ଯାଜପୁରରେ ମୁଖ୍ୟମନ୍ତ୍ରୀ: ଆମ ସରକାର ସବୁ ବର୍ଗ ପାଇଁ କାମ କରୁଛି

ଧର୍ମଶାଳା/ଦଶରଥପୁର/ବିଂଝାରପୁର,୧୯ା୨(ଆପ୍ର): ଚାଷୀ ଆମର ଜୀବନ । କୃଷିର ବିକାଶ ଆମର ଦାୟିତ୍ୱ । ସେଥିପାଇଁ କାଳିଆ ଯୋଜନା କରାଯାଇଛି । ଚାଷୀ, ଭାଗ ଚାଷୀ, ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଉଛି । କାଳିଆ ଯୋଜନାକୁ ଏବେ ସମସ୍ତେ ଅନୁକରଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା, ଦତ୍ତପୁର (ଦଶରଥପୁର) ଓ ବିଂଝାରପୁରରେ ଆୟୋଜିତ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଛି । ଆମ ସରକାର ଗରିବଙ୍କ ସରକାର । ଚାଷୀଙ୍କଠାରୁ ଗରିବ, ଶ୍ରମିକ ଓ ମହିଳାଙ୍କ ବିକାଶ ପାଇଁ ପଦକ୍ଷେପ ନେଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଛି । ମହିଳାଙ୍କ ବିକାଶ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି । ଚାଷୀଙ୍କୁ ଶୂନ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଛି । ଆଗାମୀ ଦିନରେ ଓଡ଼ିଶା ବିକାଶଧାରାକୁ ଆହୁରି ଆଗେଇ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।
ଧର୍ମଶାଳାଠାରେ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ, ଦତ୍ତପୁର ଓ ବିଂଝାରପୁରଠାରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ବିକାଶ ଆକାଶ ଛୁଆଁ ହୋଇଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଜିଲ୍ଲାପାଳ ରଂଜନ କୁମାର ଦାସ, ସାଂସଦ ରୀତା ତରାଇ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରୀତିରଂଜନ ଘଡ଼ାଇ, ଆକାଶ ଦାସ ନାୟକ, ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଧର୍ମଶାଳାରେ ୫ ଶହ କୋଟି ଟଙ୍କାର ପ୍ରକଳ୍ପ, ଦଶରଥପୁର ବ୍ଲକରେ ୧୦୦ କୋଟି ଟଙ୍କା ଓ ବିଂଝାରପୁରରେ ୪୧ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ଉଦ୍ଘାଟନ/ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।