ନୂଆଦିଲ୍ଲୀ, ୧୪।୭: ପୃଥିବୀରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜର ସୌନ୍ଦର୍ଯ୍ୟ ଓ ପରମ୍ପରା ପାଇଁ ବେଶ୍ ପ୍ରସିଦ୍ଧ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହାର ବିଶେଷତ୍ୱ ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି । ଏହି ଗାଁରେ ଯାତାୟାତ ପାଇଁ ଗୋଟିଏ ହେଲେ ବି ସଡ଼କ ନାହିଁ କି ଗାଡ଼ି-ମୋଟର ଚାଲେନାହିଁ । ଏଠାରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଘରର ଛାତକୁ ରାସ୍ତା ଭାବେ ବ୍ୟବହାର କରନ୍ତି  । ଆମେ କହୁଛୁ ଇରାନର ପ୍ରସିଦ୍ଧ ପାହାଡ଼ିଆ ଗାଁ 'ମସୁଲେହ' ବିଷୟରେ, ଯାହାକୁ ‘ଛାତ ଗାଁ’ ବା ‘ବାଦଲର ଗାଁ’ ବୋଲି ମଧ୍ୟ କୁହାଯାଏ । ମସୁଲେହ ଗାଁଟି ଏକ ପାହାଡ଼ିଆ ଢାଲୁ ସ୍ଥାନରେ ଗଢ଼ି ଉଠିଛି । ଏଠାକାର ସ୍ଥାପତ୍ୟ କଳା ଏତେ ନିଆରା ଯେ, ତଳେ ଥିବା ଘରର ଛାତଟି ଉପର ଘର ପାଇଁ ଅଗଣା କିମ୍ବା ମୁଖ୍ୟ ରାସ୍ତା ପାଲଟିଯାଏ ।

ଘରଗୁଡ଼ିକ ପରସ୍ପର ଉପରେ ଏଭଳି ଭାବେ ଥାକ ଥାକ ହୋଇ ରହିଛି ଯେ ଛାତଗୁଡ଼ିକ ହିଁ ଗାଁ ଲୋକଙ୍କ ପାଇଁ ଯାତାୟାତର ରାସ୍ତା, ଦୋକାନ ବଜାର, ଲୋକଙ୍କ ଏକାଠି ହେବାର ସାମାଜିକ କେନ୍ଦ୍ର ।  ଖାସ୍ କଥା ହେଉଛି ଏହି ଗାଁ ଭିତରକୁ କୌଣସି ଗାଡ଼ି ଯେପରିକି କାର୍ କିମ୍ବା ବାଇକ୍ ପ୍ରବେଶ କରିପାରେ ନାହିଁ । ଏଠାରେ କେବଳ ପାଦରେ ଚାଲି ଚାଲି ହିଁ ଯାତ୍ରା କରିବାକୁ ପଡ଼ିଥାଏ । ପର୍ଯ୍ୟଟକମାନଙ୍କ କହିବା ଅନୁଯାୟୀ, ଏହି ଗାଁରେ ବୁଲିବା ପୂରାପୂରି ଏକ ପରୀ ରାଇଜର କାହାଣୀ ଭଳି ମନେହୁଏ । ସକାଳ ସମୟରେ ଯେତେବେଳେ ଚାରିଆଡ଼େ କୁହୁଡ଼ି ଘେରିଯାଏ, ସେତେବେଳେ ଛାତ ଉପରେ ଚାଲିଲେ ଲାଗେ ସତେ ଯେମିତି ଆମେ ବାଦଲ ଉପରେ ଚାଲୁଛୁ । ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସମୟରେ ସାରା ଗାଁଟି ସୁନେଲି ରଙ୍ଗରେ ରଙ୍ଗେଇ ହୋଇଯାଏ, ଯାହା ଫଟୋଗ୍ରାଫରମାନଙ୍କ ପାଇଁ ଏକ ସ୍ୱର୍ଗ ସଦୃଶ ।

ଏହା ବି ପଢ଼ନ୍ତୁ... କଳା ଅଣ୍ଡାର ଅଜବ କାହାଣୀ ! ଖାଇଲେ ବଢିବ ୭ ବର୍ଷ ଆୟୁଷ ..

ପର୍ଯ୍ୟଟକମାନେ ଏଠାକୁ ଆସି ଛୋଟ ଛୋଟ ଦୋକାନରୁ ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀ କିଣନ୍ତି ଏବଂ ଖୋଲା ଆକାଶ ତଳେ ଛାତ ଉପରେ ବସି ପାରମ୍ପରିକ ଇରାନୀ ଚା’ର ମଜା ନିଅନ୍ତି । ଏଠାକାର ପ୍ରସିଦ୍ଧ କାଫେ ଓ କେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ଏହି ଛାତଗୁଡ଼ିକ ଉପରେ ହିଁ ପରିଚାଳିତ ହୋଇଥାଏ । କୁହାଯାଏ, ଏହି ଗାଁର ସ୍ଥାପନା ଶତାଧିକ ବର୍ଷ ପୂର୍ବେ ହୋଇଥିଲା । ଏଠାକାର ଲୋକେ ପଥର ଓ ମାଟିରେ ତିଆରି ଘରେ ରହନ୍ତି, ଯାହା ସେମାନଙ୍କୁ ପ୍ରବଳ ଶୀତ ଏବଂ ବର୍ଷାରୁ ରକ୍ଷା କରିଥାଏ । ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଗାଁ ନିଜର ମୂଳ ଗଠନ ଓ ପରମ୍ପରାକୁ ବଜାୟ ରଖିଛି । ଏଠାରେ କୌଣସି ବଡ଼ ବଡ଼ କୋଠାବାଡ଼ି ନିର୍ମାଣ ହେଉନାହିଁ । ଏଠାକାର ମହିଳାମାନେ ହସ୍ତଶିଳ୍ପ ତିଆରି କରୁଥିବା ବେଳେ ପୁରୁଷମାନେ କୃଷି ଓ ପର୍ଯ୍ୟଟନ ସହ ଜଡ଼ିତ କାମ କରି ଜୀବିକା ନିର୍ବାହ କରନ୍ତି । ଏହି ଅଦ୍ଭୁତ ସ୍ଥାପତ୍ୟ ଶୈଳୀକୁ ଦୃଷ୍ଟିରେ ରଖି ଇରାନ ସରକାର 'ମସୁଲେହ'କୁ ଜାତୀୟ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରିଛନ୍ତି । ଏବେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ସୁଯୋଗ ମଧ୍ୟ କରାଯାଉଛି, ଯାହା ଦ୍ୱାରା ସାରା ବିଶ୍ୱରୁ ଲୋକେ ଏହି ସ୍ୱର୍ଗକୁ ଦେଖିବାକୁ ଛୁଟି ଆସୁଛନ୍ତି ।