ଭୁବନେଶ୍ୱର : ହାଇଦ୍ରାବାଦ ସ୍ଥିତ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିକୁ , ଆଜି ( ୨୦ ଡିସେମ୍ୱର)ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ ପରିଦର୍ଶନ। ସେଠାରେ ସେ ଜଗତଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିବା ସହ ସେହି ପୂଜ୍ୟ ଦାର୍ଶନିକ ,ସନ୍ଥ ଓ ସମାଜ ସଂସ୍କାରକଙ୍କୁ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ଯାହାଙ୍କର ସମାନତା, କରୁଣା ଏବଂ ସାମାଜିକ ସଦ୍ଭାବ ଶିକ୍ଷା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଆସୁଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ , ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜୀୟାର ସ୍ୱାମୀଜୀଙ୍କୁ ଭେଟି ଥିଲେ ଏବଂ ଭାରତର ଆଧ୍ୟାତ୍ମିକ ପରମ୍ପରା, ସମାବେଶୀ ଦର୍ଶନ ଏବଂ ସମସାମୟିକ ସମାଜରେ ରାମାନୁଜାଚାର୍ଯ୍ୟଙ୍କ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ।

ସ୍ୱାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆଶୀର୍ବାଦ ଦେବା ସହ ଓଡ଼ିଶାବାସୀଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ତାଙ୍କର ଶୁଭକାମନା ଜଣାଇ ଥିଲେ। ଗସ୍ତର ଏକ ଅଂଶ ସ୍ୱରୂପ ,ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଅହୋବିଳା ରାମାନୁଜ ଜୀୟାର ସ୍ୱାମୀଜୀଙ୍କ ଦ୍ୱାରା ରଚିତ, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ଆଧାରିତ ଓଡ଼ିଆ ଭଜନ ମଧ୍ୟ ଉନ୍ମୋଚନ କରିଥିଲେ।

ଉକ୍ତ ଗୀତଟି ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନୀ, ଦର୍ଶନ ଏବଂ ଆଧ୍ୟାତ୍ମିକ ବାର୍ତ୍ତାକୁ ଓଡ଼ିଆ ଭକ୍ତମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛି, ଯାହା ଭାରତର ସଭ୍ୟତାଗତ ଐତିହ୍ୟ ରାମାନୁଜାଚାର୍ଯ୍ୟ ଦର୍ଶନ ସହ ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସଂଯୋଗକୁ ଆହୁରି ମଜବୁତ କରିବ।

ଗସ୍ତ ପରେ ନିଜର ଅଭିଜ୍ଞତା ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସମାନତାର ପ୍ରତିମା (ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି) କେବଳ ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଚମତ୍କାର ପ୍ରତୀକ ନୁହେଁ ,ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ ନ୍ୟାୟ, ଅନ୍ତର୍ଭୁକ୍ତି ଏବଂ ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧର ଏକ ଶକ୍ତିଶାଳୀ ସ୍ମାରକ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହିପରି ମୂଲ୍ୟବୋଧ ଓଡ଼ିଶାର ସନ୍ତୁଳିତ ବିକାଶ, ସାମାଜିକ ସଦ୍ଭାବ ଏବଂ ଲୋକକୈନ୍ଦ୍ରିକ ଶାସନ ଦୃଷ୍ଟିକୋଣକୁ ମାର୍ଗଦର୍ଶନ କରିଆସୁଛି।