ଭୁବନେଶ୍ବର, ୩/୬ :  ଦେବଗଡ଼ରେ ଏକ ବସ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରିଙ୍କୁ ବେହେରାଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ ହେଲପରଙ୍କ ମୃତ୍ଯୁ ହୋଇଥିଲା । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମରେ ଏହି  ଘଟଣା ଘଟିଥିଲା ।  ମୃତ ବସ ହେଲପର ରିଙ୍କୁ ବେହେରା ଏକ ଘରୋଇ ବସରେ ଯାଉଥିବାବେଳେ ଗୁଣ୍ଡିଆପାଲି ଗ୍ରାମରେ ବସ ସହ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର  ସଂଯୋଗ ହୋଇଥିଲା । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସହ ସଂଯୋଗ ଯୋଗୁ ସମ୍ପୂର୍ଣ୍ଣ ବସରେ ବିଦ୍ୟୁତ ପରିବାହିତ ହୋଇଯାଇଥିଲା । ବସର ହେଲପର ପାଇପ ଧରି ବସ ମଧ୍ଯରେ ଛିଡା ହୋଇଥିବାବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ଏଭଳି  ଅଘଟଣ ଘଟିଥିଲା।