• ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଯାଏଁ ମାସିକ ଇଭି ଭେଇକିଲ ଭଡ଼ା ଧାର୍ଯ୍ୟ
  • ବ୍ଲକ୍ ଓ ତହସିଲ୍ ସ୍ତରରେ ସରକାରୀ କର୍ମଚାରୀଙ୍କ ମାସିକ ଇଭି ଭେଇକିଲ ଭଡ଼ା ଧାର୍ଯ୍ୟ
  • OREDAରେ ସର୍ବାଧିକ ୩୦୦ଟି EV ଭଡ଼ାରେ ଯୋଗାଇବା ବ୍ୟବସ୍ଥା

ଭୁବନେଶ୍ବର, ୪।୬ : ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଇନ୍ଧନ ସମସ୍ୟା ସୃଷ୍ଟି ହୋଇଛି। ଇନ୍ଧନ ବ୍ୟୟର ଆର୍ଥିକ ଭାରକୁ ଦୃଷ୍ଟିରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବାଧ୍ୟତାମୂଳକ ଭାବେ ବୈଦ୍ୟୁତିକ ଯାନ (EV) ଭଡାରେ ନିୟୋଜନ କରାଯିବ।  ନିୟୋଜିତ ବୈଦ୍ୟୁତିକ ଯାନର (EV) ଭଡ଼ା ଦେୟ ସରକାର ଧାର୍ଯ୍ୟ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ୍ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି।

ବ୍ଲକ ଓ ତହସିଲସ୍ତର ପାଇଁ ସର୍ବାଧିକ ମାସିକ ଭଡ଼ା ୫୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବିଭାଗ ବା ବିଭାଗୀୟ ମୁଖ୍ୟଙ୍କ ପୁଲ୍ ଭେକିଲ୍, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରୀୟ ଗାଡ଼ି ପାଇଁ ଏହି ସୀମା ୫୦ହଜାର ଟଙ୍କା ରଖାଯାଇଛି। ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଏସପିଙ୍କ ପାଇଁ ସର୍ବାଧିକ ୬୦ହଜାର ଟଙ୍କା ଏବଂ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ କମିଶନର-ତଥା-ସଚିବ ପାହ୍ୟାର ଅଧିକାରୀଙ୍କ ପାଇଁ ୬୫ହଜାର ଟଙ୍କା ମାସିକ ଭଡ଼ା ସ୍ଥିର ହୋଇଛି। ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ରାଜସ୍ୱ ପର୍ଷଦର ସଦସ୍ୟମାନଙ୍କ ପାଇଁ ଏହି ସର୍ବାଧିକ ଭଡ଼ା ୭୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ଓ ମନ୍ତ୍ରୀମାନଙ୍କ ବ୍ୟବହାର ପାଇଁ ମାସିକ ସର୍ବାଧିକ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି ଭଡ଼ା ଦେୟ ଧାର୍ଯ୍ୟ କରାଯାଇଛି।

ତେବେ ଭଡ଼ା ଦେୟ ମଧ୍ୟରେ ଚାର୍ଜି ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବନାହିଁ। ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ବୈଦୁତିକ ଯାନ ଚାର୍ଜି ବାବଦରେ ପ୍ରତି କିଲୋମିଟର ପିଛା ୨ ଟଙ୍କା ହାରରେ ଦେୟ ପ୍ରଦାନ କରାଯିବ। ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର ଚାର୍ଜଙ୍ଗ ବାବଦ ଖର୍ଚ୍ଚ ବହନ କରିବେ, ସେଠାରେ ଯାନ ଯୋଗାଇଥିବା ସଂସ୍ଥାକୁ ଚାର୍ଜିଂ ବାବଦରେ ଦେୟ ପ୍ରଦାନ କରାଯିବ ନାହିଁ। ଏହି ଦର ଦୁଇ ବର୍ଷ ପାଇଁ ପ୍ରଯୁଜ୍ୟ ହେବ ଏବଂ ଏହା ପରେ ଏହାର ପୁନର୍ବିଚାର କରାଯିବ।

ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ OREDA ମାଧ୍ୟମରେ ବୈଦ୍ୟୁତିକ ଯାନ (EV) ଭଡ଼ା ସୂତ୍ରରେ ଆଣିପାରିବେ । ଭଡା ଦେୟ ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଥିବା ଦରରେ OREDA କୁ ପ୍ରଦାନ କରିବେ। OREDA ସର୍ବାଧିକ ୩୦୦ଟି ବୈଦ୍ୟୁତିକ ଯାନ (EV) ଭଡ଼ା ସୂତ୍ରରେ ପ୍ରଦାନ କରିପାରିବ। ସରକାରୀ କାର୍ଯ୍ୟାଳୟ ତଥା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବ୍ୟବହାର ପାଇଁ ଭଡା ସୂତ୍ରରେ କେବଳ ବୈଦୁତିକ ଯାନକୁ ନିୟୋଜିତ କରାଯିବ।

ଆହୁରି ପଢନ୍ତୁ : ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ , ୫୦ରୁ ଅଧିକ ସ୍ଥାନର ନାମ ହେବ ପରିବର୍ତ୍ତନ