PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ଓଡ଼ିଶା ପାଇଁ ହେଉ ଏକକ ରେଳ ଜୋନ୍, ରାଜ୍ୟର ସବୁ ରେଳପଥ ଏହା ଅଧୀନକୁ ଆସୁ

ଭୁବନେଶ୍ୱର,୨୦/୧୧: ସାରା ଓଡ଼ିଶା ପାଇଁ ହେଉ ଏକକ ରେଳ ଜୋନ । ଏହି ଜୋନ୍‌ ଅଧୀନକୁ ରାଜ୍ୟର ସବୁ ରେଳପଥକୁ ଅଣାଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ଦାବି ରଖି ଚିଠି ଲେଖିଛନ୍ତି ।

ଶନିବାର ମୋଦିଙ୍କୁ ଲେଖିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ଭାରତୀୟ ରେଳକୁ ଓଡ଼ିଶାର ସର୍ବାଧିକ ଯୋଗଦାନ ରହିଛି । ବିଶେଷକରି ରାଜସ୍ୱ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଦ୍ରୁତ ଶିଳ୍ପ ଅଭିବୃଦ୍ଧି ଯୋଗୁଁ ଓଡ଼ିଶାରୁ ଖଣିଜ ଦ୍ରବ୍ୟ ପରିବହନ କରି ରେଳକୁ ବୃହତ ଯୋଗଦାନ କରିଥିଲେ ବି ଓଡ଼ିଶା ଦୀର୍ଘ ଦିନ ହେବ ଅବହେଳିତ ହୋଇ ଆସୁଛି । ସାରା ଓଡ଼ିଶା ଗୋଟିଏ ରେଳ ଜୋନ୍‌ ଅଧୀନକୁ ଆସିବା ନେଇ ପୂର୍ବରୁ ବାରମ୍ୱାର ଦାବି ହୋଇ ଆସୁଛି । ବାରମ୍ୱାର ଦାବି ପରେ ୨୦୦୩ ଏପ୍ରିଲ ୧ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ୱତନ୍ତ୍ର ପୂର୍ବତଟ ରେଳ ଜୋନ୍‌ ଗଠନ କରିଥିଲେ । କୋଲକାତାରେ ଥିବା ଦକ୍ଷିଣ ପୂର୍ବ ରେଳପଥରୁ ଏହାକୁ ଅଲଗା କରିଥିଲେ । ଏବେ ପୂର୍ବତଟ ରେଳପଥ ଭାରତୀୟ ରେଳ ମନ୍ତ୍ରଣାଳୟର ସର୍ବାଧିକ ରାଜସ୍ୱ ଦେଉଥିବା ଜୋନ୍‌ । ସର୍ବାଧିକ ମାଲ୍‌ ପରିବହନ କରୁଥିବା ବେଳେ ଅନ୍ୟ ସମସ୍ତ ରେଳ ଜୋନ୍‌ ତୁଳନାରେ ସ୍ୱଳ୍ପ ଖର୍ଚ୍ଚରେ ଜୋନ୍‌ ପରିଚାଳନାର ମାନ୍ୟତା ମଧ୍ୟ ପାଇଛି ପୂର୍ବତଟ ରେଳପଥ ।

ଅପରପକ୍ଷେ, କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷିଣତଟ ରେଳ ଜୋନ୍‌ ଗଠନ କରିଛନ୍ତି । ଏହାଦ୍ୱାରା ପୂର୍ବତଟ ରେଳପଥ ବ୍ୟାପକ ଭାବେ ପ୍ରଭାବିତ ହେବ । ପୂର୍ବରୁ ପୂର୍ବତଟ ରେଳପଥ ବିଶାଖାପଟଣା ଅଞ୍ଚଳରେ ରେଳ ମରାମତି କାରଖାନା, ଲୋକୋମୋଟିଭ୍‌ ଓ ୱାଗନ୍‌ କାରଖାନା ପ୍ରତିଷ୍ଠା କରିଛି । ଏବେ ଏହା ଦକ୍ଷିଣତଟ ରେଳ ଜୋନ୍‌ ହେବା ଦ୍ୱାରା ପୂର୍ବତଟ ରେଳପଥ ପରିଚାଳନାରେ ମଧ୍ୟ ସମସ୍ୟା ରହିବ । ଏହାକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ଏକକ ରେଳ ଜୋନ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି । ଓଡ଼ିଶା ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧୀନକୁ ଆଣିବାକୁ ଦାବି କରିଛନ୍ତି ନବୀନ । ଏଥିପାଇଁ ରାଉରକେଲା, ଯାଜପୁର କିମ୍ୱା ଯାଜପୁର-କେନ୍ଦୁଝର ରୋଡ଼ ଓ ରାୟଗଡ଼ାରେ ତିନୋଟି ନୂଆ ରେଳ ଡିଭିଜନ୍‌ ଗଠନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ଝାରସୁଗୁଡ଼ା-ବରସୁଆଁ-କିରିବୁରୁ ରେଳପଥ, ରାଉରକେଲା-ନୂଆଗାଁ ଓ ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧୀନରେ ଥିବା ଝାରସୁଗୁଡ଼ା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉରକେଲା ରେଳ ଡିଭିଜନ ସହ ସାମିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ସେହିଭଳି ଯାଜପୁର କିମ୍ୱା ଯାଜପୁର-କେନ୍ଦୁଝର ରୋଡ୍‌ ଡିଭିଜନରେ ବାଂଶପାଣି-ପଦପାହାଡ଼, ରୂପ୍‌ସାବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷ୍ମଣନାଥ ରୋଡ଼ ରେଳପଥକୁ ନୂଆ ଡିଭିଜନ ଅଧୀନକୁ ଅଣାଯାଉ । ରାୟଗଡ଼ାରେ ମଧ୍ୟ ପୂର୍ବତଟ ରେଳ ଜୋନ ଅଧୀନରେ ଏକ ନୂଆ ଡିଭିଜନ୍‌ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡ଼ା-ଗୁଣପୁର, ରାୟଗଡ଼ା-ଟିଟଲାଗଡ଼-ରାୟପୁର, କୋରାପୁଟ-ରାୟଗଡ଼ା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଂଜିଗଡ଼ ରୋଡ଼-ଜୁନାଗଡ଼ ରେଳପଥକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନବୀନ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାଦ୍ୱାରା ରାଜ୍ୟରେରେଳ ମଧ୍ୟରେ ସହଜରେ ସମ୍ୱନୟ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର

1 min read