ପରଜଙ୍ଗ,୧୮/୦୮: ଜମ୍ମୁକାଶ୍ମୀରର କିସ୍ତୱାଡରେ ବାଦଲ ଫଟା ବର୍ଷା ପ୍ରଭାବରେ ଭୂସ୍ଖଳନରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମାଣିକମରା ଗାଁର ସିଆଇଏସ୍ଏଫ୍ ଯବାନ୍ ମନୋଜ ବିଶ୍ୱାଳଙ୍କ ପରଲୋକ ହୋଇଥିଲା । ତାଙ୍କ ପାର୍ଥିବ ଶରୀର ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗାଁ ନିଆଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସହିଦଙ୍କ ଶେଷ ଦର୍ଶନ କରିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଆଜି ସକାଳେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ପରିକ୍ରମା କରାଯାଇଥିଲା। ଶେଷରେ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସହିଦ ମନୋଜଙ୍କ ପୁତୁରା ବିଶୁ ବିଶ୍ୱାଳ ମୁଖଗ୍ନୀ ଦେଇଥିଲେ। CISF ଅଧିକାରୀଙ୍କ ସମେତ ପରଜଙ୍ଗ ବିଡିଓ, ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀର କିସ୍ତୱାଡ୍ରେ ଚଶୋଟି ଗାଁ ପାହାଡ଼ ଶିଖର ମଚୈଲ ମାତା ମନ୍ଦିରରେ ଯାତ୍ରା ମାର୍ଗରେ ଏହି ଅଘଟଣ ଘଟିଥିବା ବେଳେ ସେଠାରେ ସିଆଇଏସ୍ଏଫ୍ ଯବାନ ମନୋଜ ଡ୍ୟୁଟି କରୁଥିଲେ । ଭୂ-ସ୍କଳନ ପରଠାରୁ ସେ ନିଖୋଜ ହୋଇଯାଇଥିଲେ । ଶନିବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏନେଇ ସିଆଇଏସ୍ଏଫ୍ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ମନୋଜ ଏହା ପୂର୍ବରୁ ତାଳଚେର ଟିଟିପିଏସ୍ରେ କାର୍ଯ୍ୟ କରୁଥିବା ବେଳେ ଦୁଇମାସ ପୂର୍ବେ ଡେପୁଟେସନ୍ରେ ଜମ୍ମୁକାଶ୍ମୀର ଯାଇ ସେଠାରେ ଯାତ୍ରା ଡ୍ୟୁଟିରେ ରହିଥିଲେ ।