ନୂଆଦିଲ୍ଲୀ ୨୮/୦୫: ଚୀନ୍ର ଏଆଇ ରେସ୍ ଏବେ କେବଳ ନିଜକୁ ଅନ୍ୟ ଦେଶଠୁ ଆଗରେ ରଖିବା ମଧ୍ୟରେ ସୀମିତ ହୋଇ ନାହିଁ । ଏଆଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଏହା ହାତ ମୁଠାରେ ରଖୁଛି । ମେଟାକୁ ମନୁସ ଏଆଇ କିଣିବାରୁ ରୋକିବା ପରେ ଚୀନ୍ ଏବେ ଦେଶର ଶୀର୍ଷ ଏଆଇ ପ୍ରତିଭାଙ୍କ ଉପରେ ନିଜ ଦବ୍ଦବାକୁ ମଜଭୁତ କରୁଛି । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ବ୍ଲୁମ୍ବର୍ଗର ରିପୋର୍ଟ ଅନୁସାରେ, ଚୀନ୍ର ସରକାରୀ କର୍ତ୍ତୃପକ୍ଷ ଏବେ ଅଲିବାବା ଗ୍ରୁପ୍ ଓ ଡିପ୍ସିକ୍ ଭଳି ଘରୋଇ କମ୍ପାନିରେ କାମ କରୁଥିବା ଜଣାଶୁଣା ଏଆଇ କର୍ମଚାରୀଙ୍କୁ ବିଦେଶ ଯାତ୍ରାରେ ଯିବାରୁ ଅଟକାଉଛନ୍ତି ।
ରିପୋର୍ଟ ଅନୁସାରେ, ସରକାରୀ ଏଜେନ୍ସିମାନେ ଉନ୍ନତ ଏଆଇ ଅଧ୍ୟୟନ ଓ ବିକାଶରେ ସାମିଲ ବିଶେଷଜ୍ଞଙ୍କ ଯାତ୍ରାରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଏମାନଙ୍କୁ ବିଦେଶ ଯିବା ପୂର୍ବରୁ ସରକାରୀ ଅଧିକାରୀଙ୍କଠୁ ଅନୁମତି ନେବାକୁ ପଡ଼ିବ । ଏହା ପୂର୍ବରୁ ମଧ୍ୟ ଚୀନ୍ରେ କିଛି ଏଆଇ ଇଞ୍ଜିନିୟରଙ୍କୁ ବିଦେଶ ଯିବା ପୂର୍ବରୁ ନିଜର ଯୋଜନା ବିଷୟରେ ସରକାରୀ ଅଧିକାରୀଙ୍କୁ ସୂଚନା ଦେବାକୁ ପଡ଼ିଥିଲା । କିନ୍ତୁ ଏଣିକି ଏଆଇ ବିଶେଷଜ୍ଞଙ୍କ ଯାତ୍ରା ଉପରେ କଟକଣା କରି ସେମାନଙ୍କୁ ଅଧିକ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଛି । ଖାସ୍କଥା ହେଉଛି ଏହି କଟକଣା କେବଳ ବରିଷ୍ଠ କିମ୍ବା କମ୍ପାନିରେ ପଦ ଆଧାରରେ ଲାଗୁ ହେଉନାହିଁ । ରିପୋର୍ଟ ଅନୁସାରେ, ଦେଶର ଟେକ୍ନୋଲୋଜି ରେସ୍ରେ ସବୁଠୁ ଶକ୍ତିଶାଳୀ ବିବେଚିତ ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି । ସରଳ ଭାଷାରେ କହିଲେ, ଗୁରୁତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ଏଆଇ ପ୍ରୋଜେକ୍ଟ ଉପରେ କାମ କରୁଥିବା ଅଧ୍ୟୟନକର୍ତ୍ତା ମଧ୍ୟ ଏବେ ସରକାରଙ୍କ ନଜରକୁ ଆସିପାରନ୍ତି ।
ଆହୁରି ପଢ଼ନ୍ତୁ...Trump buffalo : ପ୍ରସିଦ୍ଧି ଯୋଗୁ ବଞ୍ଚିଗଲା ‘ଟ୍ରମ୍ପ୍’ ମଇଁଷି, ବଳି ନପଡ଼ି ଗଲା ଚିଡ଼ିଆଖାନା