ଆଜିର ଲୋକବିମର୍ଶରେ ସଭ୍ୟତାକୁ ଆମର ଚର୍ଚ୍ଚାର ବିଷୟ ଭାବରେ ଉପସ୍ଥାପିତ କରିବା ଦୁଇଟି ଦିଗରୁ କେବଳ ପ୍ରାସଙ୍ଗିକ ନୁହେଁ, ଅପରିହାର୍ଯ୍ୟ । ଗୋଟିଏ ଦିଗ ନୈତିକ ଓ ବୋଧହୁଏ ୟା’ଠାରୁ ବଡ଼ କୌଣସି ଦିଗ ମାନବର ଧରାନିବାସରେ ନାହିଁ । ଆଉ ଗୋଟିଏ ଦିଗ ରାଜନୈତିକ । ଏ ମଧ୍ୟ ନୈତିକ ବିବେଚନର ଅଂଶ, କିନ୍ତୁ ୟାକୁ ଏକ ସ୍ୱତନ୍ତ୍ର ଦିଗ ଭାବରେ ଆବିଷ୍କାର କରିବାକୁ ହେବ, କାରଣ ଦିନକୁ ଦିନ ଆମର ଏ ପୃଥିବୀ ଏକ ରାଜନୈତିକ ବିଶ୍ୱ ଭାବେ ପରିଚିତ ହୋଇଚାଲିଛି ।
ସବୁ ମଣିଷ ନିଜ ଅଜାଣତରେ ବି ରାଜନୈତିକ ବିଶ୍ୱର ମଣିଷ ଭାବରେ ପରିଚିତ ହୋଇଚାଲିଛନ୍ତି । ବ୍ୟକ୍ତି ଭାବରେ ମଣିଷ ଯେଉଁ ଜୈବ ବା ପ୍ରାକୃତିକ ପୃଥିବୀର ଉତ୍ତରାଧିକାରୀ, ସେ ପୃଥିବୀ ଏବେ ପ୍ରାକୃତିକ ନିୟମରେ ବନ୍ଧା ନୁହେଁ, ସେ ବନ୍ଧା ହୋଇଛି ବିଶ୍ୱର ରାଜନୀତିରେ । ପୃଥିବୀର ପ୍ରାକୃତିକ ସମ୍ପଦ ମଣିଷର ଉତ୍ତରାଧିକାର ନୁହେଁ, ୟାର ଉପଯୋଗ ପିଢ଼ି ପରେ ପିଢ଼ି ବଢ଼ିଉଠୁଥିବା ମାନବସନ୍ତାନର ନୁହେଁ । ଇଏ ସେଇମାନଙ୍କ ହାତରେ ଯେଉଁମାନେ ଭୋକ୍ତା, ପେଟ ପୂରିଲା ପରେ ବି ସର୍ବଗ୍ରାସୀ କ୍ଷୁଧାରେ ନିରନ୍ତର ଲୋଲୁପ ଓ ଅଧିକରୁ ଅଧିକ ଗ୍ରାସ କରିବା ପାଇଁ ବ୍ୟାକୁଳ । ସଭ୍ୟତାକୁ ଏଇମାନଙ୍କ ଉଦ୍ଦଣ୍ଡ କ୍ଷେତ୍ରାଧିକାରର ଆଲୋକରେ ବି ଦେଖିବା ଜରୁରି ।
ଆଗକୁ ଯିବା ପୂର୍ବରୁ ସବୁଠୁ ବଡ଼ ପ୍ରଶ୍ନ ସଭ୍ୟତା କ’ଣ, ଆମେ କ’ଣ ବୁଝୁ, ଅଣଭାରତୀୟମାନେ କ’ଣ ବୁଝନ୍ତି । ଯେଉଁ ଅର୍ଥରେ ବିଶ୍ୱ ଏବେ ସଭ୍ୟତାକୁ ବୁଝେ ତାହା ବସ୍ତୁଗତ ଅର୍ଥ, ଅର୍ଥାତ୍ ବସ୍ତୁ ଆଧାରିତ ପୁରାତାତ୍ତ୍ୱିକ ବା ଆର୍କିଓଲୋଜିକାଲ ସାକ୍ଷ୍ୟ ଓ ପ୍ରମାଣ । ଏତେ ହଜାର ବର୍ଷ ତଳେ ମଣିଷ ଏଭଳି ପଦାର୍ଥ ବ୍ୟବହାର କରି ଏଭଳି ବିଶାଳ ଗଢ଼ଣ କରିପାଇଥିଲା, ଏଭଳି ନିତ୍ୟବ୍ୟବହାର୍ଯ୍ୟ ଧାତୁର ଯନ୍ତ୍ରପାତି ବ୍ୟବହାର ଜାଣିଥିଲା, ସହର ନିର୍ମାଣ କରିଥିଲା । ଇଏ ସଭ୍ୟତା? ଖୁବ୍ ବେଶିରେ ୟାକୁ କୌଶଳ ବା ସାମର୍ଥ୍ୟର ଏକ ସ୍ତର କୁହାଯାଇପାରେ । ବସ୍ତୁ ନିର୍ମାଣ ସଭ୍ୟତା ନୁହେଁ । ଜୈବଜୀବନର ମାନବୀୟ ଆଧାର ପ୍ରତିଷ୍ଠା ହିଁ ସଭ୍ୟତା । ଗୋଟିଏ ସମାଜରେ ଥରେ ଏଭଳି ଏକ ପ୍ରତିଷ୍ଠା ସମ୍ଭବ ହୋଇଗଲେ ପ୍ରକୃତି, ଧର୍ମ, ଅନୁଷ୍ଠାନ, ସୁଖଦୁଃଖ, ଆଚାରବିଚାର, ଏପରିକି ବୁଦ୍ଧି ଓ ଆବେଗ ସବୁକିଛି ଏକ ଅଦୃଶ୍ୟ ସୂତ୍ର ଦ୍ୱାରା ପରିଚାଳିତ ହୁଏ । ସୌନ୍ଦର୍ଯ୍ୟବୋଧ, ସନ୍ତୁଳନ, ସଂଭ୍ରମ, ସମଦୃଷ୍ଟି, କରୁଣା, ପ୍ରେମ ଓ ସହାବସ୍ଥାନ ସବୁ ଏଇଥିରୁ ଆସେ । ସଭ୍ୟ ସମାଜରେ ଏଗୁଡ଼ିକ ତର୍ଜମାର ବିଷୟ ନୁହଁନ୍ତି । ଏହି ସମାଜ ମଣିଷର କଳ୍ପିତ ସଭ୍ୟ ସମାଜ । ଏହି ସୂତ୍ରଧାରାର ସ୍ମୃତି ଓ ଉପସ୍ଥିତି ଆମର ସଂସ୍କୃତି । ଏହାର ପରିପାଳନ ଆମର ସଂସ୍କାର । ସଂସ୍କାର ଆମକୁ ପ୍ରତିକ୍ଷଣ ଆମର ସଂସ୍କୃତି ଓ ସଭ୍ୟତା ସହିତ ଯାଡ଼ି ରଖେ ଓ ସମୟ ବଢ଼ିବା ସହିତ ଜାତୀୟ ସ୍ମୃତିର ଅଂଶ ହୁଏ । ୟାକୁ ସ୍ମରଣୀୟ ପାଠରେ ରଖିବା ପାଇଁ ଶାସ୍ତ୍ର ଲେଖାଯାଏ । ଏହିଭଳି ଭାବରେ ସଭ୍ୟତା, ସଂସ୍କୃତି, ସଂସ୍କାର, ଶାସ୍ତ୍ର ମିଶିଯାନ୍ତି ଓ ମାନବୀୟ ଆଧାର ନିର୍ମିତ ହୁଏ ।
ମାନବୀୟ ଆଧାର ତ ଆମ ସଭ୍ୟତାରେ ଅଛି, ହେଲେ ତାଙ୍କ "ସିଭିଲିଜେସନ’ରେ ଅଛି କି? ନାହିଁ । କାରଣ ସେମାନେ ମୂଳରୁ ତାଙ୍କର ମାନବୀୟ ଆଧାରକୁ "ନାଗରିକତା’ ବୋଲି ନିରୂପିତ କଲେ, ଅର୍ଥାତ୍ "ନଗର’ ହୋଇଗଲା ମଣିଷ ବସତିର କେନ୍ଦ୍ର ବା କୋଟୀ । ସେହି ମାର୍ଗରେ ଯାଇ ସେମାନେ ସଭ୍ୟତା ପାଇଲେ ସହରୀକରଣରେ । ତେଣୁ ମାଟିଖୋଳି ସଭ୍ୟତା ପାଇବାର ପ୍ରତ୍ନବିଦ୍ୟାରେ ସେମାନେ ବିଶେଷ ଜ୍ଞାନ ହାସଲ କଲେ ଓ ବିଶ୍ୱର ଇତିହାସ ଲେଖି ପ୍ରମାଣିତ କଲେ ଯେ, ନାଗରିକ ସଭ୍ୟତା ହିଁ ସଭ୍ୟତା । ଯୋଉଠି ଖୋଳି ଯେଉଁ ଧାତୁ ବା ଟେରାକୋଟା ପାଇଲେ ବା ପୁରୁଣା ପଙ୍କ୍ତିବଦ୍ଧ ଇଟା ଦେଖିଲେ କି ପାତ୍ର ଦେଖିଲେ, ତାଙ୍କ ସହରୀ କଳ୍ପନାରେ ତର୍ଜମା କଲେ ଓ ସାତଟି ସଭ୍ୟତା ଦେଖେଇଲେ । ତା’ ଭିତରେ ସିନ୍ଧୁ ଉପତ୍ୟକାର ସଭ୍ୟତା ଥିଲା, ଚୀନର ସଭ୍ୟତା ବି ଥିଲା । ଏଇ ସାତଟି ସଭ୍ୟତାର ବର୍ତ୍ତମାନର ସ୍ଥିତି କ’ଣ? କେବଳ ଭାରତୀୟ ସଭ୍ୟତା ଛଡ଼ା ଆଉ କେହିବି କାହାରି ଜାତୀୟ ସ୍ମୃତିରେ ଜୀବିତ ନାହାଁନ୍ତି । ହୁଏତ ଚୀନର ବିରାଟ ସଭ୍ୟତା ଚୀନାମାନଙ୍କ ଜାତୀୟ ସ୍ମୃତିରେ ଥାଆନ୍ତା, କିନ୍ତୁ ମାଓଙ୍କ କଲଚରାଲ ରିଭୋଲ୍ୟୁସନ ତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଲା । ଅତି ପ୍ରାଚୀନ ସଭ୍ୟତା ସେ, ବିଶାଳ ତା’ର ଦାର୍ଶନିକ ପରମ୍ପରା, ଏବେ କିଛି ନାହିଁ । ଘୋର ବିପର୍ଯ୍ୟୟର କରୁଣ କାହାଣୀ ଗୋଟେ ସଭ୍ୟତାର ମୃତ୍ୟୁ । ତା’ଠାରୁ ଆହୁରି କରୁଣ ଶାସ୍ତ୍ରର ହତ୍ୟା । ଏଇଠି ସ୍ପଷ୍ଟ କରିଦେବା ଉଚିତ ହେବ ଯେ, ଭାରତରୁ ବହୁ ଶାସ୍ତ୍ରପୋଥି ଆମେରିକା ଓ ଜର୍ମାନୀର ବିଶ୍ୱବିଦ୍ୟାଳୟମାନଙ୍କରେ ପଢ଼ା ସରିଛି ଓ ଅନେକ କିଛି ବାକି ଅଛି । ମୁଁ ଜାଣିବାରେ ଅନ୍ତତଃ ନଅଟି ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜି ତଥା ଭାରତୀୟ ସଭ୍ୟତାର ଶାସ୍ତ୍ରୀୟ ପରମ୍ପରା ଗଭୀର ଅନୁସନ୍ଧାନର ବିଷୟ । ଏଣେ ଭାରତର ମ୍ୟୁଜିଅମମାନଙ୍କରେ ପୁରାତତ୍ତ୍ୱ ସଂରକ୍ଷଣ ନାଁରେ ଅସଂଖ୍ୟ ପୋଥି ଅପଢ଼ା, ଅଲୋଡ଼ା ପଡ଼ିଛନ୍ତି । ଆମେରିକାରେ ଓ ଭାରତରେ କେତୋଟି ସଭ୍ୟତା ଅଧ୍ୟୟନ କେନ୍ଦ୍ର ବି ଅଛନ୍ତି । ଏ କେନ୍ଦ୍ରମାନଙ୍କରେ ଯାହାବି ହୁଏ ତା’ର କୌଣସି ପ୍ରଭାବ ଲୋକକ୍ଷେତ୍ର ଉପରେ ପଡ଼େନାହିଁ ।
ଆମେରିକାନମାନେ ସଭ୍ୟତା ପାଠରେ ଆଗ୍ରହୀ ନୁହଁନ୍ତି, କାରଣ ତାଙ୍କର ସଭ୍ୟତା ନାହିଁ । ୟୁରୋପୀୟ ଉପନିବେଶ ଭାବରେ ତାଙ୍କର ବିକ୍ଷିପ୍ତ, ଖଣ୍ଡିତ ଓ ନାମହୀନ ଅତୀତ ୟୁରୋପୀୟଙ୍କ ରଣକ୍ଷେତ୍ର, ତାଙ୍କରି ଆପୋସ ମିଳାମିଶାର ପରିଣତି ଉତ୍ତର ଆମେରିକାର ବିଶାଳ ପତିତ ଭୂଖଣ୍ଡ ଏବର ଯୁକ୍ତରାଷ୍ଟ୍ର ଆମେରିକା । ଏ କ୍ଷେତ୍ରକୁ୍ ଇଣ୍ଡିଆ ଓ ଏ କ୍ଷେତ୍ରର ପ୍ରକୃତ ମାଲିକ ଆଦିମ ଅଧିବାସୀଙ୍କୁ ଇଣ୍ଡିଆନ ବୋଲି କହିଲେ କଲମ୍ବସ ଭୁଲ୍ରେ । କଲମ୍ବସ ଜଳପଥରେ ସମଗ୍ର ପୃଥିବୀର ଆକର୍ଷଣର କେନ୍ଦ୍ର ଭାରତୀୟ ଉପମହାଦେଶକୁ ଆବିଷ୍କାର କରିବାକୁ ଚାହିଁଥିଲେ, କିନ୍ତୁ ବାଟବଣା ହୋଇ ପହଞ୍ଚିଗଲେ ଉତ୍ତର ଆମେରିକାର ଜନଜାତି ଅଧ୍ୟୁଷିତ ପତିତ ଭୂଖଣ୍ଡରେ ଓ ଯାହାଙ୍କୁ ଦେଖିଲେ ତାଙ୍କୁ ଭାବିଲେ ଇଣ୍ଡିଆନ । ଏଥିରେ ପରେ ରେଡ୍ ଯୋଡ଼ିଲେ ୟୁରୋପୀୟମାନେ ତାଙ୍କୁ ଇଣ୍ଡିଆନ ଠାରୁ ଅଲଗା ଚିହ୍ନିବା ପାଇଁ । ଏଇ ରେଡ୍ ଇଣ୍ଡିଆନମାନେ ଏବେବି ମୁଖ୍ୟସ୍ରୋତରେ ମିଶିପାରି ନାହାଁନ୍ତି । ଘୋର ନିର୍ଯାତନା ସହିଛନ୍ତି, ସଭ୍ୟ(?) ୟୁରୋପୀୟ (ଏବେ ଆମେରିକାନ) ମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ସମୂହ ହତ୍ୟା (ଜେନୋସାଇଡ)ରେ ଲିପ୍ତ ହୋଇଛନ୍ତି । ତାଙ୍କ ଭିତରେ ଏ ଅସଭ୍ୟ ବର୍ବର ୟୁରୋ ଆମେରିକାନଙ୍କ ପ୍ରତି ଭୟଙ୍କର ଘୃଣା । ଏଭଳି ଅସଭ୍ୟ ଦେଶ ଶାନ୍ତି ଓ ସଭ୍ୟତାର ପୁରୋହିତ ହେବା ବିଶ୍ୱମାନବର ଦୁର୍ଭାଗ୍ୟ ।
ସଭ୍ୟତାର ମାନଦଣ୍ଡରେ ଭାରତ ସହିତ ଆମେରିକାର ତୁଳନା ଭାରତକୁ ଅପମାନ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ । ଆକାରରେ ଆମେରିକା ଠାରୁ ଅଳ୍ପ ଛୋଟ, ଲୋକସଂଖ୍ୟାରେ ବହୁତ ଅଧିକ । ଆମେରିକାର ଏ ଆକାର ଅର୍ଥହୀନ, କାରଣ ୟାର ଏକ-ତୃତୀୟାଂଶ ମାନବ ବସତିର ଅଯୋଗ୍ୟ । ସ୍ୱାର୍ଥ ଓ ଲୋଲୁପତା ୟାଙ୍କୁ ଯେଉଁ ସମ୍ପନ୍ନତା ଦେଇଛି ତାହା ବିଶ୍ୱ ପାଇଁ ବିଧ୍ୱଂସକ ସିଦ୍ଧ ହୋଇଛି । ମାନବତା ଓ ବିଶ୍ୱ କଲ୍ୟାଣର ମୂଲ୍ୟ ଦେଇକି ସମ୍ପନ୍ନତା କିଣାଯାଇପାରେ । ଆଟଲାଣ୍ଟିକର ଏପଟେ ପୂର୍ବକୁ ୟୁରୋପ, ଚୀନ, ଋଷ ଓ ଭାରତ । କଲମ୍ବସ ଭୁଲ୍ରେ ସ୍ୱର୍ଣ୍ଣପ୍ରସୂ ଭାରତ ଭାବି ଅପନ୍ତରାକୁ ପଶିଗଲେ ଓ ଟିକି ଟିକି ୟୁରୋପୀୟ ଦେଶ ଜମି ଅକ୍ତିଆର କରି ଆମେରିକା ଭଳି ଗୋଟେ ପ୍ରୋକ୍ସି ରାଷ୍ଟ୍ର ତିଆରି କରିବାରେ ସହାୟକ ହେଲେ, ତାଙ୍କର ଉପନିବେଶମାନଙ୍କରୁ ଲୁଟି ଆଣିଥିବା ସମ୍ବଳକୁ ପୁଞ୍ଜି କରି ଆମେରିକାର ପ୍ରୋକ୍ସି ତାଙ୍କର ଅସ୍ତିତ୍ୱକୁ କବଜା କରିନେଲା । ୟୁରୋପୀୟ ନିବେଶରେ ଆମେରିକା ଧନୀ । ଏବେ ଆମେରିକା ତା’ର ନିଜ ଅସ୍ତିତ୍ୱ ଓ ବର୍ଚ୍ଚସ୍ୱ ସ୍ଥାପିତ କରିସରିଲାଣି । କିନ୍ତୁ ମୂଳଦୁଆ ଦୁର୍ବଳ, ଏକଥା ୟୁରୋପୀୟମାନେ ଜାଣନ୍ତି । ସେମାନେ ୟା ମଧ୍ୟ ଜାଣନ୍ତି ଯେ, ସେମାନେ ନିଜ ଭିତରର ଅସୁରକୁ ନିଜଠାରୁ ଅଲଗା କରି ମହାସୁରଟିଏ ସ୍ଥାପିତ କରି ତା’ ଭୟରେ ରହିବା ତାଙ୍କର ଦୁର୍ଭାଗ୍ୟ । ଭାରତୀୟ ସଭ୍ୟତାକୁ ଆଦର ଓ ସମ୍ମାନର ସହିତ ସ୍ୱାଗତ କରିଥିବା ଏହି ଦେଶମାନେ ହୁଏତ ଆମେରିକାକୁ ପୁଞ୍ଜି ହରାଇବା ଭୟରେ ଛାଡ଼ିବେ ନାହିଁ, କିନ୍ତୁ ଭାରତ ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ମାନଜନକ ହୋଇ ରହିବ ।
ୟୁରୋପରେ କିଛି କାଳ ରହିବା ଭିତରେ ବହୁ ଚିନ୍ତାଶୀଳ ଓ ବିଶିଷ୍ଟ ବ୍ୟକ୍ତି ଆନ୍ତର୍ଜାତିକ ମଞ୍ଚରୁ ବି କହିଛନ୍ତି ଯେ "ଭାରତ ଆମର ପ୍ରାକୃତିକ ବନ୍ଧୁ’ । ଏବେ ଜର୍ମାନୀ, ଫ୍ରାନ୍ସ ଇଟାଲୀ ଓ ଋଷ ତାଙ୍କର ହାତ ବଢ଼େଇଲେଣି । ମୁଁ ଭାବେ ଯେ ବିଶ୍ୱମଞ୍ଚରେ ସଭ୍ୟତାର ଗାମ୍ଭୀର୍ଯ୍ୟ ଭାରତକୁ ଏକ ନୂଆ ଆତ୍ମବିଶ୍ୱାସ ଦେଇଛି । ସେଇ ଆତ୍ମବିଶ୍ୱାସ ରାଷ୍ଟ୍ର ପରିଚାଳନାରେ ସହାୟକ ହେବ । ସଭ୍ୟତାରେ ଅଭିମନ୍ତ୍ରିତ ଭାରତୀୟ ଗଣତନ୍ତ୍ର ତାର ସଭ୍ୟତାରୁ ହିଁ ଶାସନର ସଂସ୍କାର ଖୋଜିପାଇବ । ରାଜନୈତିକ ବିଶ୍ୱରେ ନୈତିକ ବିଶ୍ୱର ନିର୍ମାଣ ସମ୍ଭବ । କାରଣ ଗଣତନ୍ତ୍ରରେ ରାଜନୀତି ଏକ ସତତ ବିବର୍ତ୍ତନଶୀଳ ବା ପରିବର୍ତ୍ତନଶୀଳ ଲୋକଦୃଷ୍ଟି, ସ୍ୱଭାବତଃ ଅସ୍ଥିର ଓ ବାଧ୍ୟବାଧକତାରେ ସଂକୀର୍ଣ୍ଣ ବି । ସଭ୍ୟତାର ନୈତିକ ବଳ ଓ ଭୂମି ଯେଉଁ ଦେଶର ଏଯାବତ୍ ଅବ୍ୟବହୃତ ସମ୍ପତ୍ତି, ତା’ର ବିନିଯୋଗ ସଙ୍କଟ କାଳରେ ନୁହେଁ ତ ଆଉ କେବେ ହେବ? ଠିକ୍ କେଉଁଭଳି ସଭ୍ୟତାରେ ଗଚ୍ଛିତ ନୀତି, ଜାତୀୟ ସ୍ମୃତିରେ ଜୀବନ୍ତ ସଭ୍ୟତାର ପାଠ ରାଜନୀତିରେ ପ୍ରବେଶ କରିବ ଓ କୌଣସି ବୈପ୍ଳବିକ ପରିବର୍ତ୍ତନ ନଘଟାଇ ଭାରତୀୟଙ୍କୁ ତାଙ୍କର ପିତୃପୁରୁଷଙ୍କ ସର୍ବତୋମୁଖୀ ସହଜ ପ୍ରଜ୍ଞାର ଆଲୋକ ଦେଖାଇବ, ଆମେ ସମସ୍ତେ ଜାଣୁ, କିନ୍ତୁ କହିପାରୁନି । ଆମେ କହିପାରୁନି, କାରଣ ଆମର ଦେଶ, ରାଷ୍ଟ୍ର, ସଭ୍ୟତା ଓ ନୈତିକ ସାମର୍ଥ୍ୟକୁ ନେଇ ଗର୍ବ କରିବା ଆମେ ଜାଣୁ, କିନ୍ତୁ କରୁନାହିଁ । ଏମିତି ଗୁଡ଼ାଏ ବିରୋଧାଭାସ ଆମ ଭିତରେ । ୟାକୁ ପୋଷ୍ଟକଲୋନୀଏଲ ସିଣ୍ଡ୍ରୋମ କୁହାଯାଏ । ସରଳ ଭାଷାରେ ଇଏ ହେଉଛି "ମୁଁ ମୁକ୍ତ, କିନ୍ତୁ ମୁଁ ଉଡ଼ିବି କେମିତି’ ଭଳି ଏକ ସ୍ଥିତି । ଡେଣା ଅଛି, ଉଡ଼ି ଜାଣ, ଉଡ଼... ଆଗରେ ମୁକ୍ତ ଆକାଶ!