ଭୁବନେଶ୍ୱର,୫ ।୨(ବ୍ୟୁରୋ): ପଶ୍ଚିମବଙ୍ଗ ଚିଟ୍ଫଣ୍ଡ ତାତିର ପ୍ରଭାବ ବିଧାନସଭାରେ ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ ଚିତ୍ର ଯାହା ଥିଲା, ଅପରାହ୍ନରେ ମଧ୍ୟ ସମାନ ସ୍ଥିତି ଲାଗି ରହିଲା । ପ୍ରସ୍ତୁତ ହୋଇ ଆସିଥିଲେ ବିରୋଧୀ । ଚାଷୀ ଓ ଚିଟ୍ଫଣ୍ଡ ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କଲେ ମଧ୍ୟ ସଭ୍ୟମାନେ ଶାନ୍ତ ପଡ଼ିଲେନି । ଶାଣିତ ସ୍ଲୋଗାନ ସହ ନାରାବାଜିରେ ଗୃହ କମ୍ପାଇଲେ । ଗୃହ ବାରମ୍ବାର ମୁଲତବି ରହିଲା । କିଛି ଆଲୋଚନା ହୋଇପାରିଲାନି । ପୂର୍ବାହ୍ନ ଅଧିବେଶନ ସହ ଅପରାହ୍ନ ଅଧିବେଶନରେ ହଟ୍ଟଗୋଳରୁ ଅଚଳ ରହିବାରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ମାତ୍ର କିଛି ଫଳ ମିଳିଲାନି । ଗୃହ ବାହାରେ ମଧ୍ୟ କୋଲକତା ଚିଟଫଣ୍ଡ ତାତିର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜନୀତି ଏତେ ତତଲା ଧରିଲା ଯେ, ଖୋଦ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ନିଜ ପକ୍ଷ ରଖିଲେ ।
ମଙ୍ଗଳବାର ଗୃହରେ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆସିଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ ବିରୋଧୀ । ଆରମ୍ଭ କଲେ ନାରାବାଜି । ବିଜେପି ବିଧାୟକମାନେ ଗାଉନ ପିନ୍ଧି ସ୍ଲୋଗାନ ଛାଡ଼ିଲେ, ଗଲି ଗଲି ମେ ସୋର୍ ହୈ… ନବୀନ ପଟ୍ଟନାୟକ ଚୋର ହୈ । କଂଗ୍ରେସ ବିଧାୟକ ବି ପାଟି କଲେ ଚାଷୀଋଣ ଛାଡ଼ ଆମର ଦାବି । ଧାନ ଏମଏସପି ବୃଦ୍ଧି ଆମର ଦାବି । ଦୁଇ ଦଳର ବିଧାୟକଙ୍କ ସ୍ଲୋଗାନରେ ଗୃହ କମ୍ପିଲା । ବାଚସ୍ପତିଙ୍କ ନିୟନ୍ତ୍ରଣରେ ରହିଲାନି ଗୃହ । ମାତ୍ର ଦୁଇ ମିନିଟ୍ ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଗୃହକୁ ମୁଲତବି ଘୋଷଣା କଲେ । ଦିନ ୧୦.୪୦ରୁ ୧୧.୪୦ ଯାଏ ଗୃହ ମୁଲତବି ରହିଲା ।
୧୧.୪୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିଲା । ପୁଣି କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ । ବିଜେପି ସଭ୍ୟମାନେ ପାଟି କଲେ, ଚିଟଫଣ୍ଡ କର୍ପସ ଫଣ୍ଡ ଖାଇଲା କିଏ…. ନବୀନ ପଟ୍ଟନାୟକ ଆଉ କିଏ । କଂଗ୍ରେସ ସଭ୍ୟମାନେ ସ୍ଲୋଗାନ ଦେଲେ ବିଜେଡି ବିଜେପିର ଚାଷୀ ମାରଣ ନୀତି ଚଳିବ ନାହିଁ । ଚାଷୀଙ୍କୁ ପ୍ରତାରଣା କରିଛି କିଏ… ବିଜେଡି ବିଜେପି ଆଉ କିଏ? ବିଜେପି ସଭ୍ୟମାନେ ପିନ୍ଧିଥିବା ଗାଉନରେ ଉଲ୍ଲେଖ ଥିଲା, ଚିଟଫଣ୍ଡ ଠକେଇ ଅଭିଯୋଗରେ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଥିଲା କି? ନବୀନ ୍ମ ମମତା ଚିଟଫଣ୍ଡ ଚୋର,ଏହା ଭୁଲ୍ କି? ବିଜେପି ସଭ୍ୟ ରବି ନାଏକ ବାଚସ୍ପତିଙ୍କ ଟେବୁଲ ବାଡ଼େଇବା ସହ ମାଇକ୍ରୋଫୋନ ଛଡ଼ାଇ ନେବାକୁ ଉଦ୍ୟମ କଲେ । ଏପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ରିପୋର୍ଟର୍ସ ଟେବୁଲରେ ଚଢ଼ି ହୋହଲ୍ଲା କଲେ । ଶାସକ ଦଳ ବିଧାୟକ ମହେଶ ସାହୁ ବାଚସ୍ପତିଙ୍କ ଅନୁମତି ନେଇ କୌଣସି ପ୍ରସଙ୍ଗରେ କହିବାକୁ ଚାହୁଁଥିଲେ ମଧ୍ୟ କିଛି ଶୁଭୁନଥିଲା । ଗୃହରେ ଲାଗି ରହିଲା ଅଚଳାବସ୍ଥା । ଗୁରୁତ୍ୱପୂର୍ଣ୍ଣ ଚାଷ ଓ ଚାଷୀ ପ୍ରସଙ୍ଗରେ ମୁଲତବି ଆଲୋଚନା ହେବ ତେଣୁ ସଭ୍ୟମାନେ ଶୃଙ୍ଖଳା ରକ୍ଷା କରିବାକୁ ବାଚସ୍ପତିଙ୍କ ନିବେଦନ କାଟୁ କଲାନି । ମାତ୍ର ମିନିଟଏ ପରେ ବାଚସ୍ପତି ଅପରାହ୍ନ ୩ଟା ଯାଏ ଗୃହକୁ ମୁଲବତି ରଖିଲେ ।
ଏମିତି ଅବସ୍ଥା ଅପରାହ୍ନ ଅଧିବେଶନରେ ମଧ୍ୟ ଲାଗି ରହିଲା । ଚିଟଫଣ୍ଡ ଓ ଚାଷୀ ପ୍ରସଙ୍ଗରେ ବିଜେପି ଓ ବିରୋଧୀ ହଙ୍ଗାମା ଜାରି ରଖିଲେ । ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ଗୃହର ମଧ୍ୟଭାଗକୁ ଯାଇ ବିଜେପି ଓ କଂଗ୍ରେସ ସଭ୍ୟମାନେ ପାଟିତୁଣ୍ଡ ଜାରି ରଖିଲେ । ବାଚସ୍ପତି ୩.୨ରୁ ୩.୩୨ ଓ ପୁଣି ୩.୩୨ ରୁ ୪.୦୨ ଯାଏ ଗୃହକୁ ମୁଲତବି ରଖିଲେ । ଗୃହକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ । ମାତ୍ର କିଛି ସୁଫଳ ନ ମିଳିବାରୁ ଆସନ୍ତାକାଲି ଯାଏ ବାଚସ୍ପତି ବିଧାନସଭାକୁ ମୁଲତବି ରଖିଲେ । ମଙ୍ଗଳବାର ଗୃହରେ କିଛି ବି ଆଲୋଚନା ହୋଇପାରିନି ।
ଚିଟ୍ଫଣ୍ଡ ଦୁର୍ନୀତର ତାତି ବିଧାନସଭା ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା । ସଂସଦରେ ବିଜେଡି କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲା ବେଳେ ବିଜେପି ମଙ୍ଗଳବାର ବିଧାନସଭାରେ ଏହାର ପାଲଟା ଜବାବ ରଖିଛି । ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଗୃହ ବାହାରେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚିଟ୍ଫଣ୍ଡର ସର୍ଦ୍ଦାର । ତାଙ୍କ ବାସଭବନରେ କାର୍ଯ୍ୟ କରୁଥିବା ସରୋଜ ସାହୁ ପୂର୍ବରୁ ସିବିଆଇର ଜେରା ହୋଇଛନ୍ତି । କିଛି ଗଣମାଧ୍ୟମରୁ ଖବର ଆସୁଛି କି ଚିଟ୍ଫଣ୍ଡ ସ୍କାମରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି । ଏହା ସତ କିି ନାହିଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି କେଭି କହିଛନ୍ତି । ରାଜ୍ୟ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରାଇବା ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଥିଲେ ବି ଆଜି ପର୍ଯ୍ୟନ୍ତ କାହାକୁ ଟଙ୍କାଟିଏ ବି ମିଳିଲା ନାହିଁ । ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ମମତାଙ୍କୁ ନବୀନ ସମର୍ଥନ କରିବା ଦୁର୍ଭାଗ୍ୟଜନକ ବୋଲି କେଭି କହିଛନ୍ତି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...