ଭୁବନେଶ୍ୱର ୧୪/୦୭: ଜର୍ମାନୀରେ ଅନୁଷ୍ଠିତ 'ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ' ଆଥଲେଟିକ୍ସ ମିଟ୍ରେ ଓଡ଼ିଶାର ପ୍ରତିଭାବାନ ସ୍ପ୍ରିଣ୍ଟର ଅନିମେଶ କୁଜୁର ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ପୁରୁଷ ୧୦୦ ମିଟର ଦୌଡ଼କୁ ମାତ୍ର ୧୦.୧୪ ସେକେଣ୍ଡରେ ସମାପ୍ତ କରି ବିଦେଶ ମାଟିରେ ଜଣେ ଭାରତୀୟ ସ୍ପ୍ରିଣ୍ଟରଙ୍କ ସର୍ବାଦ୍ରୁତ ସମୟର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନିମେଶଙ୍କୁ ପ୍ରଶଂସା କରିବା ସହ ଶୁଭକାମନା ଜଣାଇଛନ୍ତି । ଏଥି ସହିତ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।
ଜର୍ମାନୀରେ ଅନୁଷ୍ଠିତ 'ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ' ମିଟ୍ର ୧୦୦ ମିଟର ଦୌଡ଼କୁ ମାତ୍ର ୧୦.୧୪ ସେକେଣ୍ଡରେ ଶେଷ କରି ଓଡ଼ିଶାର ପ୍ରତିଭାବାନ ସ୍ପ୍ରିଣ୍ଟର ଅନିମେଶ କୁଜୁର ବିଦେଶ ମାଟିରେ ଜଣେ ଭାରତୀୟ ସ୍ପ୍ରିଣ୍ଟର ଭାବେ ଦ୍ରୁତତମ ସମୟର ଏକ ଅସାଧାରଣ କୀର୍ତ୍ତିମାନ ସ୍ଥାପନ କରିବା ସହ ଆମ ରାଜ୍ୟ ଓ ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି।… pic.twitter.com/lwoHtjq7Wf
— Mohan Charan Majhi (@MohanMOdisha) July 11, 2026
ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଅନିମେଶଙ୍କ ଏହି ଉଲ୍ଲେଖନୀୟ ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବର ବିଷୟ ପାଲଟିଛି। ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ତାଙ୍କର ଏହି କୃତିତ୍ୱ ଦେଶର ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ନୂତନ ପ୍ରେରଣା ସୃଷ୍ଟି କରିବ । ତାଙ୍କର ଏହି ଅସାଧାରଣ ସଫଳତା ଆମର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରିତ କରିବ।