• ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଚାନ୍ଦୁଆ ବଜାର
  • ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର

ଭୁବନେଶ୍ୱର, ୪।୬ : ଓଡ଼ିଶାର କଳା, ଐତିହ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରତୀକ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଗତ ସରକାରଗୁଡ଼ିକର ଅଦୂରଦର୍ଶିତା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ କାରିଗରମାନେ ବର୍ଷ ବର୍ଷ ଧରି ନିଜର ହକ୍ରୁ ବଞ୍ଚିତ ହେଉଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ 'Raw Material Bank' ସ୍ଥାପନ କରାଯିବ। ଏହାସହ ଇ-କମର୍ସ ଯୁଗକୁ ଲକ୍ଷ୍ୟ କରି କାରିଗର, ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG)ର ମାଆ ଓ ଭଉଣୀମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଏବଂ ପ୍ୟାକେଜିଂର ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୩୬ ଓଡ଼ିଶା ଗଠନର ଶତବାର୍ଷିକୀ ଓ ୨୦୪୭ ସ୍ୱାଧୀନତାର ଶତବର୍ଷ ପୂର୍ତ୍ତିକୁ ଆଖି ଆଗରେ ରଖି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହି ହବ୍ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ।

ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ପିପିଲି ଚାନ୍ଦୁଆ ହେଉଛି ଓଡିଶାର ଗର୍ବ ଓ ଗୌରବ। ଏହା ଆମ ପାରମ୍ପରିକ ଐତିହ୍ୟର ସୌରଭ। ଆମ ଅସ୍ମିତାର ନିଦର୍ଶନ। ଏହି ଚାନ୍ଦୁଆ ହବ୍ ପିପିଲିର ଅର୍ଥନୀତିକୁ ନୂଆ ଶକ୍ତିଦେବ। ରାଜ୍ୟର ପ୍ରତିଟି କାରିଗର ଓ ବୁଣାକାରଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧତାର ସହ କାମ କରୁଛନ୍ତି। ବୁଣାକାର ଓ କାରିଗର ମାନଙ୍କର ଜୀବନ ଜୀବିକାର ସମୃଦ୍ଧି ପାଇଁ କଞ୍ଚାମାଲ, ବିପଣନ ଓ ଭିତ୍ତିଭୂମି ବିକାଶକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଥିଲେ। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପିପିଲି ବାସୀଙ୍କର ବହୁ ଦିନର ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ।

ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଜିଲ୍ଲାପାଳ ପୁରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ସମନ୍ୱିତ “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ।

ଆହୁରି ପଢନ୍ତୁ : ସରକାରୀ ବ୍ୟବହାର ପାଇଁ ଭଡାରେ ଆସିବ ଇଭି ଭେଇକିଲ, ଧାର୍ଯ୍ୟ ହେଲା ମାସିକ ଭଡ଼ା ଦେୟ