ପକ୍କା ଘର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି: : ବିଜେପି

source:odishatime.com
ଭୁବନେଶ୍ୱର,୯ା୩(ବ୍ୟୁରୋ): ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପକ୍କା ଘର ନିର୍ମାଣ ନେଇ ବାରମ୍ବାର ମିଛ କହୁଛନ୍ତି । ରାଜ୍ୟ ସରକାର ୨୦ ଲକ୍ଷ କଚ୍ଚା ଘରକୁ ପକ୍କା କରିଥିବା ଦାବି କରୁଥିଲା ବେଳେ ସେଥିରୁ କେତେ ଘର ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରୁ ତାହା ସ୍ପଷ୍ଟ କରୁନାହାନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ମିଛ ପ୍ରତିଶ୍ରୁତି । ୨୦୧୪ ଇସ୍ତାହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ପ୍ରତିଶ୍ରୁତିରେ ଯାହାର ଘରଡିହ ନାହିଁ ତାକୁ ସରକାରୀ ଜମି ଏପରିକି ସରକାରୀ ଜମି ନଥିଲେ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଯୋଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ରାଜ୍ୟରେ ୩୦ ଲକ୍ଷ ଲୋକ ଆଜି ବିନା ପକ୍କା ଘରରେ ଅଛନ୍ତି । ରାଜ୍ୟ ସରକାର ୫ ବର୍ଷରେ ୨୦ ଲକ୍ଷ ପକ୍କା ଘର ଗରିବଙ୍କୁ ଦେଇଥିବା କହୁଥିବା ବେଳେ ୧୭ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ହୋଇଛି । ଏହା ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଯୋଜନା । ଗତ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ବିଜୁ ପକ୍କାଘର ଓ ଅନ୍ୟାନ୍ୟ ରାଜ୍ୟ ଯୋଜନାରେ ପକ୍କା ଘର ସଂଖ୍ୟା ହେଉଛି ମାତ୍ର ୩ ଲକ୍ଷ ୭୭ ହଜାର । ବାକି ୧୬ ଲକ୍ଷ ୨୩ ହଜାର କେନ୍ଦ୍ରୀୟ ଯୋଜନାରେ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୃଥିବୀର ସବୁଠୁ ବଡ଼ ଯୋଜନା ଜାଗା ମିଶନ ବୋଲି କହିଲେ କିନ୍ତୁ ଆଜି ଓଡ଼ିଶାରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀପଟ୍ଟା ମିଳିନାହିଁ ।
ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ଗତ ୩ ବର୍ଷରେ ଯାହା ପକ୍କା ଘର ହେଉଛି ସେ ସବୁ କେନ୍ଦ୍ରୀୟ ଯୋଜନାରେ ହେଉଛି । ରାଜ୍ୟ ସରକାର କେବଳ ବିଜ୍ଞାପନ ଦେଇ ଅର୍ଥ ଖର୍ଚ୍ଚ କରୁଛନ୍ତି । ଗତ ୩ଟି ଆର୍ଥିକ ବଜେଟରେ ବିଜୁ ପକ୍କାଘର ପାଇଁ ରାଜ୍ୟ ସରକାର କୌଣସି ଅର୍ଥ ବ୍ୟୟ ବରାଦ କରିନାହାନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଅନୁଦାନ କେନ୍ଦ୍ର ସରକାର ଦେଇଛନ୍ତି ।