ନୂଆଦିଲ୍ଲୀ,୨୧/୧୧: ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ଓ ସେମାନଙ୍କ ସମସ୍ୟା ଲାଘବ କରିବା ମାନବିକତାକୁ ଦର୍ଶାଏ । କିନ୍ତୁ ସେଇ ଆଳରେ ଅନେକ ସମୟରେ ଲୋକେ ଠକାମିର ଶିକାର ହୁଅନ୍ତି । ଚୀନ୍‌ରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଅନ୍ୟ ଉପରୁ ଲୋକଙ୍କ ଭରସା ଉଠିଯିବ । ଲାନ୍‌ ନାମକ ୨୯ ବର୍ଷୀୟ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍‌ ଶେୟାର କଲେ । ସେଥିରେ ଦାବି କଲେ ଯେ ସେ କର୍କଟରେ ପୀଡ଼ିତ । ଚିକିତ୍ସା ଲାଗି ତାଙ୍କୁ ୯୦୦,୦୦୦ ୟୁଆନ ଅର୍ଥାତ୍‌ ହାରାହାରି ଦେଢ଼ କୋଟି ଟଙ୍କା ଆବଶ୍ୟକ । ଟଙ୍କା ଯୋଗାଡ଼ ହୋଇ ନ ପାରିଲେ ତାଙ୍କ ଜୀବନ ଚାଲିଯିବ । କିନ୍ତୁ ସେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି କହିଲେ । ଏଭଳି ଏକ ଭାବପ୍ରବଣ ପୋଷ୍ଟ୍‌ ଜରିଆରେ ସେ ଲୋକଙ୍କୁ ସାହାଯ୍ୟ ଲାଗି ଗୁହାରି କଲେ । ପୋଷ୍ଟ୍‌ଟି ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କଲା ।

ସହାନୁଭୂତି ସହିତ ତାଙ୍କୁ ଆର୍ଥିକ ସହାୟତା ମିଳିବା ଆରମ୍ଭ ହୋଇଗଲା । କିନ୍ତୁ କିଛି ଦିନ ପରେ ଲାନ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା । ଲାନ୍‌ ପୁଣି ଥରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ୍‌ ଶେୟାର କରି ସମସ୍ତଙ୍କୁ ଚକିତ କଲେ ।ନିଜ ଫ୍ଲାଟ୍‌ର ଫଟୋ ପୋଷ୍ଟ୍‌ କରି ଦାବି କଲେ, ଏହାକୁ ସେ ନିଜ ଟଙ୍କାରେ କିଣିଛନ୍ତି । ଏହି ପୋଷ୍ଟ୍‌ ତାଙ୍କ ଫଲୋଅର୍‌ଙ୍କୁ ଚକିତ କଲା, କାରଣ ଯେଉଁ ବ୍ୟକ୍ତି କିଛି ଦିନ ତଳେ ନିଜ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ଗୁହାରି କରୁଥିଲା, ସେ ହଠାତ୍‌ କୋଟି କୋଟି ଟଙ୍କାର ଫ୍ଲାଟ୍‌ କେମିତି କିଣିଲା? ଲୋକଙ୍କର ତାଙ୍କ ଉପରେ ସନ୍ଦେହ ହେଲା । ଲାନ୍‌ ଏକ ପାଣ୍ଠି ସଂଗ୍ରହକାରୀ ପ୍ଲାଟ୍‌ଫର୍ମ ସାହାଯ୍ୟରେ ପୂର୍ବରୁ ହାରାହାରି ୮୧ ଲକ୍ଷ ୬୪ ହଜାର ଟଙ୍କା ସଂଗ୍ରହ କରିସାରିଥିବା ଜଣାପଡ଼ିବା ପରେ ତାଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଲା । 

ଅନେକ ଲୋକଙ୍କ ଅଭିଯୋଗ ପରେ ଚୀନ୍‌ର ପାଣ୍ଠି ସଂଗ୍ରହକାରୀ ପ୍ଲାଟ୍‌ଫର୍ମ ଲାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା । ନୂଆ ଫ୍ଲାଟ୍‌ କିଣିବା ଲାଗି ଖର୍ଚ୍ଚ କରିଥିବା ଅର୍ଥ ନିଜର ବୋଲି ପ୍ରମାଣ କରିବାରେ ଲାନ୍‌ ବିଫଳ ହେଲେ । ଶେଷରେ ପ୍ଲାଟ୍‌ଫର୍ମ କଠୋର ପଦକ୍ଷେପ ନେଲା ଏବଂ ଲାନ୍‌ଙ୍କୁ ବ୍ଲାକ୍‌ଲିଷ୍ଟ କରିଦେଲା । ସବୁଦିନ ପାଇଁ ତାଙ୍କୁ ପ୍ଲାଟ୍‌ଫର୍ମରୁ ବ୍ୟାନ୍‌ କରାଗଲା । ଭବିଷ୍ୟତରେ ସେ ଏଭଳି ଗତିବିଧିରେ ସମ୍ପୃକ୍ତ ହୋଇପାରିବେ ନାହିଁ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏ ମାମଲାରେ ତାଙ୍କୁ କି ପ୍ରକାର ଦଣ୍ଡ ବିଧାନର ସମ୍ମୁଖୀନ ହେବାକୁ ପଡ଼ିବ, ତାହା ଅଦ୍ୟାବଧି ସାମ୍ନାକୁ ଆସିନାହିଁ ।