ନୂଆଦିଲ୍ଲୀ, ୯।୧: ଟେକ୍ନୋଲୋଜି ଜଗତରେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ରହିଛି ଚୀନ୍ । ସାଇବର ଆକ୍ରମଣରେ ଏବେ ଚୀନ୍ ଟାର୍ଗେଟ ରହିଛି ତାଇୱାନ । ତାଇୱାନ ଉପରେ ହୋଇଥିବା ସାଇବର ଆଟାକର ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଚୀନ୍ ଦୈନିକ ତାଇୱାନ ଉପରେ ହାରାହାରି ୨୬ ଲକ୍ଷ ସାଇବର ଆକ୍ରମଣ କରିଥିଲା । ଏହା ୨୦୨୩ ତୁଳନାରେ ୧୧୩ ପ୍ରତିଶତ ଅଧିକ । ଚୀନ୍ ତାଇୱାନ ଉପରେ ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍-ଅଫ୍-ସର୍ଭିସ୍ (DDoS) ଆଟାକ କରୁଛି । DDoS ଆଟାକ କ’ଣ ? ଗୋଟିଏ ଦେଶ ଉପରେ DDoS ଆଟାକ କ’ଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା ।

ରିପୋର୍ଟ ଅନୁଯାୟୀ, ତାଇୱାନ ଉପରେ ଯେଉଁ ସାଇବର ଆକ୍ରମଣ ହେଉଛି, ଏହି ଆକ୍ରମଣ ଚୀନ ନିଜ ସାମରିକ ଅଭ୍ୟାସ ସହିତ ସଂଯୁକ୍ତ ଭାବେ କରୁଥିବା ତାଇୱାନ ଅଭିଯୋଗ କରିଛି । ଗତ କିଛି ବର୍ଷ ଧରି ଚୀନ "ହାଇବ୍ରିଡ୍ ଯୁଦ୍ଧ" ସହିତ ତାଇୱାନକୁ ଟାର୍ଗେଟ୍ କରିଆସୁଛି । ୨୦୧୩ ତୁଳନାରେ ସାଇବର ଆକ୍ରମଣ ୧୧୩ ପ୍ରତିଶତ ବୃଦ୍ଧି ପାଇଛି । ତାଇୱାନର ଜରୁରୀକାଳୀନ ସେବା ଏବଂ ହସ୍ପିଟାଲଗୁଡ଼ିକୁ ସର୍ବାଧିକ ଟାର୍ଗେଟ୍ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ସାଇବର ଆକ୍ରମଣ ମାଧ୍ୟମରେ ତାଇୱାନକୁ ପ୍ରଯୁକ୍ତିବିଦ୍ୟା ଭାବରେ ବିପର୍ଯ୍ୟସ୍ତ କରିବାକୁ ଯୋଜନା କରୁଛି । ରିପୋର୍ଟ ଅନୁଯାୟୀ, ଚୀନ୍ ଏକ ସାଇବର ସେନା ସୃଷ୍ଟି କରିଛି ଯାହା ଏହାର ସେନା ଏବଂ ସରକାରଙ୍କ ସହଯୋଗରେ କାମ କରେ । ରିପୋର୍ଟରେ କୁହାଯାଇଛି ଯେ, ଯେତେବେଳେ ବି ଚୀନ୍ ତାଇୱାନ ପାଖରେ ତାର ସାମରିକ ବିମାନ ମୁତୟନ କରିଛି, ତାଇୱାନ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଛି ।

DDoS ଆକ୍ରମଣ କ’ଣ ?

DDoSର ଅର୍ଥ ‘ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍ ଅଫ୍ ସର୍ଭିସ୍ ଆଟାକ୍’ । ଏହା ଏକ ପ୍ରକାରର ସାଇବର ଆଟାକ୍, ଯେଉଁଥିରେ ହ୍ୟାକର୍ସମାନେ ସେମାନଙ୍କର ବଟ୍ କିମ୍ବା ବହୁ ସଂଖ୍ୟକ କମ୍ପ୍ୟୁଟର ବ୍ୟବହାର କରି କୌଣସି ଏକ ୱେବସାଇଟ୍ ଟାର୍ଗେଟ୍ କରନ୍ତି । ଏହି ୱେବସାଇଟ୍ଟି କୌଣସି ଏକ ହସ୍ପିଟାଲ, ସରକାରୀ ବିଭାଗ କିମ୍ବା ଅନ୍ୟ କୌଣସି ସଂସ୍ଥା ସହିତ ଜଡ଼ିତ ହୋଇପାରେ । ହଠାତ୍ କୌଣସି ୱେବସାଇଟ୍ରେରେ ଲୋଡ୍ ଅଧିକ ହେଲେ ଏହାକୁ ପରିଚାଳନା କରିବା ସମ୍ଭବ ହୋଇନଥାଏ, ଫଳରେ ସାଧାରଣ ଲୋକ ଏହାକୁ ଆକ୍ସେସ୍ କରିପାରିବେ ନାହିଁ । DDoS ଏକ ୱେବସାଇଟର କାର୍ଯ୍ୟକୁ ବାଧା ଦେଇ ଏହାର ସେବାଗୁଡ଼ିକୁ ପ୍ରତିରୋଧ କରିବାକୁ ଚେଷ୍ଟା କରେ । ସାଧାରଣ ଲୋକଙ୍କ କାମରେ ଅସୁବିଧା ସୃଷ୍ଟି କରିବା ପାଇଁ କରିବା ଲାଗି DDoSର ବ୍ୟବହାର କରାଯାଏ । DDoS ଆଟାକ୍ ବ୍ୟତୀତ, ଚୀନ୍ ତାଇୱାନକୁ ମେନ୍ ଇନ୍-ଦ-ମିଡିଲ ଆଟାକରେ ମଧ୍ୟ ଟାର୍ଗେଟ୍ କରୁଛି । ଏହା ମଧ୍ୟ ଏକ ପ୍ରକାରର ସାଇବର ଆକ୍ରମଣ । ଏହି ଆକ୍ରମଣରେ, ଜଣେ ସାଇବର ଅପରାଧୀ ଏକ ୱେବସାଇଟରେ ଦୁଇଜଣ ଲୋକଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତାକୁ ଶୁଣେ ଏବଂ ସେମାନଙ୍କଠାରୁ ତଥ୍ୟ ହାସଲ କରେ । ଏହା ମାଧ୍ୟମରେ ସାଇବର ଆଟାକରମାନେ ବ୍ୟକ୍ତିଗତ ସୂଚନା ଚୋରି କରିବାକୁ ଚେଷ୍ଟା କରନ୍ତି ।