ନୂଆଦିଲ୍ଲୀ ୨୧/୧୨: ଚୀନ୍ ଶେଂଡୋଙ୍ଗ୍ ପ୍ରାନ୍ତର ୟାଂତାଇ ଜିଲ୍ଲାର ଲାଇଝୋଉ ସହର ଉପକୂଳ ନିକଟରେ ସମୁଦ୍ର ତଳେ ସୁନାର ଏକ ବିଶାଳ ଭଣ୍ଡାର ପାଇଥିବା ଦାବି କରିଛି । ଏହାକୁ ଏସିଆର ଏପର୍ଯ୍ୟନ୍ତର ସବୁଠୁ ବଡ଼ ସାମୁଦ୍ରିକ ସ୍ୱର୍ଣ୍ଣ ଭଣ୍ଡାର କୁହାଯାଉଛି । ଚୀନ୍‌ର ସରକାରୀ ଗଣମାଧ୍ୟମ ଅନୁସାରେ, ଏ ଅଞ୍ଚଳରେ ପ୍ରାୟ ୩,୯୦୦ ଟନ୍ ସୁନା ଗଚ୍ଛିତ ଥିବାର ସମ୍ଭାବନା ଅଛି । ଏହି ମାତ୍ରା ଚୀନ୍‌ର ମୋଟ୍ ନ୍ୟାସ୍‌ନାଲ ଗୋଲ୍ଡ ରିଜର୍ଭର ହାରାହାରି ୨୬ ପ୍ରତିଶତ ହୋଇପାରେ । କିନ୍ତୁ ଅଦ୍ୟାବଧି ସମୁଦ୍ର ତଳେ ମିଳିଥିବା ସୁନାର ପ୍ରକୃତ ପରିମାଣ ଓ ମୂଲ୍ୟକୁ ନେଇ ଔପଚାରିକ ସୂଚନା ଦିଆଯାଇ ନାହିଁ ।

ୟାଂତାଇ ନଗର ପ୍ରଶାସନ ଅନୁସାରେ, ଏହି ଆବିଷ୍କାର ପରେ ଲାଇଝୋଉ ସହର ସୁନା ଭଣ୍ଡାର ଓ ଉତ୍ପାଦନ, ଉଭୟ ମାମଲାରେ ଚୀନ୍ରେ ସବୁଠୁ ଆଗକୁ ଆସିଛି । ଅଧିକାରୀଙ୍କ ଅନୁସାରେ, ଏହି ଆବିଷ୍କାର ଦେଶର ଅର୍ଥବ୍ୟବସ୍ଥା ଓ ଖଣି ଇଣ୍ଡଷ୍ଟ୍ରି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଉଛି । ଏହା ପୂର୍ବରୁ ନଭେମ୍ବର ମାସରେ ମଧ୍ୟ ଚୀନ୍ ନିଜର ପୂର୍ବୋତ୍ତର ପ୍ରାନ୍ତ ଲିୟାଓନିଙ୍ଗ୍‌ରେ ହାରାହାରି ୧,୪୪୪ ଟନ୍ ସୁନାର ଭଣ୍ଡାର ଆବିଷ୍କାର କରିଥିଲା । ବାରମ୍ବାର ଏଭଳି ଆବିଷ୍କାରରୁ ସ୍ପଷ୍ଟ ହେଉଛି ଯେ ଚୀନ୍ ନିଜର ଖଣିଜ ସମ୍ପଦକୁ ନେଇ ବ୍ୟାପକ ସ୍ତରରେ କାମ କରୁଛି ।

ଚୀନ୍‌କୁ ବିଶ୍ୱର ସବୁଠୁ ବଡ଼ ସୁନା ଉତ୍ପାଦକ ଦେଶ କୁହାଯାଏ । ଏଠାରେ ପ୍ରତି ବର୍ଷ ପ୍ରାୟ ୩୭୭ ଟନ୍ ସୁନା ଉତ୍ପାଦନ ହୁଏ । ତେବେ, ମୋଟ୍ ସୁନା ଭଣ୍ଡାର ମାମଲାରେ ଚୀନ୍ ଏବେ ବି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଭଳି ଦେଶଠୁ ପଛରେ ଅଛି ।