ଭୁବନେଶ୍ୱର,୧୩/୦୧: ସଫେଇ  କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ କେତେ ଶତ୍ରୁ? ତାହା ଏବେ ବି  ପ୍ରଶ୍ନବାଚୀ । ମଞ୍ଚେଶ୍ୱର ଥାନା ପୁଲିସ ୫ଜଣଙ୍କୁ ଗିରଫ କରିସାରିଛି । ଫେରାର୍‌ ସୁଶାନ୍ତ ନାୟକ ହତ୍ୟାରେ ସିଧାସଳଖ ସମ୍ପୃକ୍ତ ଥିବା ପୁଲିସ ଦର୍ଶାଇଛି । ତଥାପି ସହଦେବଙ୍କ ଶତ୍ରୁ ତାଲିକା ବଢ଼ିଚାଲିଛି । ସହଦେବଙ୍କ ପତ୍ନୀ ସୁନିତାଙ୍କ ଏତଲାକ୍ରମେ ଆହୁରି ୪ଜଣଙ୍କ ସମ୍ପୃକ୍ତିର ଗନ୍ଧ ବାରିଛି ପୁଲିସ । ହତ୍ୟାରେ ସେମାନଙ୍କ  ଭୂମିକା ନେଇ ପୁଲିସ ତନାଘନା କରୁଛି ।    

କେଦାରପଲ୍ଲୀ ବସ୍ତିର ଲେଡି ଡନ୍‌ ରମା ନାୟକ ଓ ତା’ ପୁଅ ନିଲୁ ସମେତ ହୀରା ନାୟକ ଓ ସୁଲେଇ ନାୟକଙ୍କୁ ହତ୍ୟାରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି  ସୁନିତା । ରମା ଓ ନିଲୁ ଦୋଷୀ ବୋଲି ସେ  ଗଣମାଧ୍ୟମ ସାମ୍ନାରେ ସିଧାସଳଖ  ଅଭିଯୋଗ କରିଛନ୍ତି । ଉଭୟଙ୍କର  ଲମ୍ବା ଅପରାଧିକ ଇତିହାସ  ରହିଛି । ଏକ ହତ୍ୟା ମାମଲାରେ  ନିଲୁକୁ ୧୦ ବର୍ଷ ତଳେ କ୍ୟାପିଟାଲ  ଥାନା ପୁଲିସ ଗିରଫ କରିଥିଲା ।  ବସ୍ତିରେ ଚାଲିଥିବା ବ୍ରାଉନ୍‌ସୁଗର  କାରବାରରେ ମା’-ପୁଅଙ୍କ ସମ୍ପୃକ୍ତି  ଅଛି । ଉଭୟେ ନିଶା କାରବାର ଅଭିଯୋଗରେ  ଜେଲ୍‌ ବି ଯାଇଛନ୍ତି । ଧଳାଜହରକୁ  ବିରୋଧ କରୁଥିବାରୁ ଦୀର୍ଘ ଦିନ ଧରି ମା’- ପୁଅଙ୍କ ସହ ସହଦେବଙ୍କ ଶତ୍ରୁତା ଥିଲା ।    

ଅନ୍ୟପଟେ ସହରର ସଫେଇ କର୍ମଚାରୀମାନଙ୍କ ବଳ ସାଜିଥିଲେ ସହଦେବ । ସେମାନଙ୍କ ଅଘଟଣ ବେଳେ ସବୁବେଳେ ପାଚେରି ସାଜି ଛିଡ଼ା ହେଉଥିଲେ । ତେଣୁ ସହଦେବଙ୍କ ବିନା ଅନ୍ୟ କାହାରିକୁ ସଂଘର ନେତୃତ୍ୱ ଦେବାକୁ ସଫେଇ କର୍ମଚାରୀମାନେ ଚାହୁଁନଥିଲେ । କିନ୍ତୁ ସଫେଇ ସଂଘର ନେତା ସାଜିବା ଲାଳସା ଯୋଗୁ ସହଦେବଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ ମା’- ପୁଅ । ସଂଘରେ ଦବ୍‌ଦବା ଜାହିର୍‌ କରିବାକୁ ଚାହୁଁଥିବା ଫେରାର୍‌ ସୁଶାନ୍ତ ଓ ତା’ ଭଣଜା ରକି ମଧ୍ୟ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇଥିଲେ । ଏତଲା କପିରେ ଦର୍ଶାଯାଇଥିବା  ଅନ୍ୟ ୨ ଅଭିଯୁକ୍ତ ମଧ୍ୟ ନିଶା କାରବାରକୁ ବିରୋଧ କରୁଥିବା ସହଦେବଙ୍କୁ ଶତ୍ରୁ ବନାଇ ଦେଇଥିଲେ । ସେପଟେ ପୁଲିସ ମାମଲାରେ  ୨ଜଣଙ୍କୁ ଅଟକ ରଖି ଜେରା କରୁଛି ।

କେତେ ମୁଣ୍ଡ ଗଡିଲେ ଚେତିବ ପୁଲିସ ? 

ବ୍ରାଉନସୁଗର ବେପାରରେ ମାତିଥିବା ଲେଡି ଡନ୍‌ ରଞ୍ଜୁର ୟୁନିଟ୍‌-୮  ନାରାୟଣୀ ବସ୍ତିରେ ଢ଼େର୍‌ ପତିଆରା ଥିଲା । ନିଶା କୁଇନ୍‌ ସାଜିଥିବା ରଞ୍ଜୁର ଦବ୍‌ଦବା ଏମିତି ବଢ଼ିଯାଇଥିଲା ଯେ, ବସ୍ତିରେ ଘଟୁଥିବା  ଝଗଡ଼ା ସବୁକୁ ତା’ର କଙ୍ଗାରୁ କୋର୍ଟରେ ମିମାଂସା ହେଉଥିଲା । ଧଳାଜହରକୁ ବିରୋଧ କରିବାରୁ ୨୦୨୨ ସେପ୍ଟେମ୍ବର ୯ରେ ପି.  ସୁବ୍ରତ ରାଓ ଓରଫ ଚନ୍ଦୁକଏ ହତ୍ୟା କରାଗଲା । କ୍ୟାପିଟାଲ  ଥାନା ପୁଲିସ ରଞ୍ଜୁ ଓ ତା’ ପୁରୁଷବନ୍ଧୁ କାହ୍ନା ନାୟକ ଗିରଫ  କରିଥିଲା । ୨୦୨୩ ସେପ୍ଟେମ୍ବରରେ ହତ୍ୟାକାରୀ କାହ୍ନାକୁ ଆଜୀବନ  ସଜା ହୋଇଛି। ଏହାପୂର୍ବରୁ ୨୦୧୮ରେ ଖଣ୍ଡଗିରି ସରକନ୍ତରାରେ  ବ୍ରାଉନସୁଗର ବେପାରକୁ ବିରୋଧ କରୁଥିବା ମିଟୁକୁ ଗୁଳି  କରି ହତ୍ୟା କରାଯାଇଥିଲା । ସେହିପରି ୨୦୨୦ ସେପ୍ଟେମ୍ବର  ୯ ତାରିଖରେ ଭରତପୁର ଥାନା ଅଞ୍ଚଳରେ ନାବାଳକ ଅଶ୍ୱିନୀ  ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା । ଧଳାଜହର କାରବାରରୁ ଆଉ  କେତେ ମୁଣ୍ଡ ଗଡି଼ଲେ, ପୁଲିସ ଚେତିବ ବୋଲି ପ୍ରଶ୍ନ ଉଠିଛି ।