ଢାକା, ୨୮/୦୫ : ବାଂଲାଦେଶର ‘ଟ୍ରମ୍ପ୍‌’ ମଇଁଷିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ଦେଖିବାକୁ ଏହା ଅନ୍ୟ ସାଧାରଣ ମଇଁଷିଙ୍କ ଭଳି ନୁହେଁ । ଏକଦମ୍‌ ନିଆରା ଓ ବିରଳ । ଏହାର ରଙ୍ଗ ଭିନ୍ନ । ମୁଣ୍ଡରେ ସୁନେଲି ରଙ୍ଗର ଚୁଟି । ଏହା କାଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ଦିଶୁଛି । ଟ୍ରମ୍ପ୍‌ଙ୍କ ଚେହେରା ସହ ମିଶୁଥିବାରୁ ମୂଳ ମାଲିକ ଏହାର ନାମ ‘ଡୋନାଲ୍ଡ ଟ୍ରମ୍ପ୍‌’ ରଖିଥିଲେ । ବାଂଲା ଗଣମାଧ୍ୟମରେ ଏହି ମଇଁଷିକୁ ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ଦେଖିବାକୁ ଭିଡ଼ ଜମିଥିଲା । ଲୋକମାନେ ଏହା ପାଖକୁ ଆସି ସେଲ୍‌ଫି ନେଇଥିଲେ । ଏହା ଏତେ ଲୋକପ୍ରିୟ ହୋଇଗଲା ଯେ ଶେଷରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା । ଏହି ଅସ୍ୱାଭାବିକ ପ୍ରସିଦ୍ଧି ଆଜି ମଇଁଷିଟିର ଜୀବନ ବଞ୍ଚାଇ ଦେଇଛି । ବଳି ପାଇଁ ରଖାଯାଇଥିବା ଏହି ସ୍ୱତନ୍ତ୍ର ମଇଁଷିକୁ ବାଂଲାଦେଶର ଚିଡ଼ିଆଖାନାକୁ ପଠାଇ ଦିଆଯାଇଛି । 

‘ଇଦ୍‌ ଅଲ୍‌-ଆଧା’ରେ ବଳି ପକାଇବାକୁ ‘ଟ୍ରମ୍ପ୍‌’ ମଇଁଷିକୁ ରଖାଯାଇଥିଲା । ଏହାର ଓଜନ ପାଖାପାଖି ୭୦୦ କିଲୋଗ୍ରାମ । ମୂଳ ମାଲିକଠାରୁ ଏହାକୁ କ୍ରୟ ବି କରାଯାଇଥିଲା । କିନ୍ତୁ ବଳି ପଡ଼ିବାର ଦିନକ ପୂର୍ବରୁ ସରକାରୀ ଅଧିକାରୀ ଏହା ନିକଟରେ ପହଞ୍ଚିଥିଲେ । ଏହାକୁ ବଳି ପକାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଏହି ବିରଳ ଅଲ୍‌ବିନୋ ମଇଁଷି ‘ଡୋନାଲ୍ଡ ଟ୍ରମ୍ପ୍‌’କୁ ରାଜଧାନୀ ଢାକାସ୍ଥିତ ‘ବାଂଲାଦେଶ ନ୍ୟାସନାଲ ଜୁ’କୁ ପଠାଇ ଦିଆଯାଇଛି । ସେଠାରେ ଏହାକୁ ରଖାଯିବ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିବ । ଏହାର ସ୍ୱତନ୍ତ୍ର ଯତ୍ନ ନିଆଯିବ । ବାଂଲାଦେଶର ଗୃହ ମନ୍ତ୍ରଣାଳୟ ଏହି ଖବରକୁ ସ୍ପଷ୍ଟ କରିଛି।

ଏହି ଖବରଟିକୁ ପଢନ୍ତୁ- କର୍ଣ୍ଣାଟକରେ ଆଜି ନାହାନ୍ତି ରାଜ୍ୟପାଳ, କିପରି ଇସ୍ତଫା ଦେବେ ସିଏମ୍ ସିଦ୍ଦରମୈୟା ? ଜାଣନ୍ତୁ ନିୟମ
 
ଗୃହ ମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ ମଇଁଷିଟିକୁ କିଣିଥିବା ବ୍ୟକ୍ତିଙ୍କୁ ତାଙ୍କର ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁସାରେ, ମଇଁଷିଟିକୁ ଦୁଇ ସପ୍ତାହ କ୍ୱାରେଣ୍ଟାଇନରେ ରଖାଯିବ । ଏହାପରେ ଏହାକୁ ଲୋକମାନେ ଦେଖିପାରିବେ । ଏହା ପାଇଁ ସ୍ୱତନ୍ତ୍ର କେୟାରଟେକର ନିଯୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ, ଜିୟା ଉଦ୍ଦିନ ମ୍ରିଧା ନାମକ ୩୮ ବର୍ଷୀୟ ଚାଷୀ ଏହାକୁ ପାଳନ କରିଥିଲେ । ସେ ହିଁ ଏହାର ନାମ ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିଲେ । କିନ୍ତୁ ତାଙ୍କର ଏହି ମଇଁଷି ଏତେ ପ୍ରସିଦ୍ଧ ହୋଇଯିବା ନେଇ ସେ କଳ୍ପନା କରି ନ ଥିଲେ । ଏବେ ଏହି ମଇଁଷିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।