ଭୁବନେଶ୍ୱର ୨୦/୧୨: ବିଶେଷକରି ଶୀତଦିନେ କୋଲେଷ୍ଟେରଲ୍‌ ସ୍ତର ବଢିଯାଇଥାଏ । ତେଣୁ ଏହାକୁ ଅଣଦେଖା କରିବା ଅନୁଚିତ୍‌ । ସ୍ୱାସ୍ଥ୍ୟକର ଡାଏଟ୍‌ ଓ ବ୍ୟାୟାମ ସହ ସାମାନ୍ୟ ଜୀବନଶୈଳୀରେ ପରିବର୍ତ୍ତନ କରିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରିପାରିବେ । ଏଥିପାଇଁ ବେଶୀ ପରିଶ୍ରମ କରିବାକୁ ପଡିବନାହିଁ । ସ୍ୱାସ୍ଥ୍ୟକର ଅଭ୍ୟାସ ଆପଣାଇବା ଦ୍ୱାରା ଶୀତର ଦୁଇଗୁଣା ମଜା ଉଠାଇପାରିବେ । 

ଶୀତଦିନ ଗରମ ଚା’ ଓ କଫି, ହାଲ୍‌କା ଉଷୁମ ପାଣି ଓ ରେଜେଇ ଭିତରେ ଆରାମଦାୟକ ଜୀବନ ବିତାଇବାର ସୁଯୋଗ ନେଇ ଆସିଥାଏ । ତେଣୁ ଶୀତଦିନେ କୋଲେଷ୍ଟେରଲ୍‌ ସ୍ତର ବଢିଯାଇଥାଏ । ସାମାନ୍ୟ ସଚେତନ ରହିଲେ ସମସ୍ୟା ଆପେ ଆପେ ଦୂରେଇଯିବ । ହୃଦୟ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ଏହାର ଖାସ୍‌ ଧ୍ୟାନ ରଖିବା ଆପଣଙ୍କ ଦାୟିତ୍ୱ । ଆଜିକାଲିର ଖରାପ ଜୀବନଶୈଳୀ ଯୁବପିଢିଙ୍କ ଭିତରେ ହୃଦ୍‌ଘାତ ସମସ୍ୟାକୁ ବଢାଇଚାଲିଛି । କିଏ ଉଚ୍ଚ ରକ୍ତଚାପ ସମସ୍ୟା ସହ ଲଢୁଛି ତ ଆଉ କିଏ ଉଚ୍ଚ କୋଲେଷ୍ଟେରଲ୍‌ । ଚାଲନ୍ତୁ ଜାଣିବା ଶୀତରେ କାହିଁକି ବଢେ କୋଲୋଷ୍ଟେରଲ୍‌ ସ୍ତର? ଏଥିରୁ କେମିତି ପାଇବେ ସୁରକ୍ଷା । 

ଶରୀରକୁ ଅଧିକ ଶକ୍ତି ଆବଶ୍ୟକ :

ଶୀତଦିନେ ଶରୀରକୁ ଅଧିକ ଉଷୁମ ରଖିବା ପାଇଁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡିଥାଏ । ତେଣୁ ଅଧିକ କ୍ୟାଲୋରୀ ପାଇବା ପାଇଁ ଆମେ ଡାଏଟ୍‌ରେ ଖାଦ୍ୟର ମାତ୍ରା ବଢାଇଚାଲୁ । ଶୀତଦିନେ ଛଣାଛଣି ଖାଦ୍ୟ ଖାଇବା ଦ୍ୱାରା ହିଁ କୋଲେଷ୍ଟେରଲ୍‌ ସ୍ତର ବଢିବା ଏକ ପ୍ରମୁଖ କାରଣ ।

ଭିଟାମିନ୍‌-ଡି’ର ଅଭାବ :

ଭିଟାମିନ୍‌-ଡି’ର ଅଭାବକୁ ଦୂର କରିବାରେ ସୂର୍ଯ୍ୟ କିରଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଶୀତଦିନେ ସୂର୍ଯ୍ୟକିରଣ କମ୍‌ ମିଳିଥାଏ । ତେଣୁ ଏହି ଆବଶ୍ୟକତା ପୂରଣ ହୋଇପାରେନା । ଭିଟାମିନ୍‌-ଡି କୋଲେଷ୍ଟେରଲ୍‌ ସ୍ତରକୁ ନିୟନ୍ତ୍ରିତ କରିବାରେ ସହଯୋଗ କରିଥାଏ । 

ଚଲାବୁଲାର ଅଭାବ :

ଶୀତଦିନେ ପ୍ରାୟ ଲୋକ ଅଳସରେ ବେଡ୍‌ ଉପରୁ ତଳକୁ ଓହ୍ଲାଇ ନଥାନ୍ତି । ଆରାମକୁ ଗୁରୁତ୍ୱ ଦେଇଥାନ୍ତି । ବ୍ୟାୟାମ ଓ ଚଲାବୁଲାକୁ ପ୍ରାଥମିକତା ଦେଇ ନଥାନ୍ତି । ଏହା ମଧ୍ୟ କୋଲୋଷ୍ଟେରଲ୍‌ ବଢିବାର ଅନ୍ୟତମ ପ୍ରମୁଖ କାରଣ । 

କେମିତି କରିବେ ନିୟନ୍ତ୍ରଣ? 

ଶୀତରେ ସକ୍ରିୟ ରହିବା ଖୁବ୍‌ ଜରୁରି । ସେହିପରି ବ୍ୟାୟାମ ଓ ଯୋଗ କରିବା ଜରୁରି । କେବଳ ସେତିକି ନୁହେଁ, ଦୌଡିବା କିମ୍ବା ଜଗିଙ୍ଗ୍‌ ମଧ୍ୟ କରିପାରିବେ । ଜଙ୍କ୍‌ ଫୁଡ୍‌ ଆଦୌ ଖାଆନ୍ତୁନି । ଲୁଣ କମ୍‌ ଖାଇବା ସହ ଭିଟାମିନ-ଡି' ଯୁକ୍ତ ଅଧିକ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିପାରିବେ । ଏହାବ୍ୟତୀତ ଡାଏଟ୍‌ରେ ଫାଇବର୍‌ ମଧ୍ୟ ସାମିଲ୍‌ କରନ୍ତୁ । ଏହା କୋଲେଷ୍ଟେରଲ୍‌ ସ୍ତରକୁ ନିୟନ୍ତ୍ରିତ କରିଥାଏ । ସେହିପରି ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ଆଠ ଘଣ୍ଟା ନିଶ୍ଚୟ ଶୁଅନ୍ତୁ ।