ନୂଆଦିଲ୍ଲୀ, ୨।୫: ଜର୍ମାନୀ ମାଟିରେ ଆମେରିକାର ସାମରିକ ଉପସ୍ଥିତିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ପେଣ୍ଟାଗନ ପକ୍ଷରୁ ଜର୍ମାନୀରୁ ପ୍ରାୟ ୫,୦୦୦ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୬ ରୁ ୧୨ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଜର୍ମାନୀ ଭଳି ଏକ ଶକ୍ତିଶାଳୀ ୟୁରୋପୀୟ ଦେଶରେ ଆମେରିକାର ଏତେ ବଡ଼ ସୈନ୍ୟବାହିନୀ ରହିବାର ରହସ୍ୟ କ’ଣ ? ଜର୍ମାନୀରେ ଆମେରିକୀୟ ସୈନ୍ୟଙ୍କ ମୁତୟନ ଆଜିର ନୁହେଁ, ବରଂ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଆରମ୍ଭ ହୋଇଥିଲା । ୧୯୪୫ ମସିହାରେ ନାଜି ଜର୍ମାନୀର ପରାଜୟ ପରେ ଆମେରିକା ଏଠାରେ ନିଜର ସାମରିକ ଘାଟି ସ୍ଥାପନ କରିଥିଲା । ସେହି ସମୟରେ ପ୍ରାୟ ୧୬ ଲକ୍ଷ ଆମେରିକୀୟ ସୈନ୍ୟ ଜର୍ମାନୀରେ ଥିଲେ, ଯାହାଙ୍କର ମୁଖ୍ୟ କାମ ଥିଲା ଯୁଦ୍ଧ ପରବର୍ତ୍ତୀ ଜର୍ମାନୀର ପ୍ରଶାସନିକ ବ୍ୟବସ୍ଥାକୁ ସମ୍ଭାଳିବା ।

ଶୀତଳ ଯୁଦ୍ଧ ଏବଂ ନାଟୋର ଭୂମିକା:

ସମୟ ବଦଳିବା ସହ ଆମେରିକାର ରଣନୀତି ମଧ୍ୟ ବଦଳିଲା । ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍ ସଂଘର ବିସ୍ତାରବାଦୀ ନୀତିକୁ ରୋକିବା ପାଇଁ ଜର୍ମାନୀକୁ ଏକ ଢାଲ ଭାବେ ବ୍ୟବହାର କଲା ଆମେରିକା । ୧୯୪୯ରେ ନାଟୋ ଗଠନ ହେବା ପରେ ଏହି ସାମରିକ ଘାଟିଗୁଡ଼ିକ ସ୍ଥାୟୀ ରୂପ ନେଲା । ୧୯୬୦ ରୁ ୧୯୮୦ ମସିହା ମଧ୍ୟରେ ଜର୍ମାନୀରେ ଆମେରିକାର ପ୍ରାୟ ୫୦ଟି ବଡ଼ ଏବଂ ୮୦୦ରୁ ଅଧିକ ଛୋଟ ସାମରିକ ଠିକଣା ରହିଥିଲା । ବର୍ତ୍ତମାନ ସମଗ୍ର ୟୁରୋପରେ ଆମେରିକାର ପ୍ରାୟ ୬୮,୦୦୦ ସୈନ୍ୟ ମୁତୟନ ଅଛନ୍ତି, ଯାହା ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୩୬,୪୦୦ ସୈନ୍ୟ କେବଳ ଜର୍ମାନୀରେ ରହିଛନ୍ତି ।

ରାମଷ୍ଟାଇନ୍ ଏୟାର ବେସ୍: ଏହା ଆମେରିକା ବାହାରେ ଥିବା ସବୁଠାରୁ ବଡ଼ ଏୟାରବେସ୍, ଯେଉଁଠାରେ ୮,୫୦୦ ବାୟୁସେନା କର୍ମଚାରୀ କାର୍ଯ୍ୟ କରନ୍ତି ।

ଷ୍ଟୁଟଗାର୍ଟ ହେଡକ୍ୱାର୍ଟର: ଏଠାରେ ଆମେରିକାର ‘ୟୁରୋପ ଏବଂ ଆଫ୍ରିକା କମାଣ୍ଡ ସେଣ୍ଟର’ ଅବସ୍ଥିତ

ଜର୍ମାନୀର ପ୍ରାୟ ୨୦ରୁ ୪୦ଟି ଭିନ୍ନ ଭିନ୍ନ ସ୍ଥାନରେ ଆମେରିକୀୟ ସୈନ୍ୟ ସଜାଗ ରହିଛନ୍ତି

ଜର୍ମାନୀ କାହିଁକି ଆମେରିକା ପାଇଁ ଏତେ ଜରୁରୀ ?

ଜର୍ମାନୀରେ ଥିବା ଏହି ବେସ୍‌ଗୁଡ଼ିକ କେବଳ ୟୁରୋପର ସୁରକ୍ଷା ପାଇଁ ନୁହେଁ, ବରଂ ବିଶ୍ୱର ଅନ୍ୟ ପ୍ରାନ୍ତରେ ଆମେରିକାର ସାମରିକ ଅପରେସନ ପାଇଁ ଏକ ‘ଲଜିଷ୍ଟିକ୍ ହବ୍’ ଭାବେ କାମ କରେ । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ସମୟରେ ଜର୍ମାନୀରୁ ହିଁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା । ଯୁଦ୍ଧ କ୍ଷେତ୍ରରେ ଆହତ ହେଉଥିବା ଆମେରିକୀୟ ସୈନ୍ୟମାନଙ୍କୁ ଜର୍ମାନୀରେ ଥିବା ଆଧୁନିକ ସାମରିକ ଡାକ୍ତରଖାନାକୁ ଅଣାଯାଇଥାଏ । ରୁଷିଆର କୌଣସି ବି ଆକ୍ରମଣାତ୍ମକ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଜର୍ମାନୀ ହେଉଛି ଆମେରିକାର ମୁଖ୍ୟ କେନ୍ଦ୍ର ।

ସୈନ୍ୟ ପ୍ରତ୍ୟାହାରର ପ୍ରଭାବ:

ଯଦିଓ ବିଭିନ୍ନ ସମୟରେ ଆମେରିକା ଜର୍ମାନୀରୁ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ଚେଷ୍ଟା କରିଛି, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ନାଟୋର ଶକ୍ତିକୁ ଦୁର୍ବଳ କରିପାରେ। ସୈନ୍ୟ ସଂଖ୍ୟା କମିଲେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇପାରେ, ଯାହାର ଫାଇଦା ରୁଷିଆ ଭଳି ଦେଶ ଉଠାଇ ପାରନ୍ତି । ପେଣ୍ଟାଗନର ଏହି ନୂତନ ନିଷ୍ପତ୍ତି ଆଗାମୀ ଦିନରେ ବିଶ୍ୱ ରାଜନୀତି ଏବଂ ଆମେରିକା-ଜର୍ମାନୀ ସମ୍ପର୍କରେ କି ରୂପ ନେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଆହୁରି ପଢ଼ନ୍ତୁ.. ​​​​​​​Donald Trump: ଟ୍ରମ୍ପଙ୍କ ବଡ଼ ପଦକ୍ଷେପ; ଜର୍ମାନୀରୁ ୫୦୦୦ ସୈନିକ ଫେରାଇ ଆଣିବ ଆମେରିକା, ନାଟୋ ମିତ୍ରଙ୍କ ମଧ୍ୟରେ ବଢ଼ିଲା ତିକ୍ତତା !