ନୂଆଦିଲ୍ଲୀ ୦୫/୧୨: ଉତ୍ତର ଚୀନ୍ର ଜଣେ ବ୍ୟକ୍ତି ନିଜର ଉଦାସ ଜୀବନ ପ୍ରତି ବିରକ୍ତ ହୋଇ ଏକ ଅଜବ ନିଷ୍ପତ୍ତି ନେଲେ । ଜୀବନରେ ରୋମାଞ୍ଚ ଭରିବା ପାଇଁ ସେ ଇଣ୍ଟର୍ନେଟ୍ରେ ନିଜ ପାଇଁ ଆରେଷ୍ଟ୍ ୱାରେଣ୍ଟ୍ ଶେୟାର କଲେ । ସେତିକି ନୁହେଁ, ନିଜ ଉପରେ ପୁରସ୍କାର ରାଶି ମଧ୍ୟ ଘୋଷଣା କଲେ । ୱାଙ୍ଗ୍ ନାମକ ଏହି ବ୍ୟକ୍ତି ନିକଟରେ ସୋସିଆଲ ମିଡିଆରେ ‘ୱାରେଣ୍ଟ୍ ଅର୍ଡର୍’ ଶୀର୍ଷକ ଏକ ବାର୍ତ୍ତା ପୋଷ୍ଟ୍ କରିଥିଲେ । ଏଥିସହ ତା’ର ଏକ ଫଟୋ ମଧ୍ୟ ଥିଲା । ପୋଷ୍ଟ୍ରେ ସେ ନିଜକୁ ୱାଙ୍ଗ୍ ୟିବୋ କହିଲେ, ଯାହା ଚୀନ୍ର ଜଣେ ପ୍ରମୁଖ ଅଭିନେତା ଓ ନୃତ୍ୟଶିଳ୍ପୀଙ୍କ ନାମ ।
ୱାଙ୍ଗ୍ ପୋଷ୍ଟ୍ରେ ଲେଖିଥିଲେ ‘ମୁଁ ଶାଙ୍କ୍ସି ପ୍ରାନ୍ତର ଚାଙ୍ଗ୍ଝି ସହର ସ୍ଥିତ କିନୟୁଆନ କାଉଣ୍ଟି ବାସିନ୍ଦା । ମୁଁ ଗତ ନଭେମ୍ବର ୧୦ ତାରିଖରେ ଏକ କମ୍ପାନିରୁ ପ୍ରାୟ ୩୩ କୋଟି ଟଙ୍କା ନେଇଛି । ମୋ ପାଖରେ ଏକ ସବ୍ମଶିନ୍ ଗନ୍ ଓ ୫୦୦ ଗୁଳି ଅଛି । ଯଦି ଆପଣ ମୋତେ ଖୋଜିଦେବେ, ଆପଣଙ୍କୁ ୩.୩ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।’ ୱାଙ୍ଗ୍ଙ୍କ ପୋଷ୍ଟ୍ ଉପରେ ସ୍ଥାନୀୟ ପୁଲିସର ନଜର ପଡ଼ିବା ପରେ ଯାଞ୍ଚ୍ ଆରମ୍ଭ ହେଲା । କିଛି ଘଣ୍ଟା ମଧ୍ୟରେ ୱାଙ୍ଗ୍ଙ୍କୁ ଗିରଫ କରାଗଲା । ଯାଞ୍ଚ୍ରୁ ଜଣାପଡ଼ିଲା, ୱାଙ୍ଗ୍ଙ୍କ ପାଖରେ କୌଣସି ଅବୈଧ ବସ୍ତୁ ଯଥା- ବନ୍ଧୁକ, ଗୁଳି ନ ଥିଲା । କୌଣସି କମ୍ପାନିରୁ ସେ ଟଙ୍କା ମଧ୍ୟ ନେଇନଥିଲେ । ମନଗଢ଼ା ଆରେଷ୍ଟ୍ ୱାରେଣ୍ଟ୍ କଥା ସେ ସ୍ୱୀକାର କଲେ । ଆଉ କହିଲେ, ଜୀବନକୁ ନେଇ ସେ ଖୁବ୍ ନିରାଶ ଓ ବିରକ୍ତ ହୋଇଯାଇଥିଲେ ।
ପୁଲିସ ରିପୋର୍ଟ ଅନୁସାରେ, ୱାଙ୍ଗ୍ଙ୍କ ପୋଷ୍ଟ୍ର ସାମାଜିକ ସ୍ତରରେ ପ୍ରଭାବ ପଡ଼ିଛି । ୨୪ ଘଣ୍ଟାରୁ କମ୍ ସମୟରେ ତାଙ୍କ ପୋଷ୍ଟ୍କୁ ୩ ଲକ୍ଷ ୫୦ ହଜାର ଥର ଦେଖାଯାଇଛି । ୨,୫୦୦ ଲାଇକ୍ ଓ ୧,୧୫୫ ଶେୟାର କରାଯାଇଛି । ମିଛ ସୂଚନା ପ୍ରସ୍ତୁତି ଓ ଏହାର ପ୍ରସାର ଲାଗି ପୁଲିସ ୱାଙ୍ଗ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ।