀନରେ ଏବେ ଏକ ଅଦ୍ଭୁତ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି, ଯେଉଁଠାରେ ଯୁବପିଢ଼ି ବ୍ରେକଅପ୍ର ଦୁଃଖରୁ ମୁକ୍ତି ପାଇବା ପାଇଁ ପୁରୁଣା ସାଥୀକୁ ଭୁଲିବା ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ସେମାନଙ୍କର ଏକ 'ଡିଜିଟାଲ୍ ଅବତାର' ତିଆରି କରୁଛନ୍ତି । ଏହି AI ଟୁଲ୍ ସାହାଯ୍ୟରେ ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ସାଥୀଙ୍କ କଥାବାର୍ତ୍ତା ଶୈଳୀ, ସ୍ୱର ଏବଂ ଆବେଗକୁ ନକଲ କରୁଥିବା ଏକ ଭର୍ଚୁଆଲ୍ ବ୍ୟକ୍ତିତ୍ୱ ଗଢ଼ୁଛନ୍ତି । ଏହା ଏତେ ବାସ୍ତବବାଦୀ ଯେ ବ୍ରେକଅପ୍ ପରେ ମଧ୍ୟ ଲୋକମାନେ ନିଜର ସେହି ପୁରୁଣା ସାଥୀ ସହ ଭର୍ଚୁଆଲ୍ ଦୁନିଆରେ କଥା ହୋଇପାରୁଛନ୍ତି ଏବଂ ସମ୍ପର୍କର ସେହି ସ୍ମୃତିକୁ ପୁଣି ଥରେ ଅନୁଭବ କରୁଛନ୍ତି ।
କେମିତି କାମ କରୁଛି ଏହି ଟେକ୍ନୋଲୋଜି ?
ଏହି ପ୍ରକ୍ରିୟା ପାଇଁ ଯୁବକଯୁବତୀମାନେ 'Ex-partner.skill' ନାମକ ଏକ AI ଟୁଲ୍ର ବ୍ୟବହାର କରୁଛନ୍ତି । ଏଥିରେ ସେମାନେ ପୁରୁଣା ସାଥୀଙ୍କ ସହ ହୋଇଥିବା ଚାଟ୍ ହିଷ୍ଟ୍ରି, ସୋସିଆଲ୍ ମିଡିଆ ପୋଷ୍ଟ, ଫଟୋ ଏବଂ ଭଏସ୍ ରେକର୍ଡିଂ ଅପଲୋଡ୍ କରୁଛନ୍ତି । ଏଥିରେ ସାଥୀଙ୍କ ଅଭ୍ୟାସ, ଝଗଡ଼ାର କାରଣ ଏବଂ ପସନ୍ଦ-ଅପସନ୍ଦ ଭଳି ତଥ୍ୟ ଯୋଡ଼ାଯାଉଛି । ଫଳରେ AI ଅବତାରଟି ଠିକ୍ ସେହି ବ୍ୟକ୍ତିଙ୍କ ଭଳି କଥା ହେଉଛି, ଯାହା ଉପଭୋକ୍ତାଙ୍କୁ ଏକ ମାୟାଜାଲରେ ବାନ୍ଧି ରଖୁଛି ।
ଏହି ଟ୍ରେଣ୍ଡର ମୂଳ ଶାଙ୍ଘାଇର ଜୋ ତିଆନୟୀଙ୍କ ଦ୍ୱାରା ନିର୍ମିତ ଏକ ଓପନ୍ ସୋର୍ସ ପ୍ରୋଜେକ୍ଟ 'Colleague.skill' ରୁ ଆରମ୍ଭ ହୋଇଥିଲା । ପ୍ରଥମେ ଏହା ଅଫିସର କାର୍ଯ୍ୟ ଏବଂ ସହକର୍ମୀଙ୍କ ସହ କଥାବାର୍ତ୍ତାକୁ ସହଜ କରିବା ପାଇଁ ତିଆରି ହୋଇଥିଲା । କିନ୍ତୁ, ପରବର୍ତ୍ତୀ ସମୟରେ ଲୋକେ ଏହାକୁ ବ୍ୟକ୍ତିଗତ ସମ୍ପର୍କ ପାଇଁ ବ୍ୟବହାର କରିବା ଆରମ୍ଭ କଲେ । କିଛି ଲୋକ ଏଲନ୍ ମସ୍କ ଏବଂ ଷ୍ଟିଭ୍ ଜବ୍ସଙ୍କ ଭଳି ବ୍ୟକ୍ତିତ୍ୱଙ୍କ AI ଅବତାର ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ଏହି ଧାରାକୁ ନେଇ ସମାଜରେ ଦୁଇ ପ୍ରକାର ମତ ପ୍ରକାଶ ପାଇଛି:
ସମର୍ଥକଙ୍କ ମତ: ସେମାନଙ୍କ କହିବା କଥା, ଯେଉଁମାନେ ହଠାତ୍ ବ୍ରେକଅପ୍ ଯୋଗୁଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି, ସେମାନଙ୍କ ପାଇଁ ଏହା ଏକ 'ଇମୋସନାଲ୍ ସପୋର୍ଟ' ଭଳି କାମ କରୁଛି । ଯେଉଁ କଥା ସେମାନେ ସାଥୀଙ୍କୁ କହିପାରି ନଥିଲେ, ତାହା ଏହି AI ମାଧ୍ୟମରେ କହି ଶାନ୍ତି ପାଉଛନ୍ତି ।
ବିରୋଧୀଙ୍କ ମତ: ମନୋବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହା ଦ୍ୱାରା ଲୋକେ ବାସ୍ତବ ଦୁନିଆରୁ ଦୂରେଇ ଯାଇ ଏକ କୃତ୍ରିମ ଦୁନିଆରେ ବଞ୍ଚିବା ଆରମ୍ଭ କରିବେ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଗୋପନୀୟତା ଓ ଆଇନଗତ ବିପଦ:
ଏହି ଟ୍ରେଣ୍ଡ ଯେତିକି ରୋମାଞ୍ଚକର, ସେତିକି ବିପଜ୍ଜନକ ମଧ୍ୟ । କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ଚାଟ୍, ଫଟୋ ଏବଂ ଡାଟା ବ୍ୟବହାର କରି ତାଙ୍କର ଏକ କ୍ଲୋନ୍ ତିଆରି କରିବା ଆଇନଗତ ଅପରାଧ ହୋଇପାରେ । ଗୁଆଙ୍ଗଡୋଙ୍ଗର ଜଣେ ବରିଷ୍ଠ ଓକିଲଙ୍କ କହିବା ଅନୁଯାୟୀ, ଏହା 'ବ୍ୟକ୍ତିଗତ ସୂଚନା ସଂରକ୍ଷଣ ଆଇନ'ର ଉଲ୍ଲଂଘନ । ଟେକ୍ନୋଲୋଜି କିଭଳି ଭାବେ ମଣିଷର ଆବେଗକୁ ନିୟନ୍ତ୍ରଣ କରୁଛି, ଏହି ଟ୍ରେଣ୍ଡ୍ ତାର ଏକ ବଡ଼ ଉଦାହରଣ । AI ହୁଏତ ସ୍ମୃତିକୁ ଜୀବନ୍ତ ରଖିପାରେ, କିନ୍ତୁ ଏହା କେବେବି ଜଣେ ପ୍ରକୃତ ମଣିଷର ସ୍ଥାନ ନେଇପାରିବ ନାହିଁ ।
ଆହୁରି ପଢ଼ନ୍ତୁ... ୟୁରୋପ ମାଟିରେ ଆମେରିକାର ଶକ୍ତିଶାଳୀ ସାମରିକ ଘାଟି: ଜର୍ମାନୀରେ କାହିଁକି ଡେରା ପକାଇଛି US ସେନା ?