ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ବଡ଼ ଦାବି। ପାର୍ଟିର କହିବାନୁସାରେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀରେ ଇଡବ୍ଲ୍ୟୁଏସ ସାର୍ଟିଫିକେଟ୍‌ ଜାରି କରିବାରେ ଲଗାଇଛନ୍ତି ରୋକ୍‌। ଆପ୍‌ର ବରିଷ୍ଠ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀ ଭିତରେ ଏବେ ଇଡବ୍ଲ୍ୟୁଏସ ସାର୍ଟିଫିକେଟ୍‌ ଦିଆ ଯିବ ନାହିଁ। ସେ କହିଛନ୍ତି , ନିର୍ଦ୍ଦେଶରେ କୁହାଯାଇଛି ଯେ, ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ତିଆରି କରିବାରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଏଥିପାଇଁ ସାର୍ଟିଫିକେଟ୍‌ ଜାରି କରିବା ପାଇଁ ଆଗାମୀ ନିର୍ଦ୍ଦେଶ ଯାଏ ରୋକ୍‌ ଲଗେଇ ଦିଆଯାଇଛି।  

ସୌରଭ ଭରଦ୍ୱାଜ କହିଛନ୍ତି, ସରକାର ସ୍କୁଲ-କଲେଜ୍‌ରେ ୧୦ ପ୍ରତିଶତ ଇଡବ୍ଲ୍ୟୁଏସର ସଂରକ୍ଷଣ ଦେଇଛନ୍ତି ଏବଂ ଏବେ ଏଥିରେ ରୋକ୍‌ ଲାଗିଲେ ଛାତ୍ରଛାତ୍ରୀଙ୍କୁ ସମସ୍ୟା ହେବ। ହସ୍ପିଟାଲରେ ଇଡବ୍ଲ୍ୟୁଏସ୍‌ ପ୍ରମାଣ ପତ୍ରର ଆଧାରରେ ସଂରକ୍ଷଣ ମିଳିଥାଏ , କିନ୍ତୁ ଏବେ ଏହା ସମ୍ଭବ ହୋଇ ପାରିବ ନାହିଁ। 

ଆପ୍‌ ନେତା କହିଛନ୍ତି , ଯଦି ଇଡବ୍ଲ୍ୟୁଏସ୍‌ ପ୍ରମାଣ ପତ୍ର ଭୁଲ୍‌ ଭାବେ ତିଆରି ହୋଇଥିଲା, ତେବେ ବିଜେପି ନିଜର କେତେ ଜଣେ ଅଧିକାରୀଙ୍କୁ ଦଣ୍ଡ ଦେଇଛି ? ସୌରଭ ଭରଦ୍ୱାଜ କହିଛନ୍ତି , ସେମାନେ ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ରୋକିବା ପଛରେ କାରଣ କହିଛନ୍ତି ଯେ, ଅନେକ ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ଭୁଲ୍‌ ଭାବେ ତିଆରି ହୋଇଛି। ଏବେ ସରକାର କହିବେତି, ଭୁଲ୍‌ ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ତିଆରି କରିଥିବା କେତେ ଏସଡିଏମ୍‌ ଓ ଡିଏମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ସେ କହିଛନ୍ତି, ନିଜର ଅଧିକାରୀଙ୍କ ଭୁଲ୍‌ର ସଜା ସାଧାରଣ ଲୋକଙ୍କୁ କାହିଁକି ଦିଆ ଯାଉଛି?

ସୌରଭ ଭରଦ୍ୱାଜ ଅଭିଯୋଗ ଲଗାଇ କହିଛନ୍ତି , ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ବନ୍ଦ କରି ବିଜେପି ଘରୋଇ ସ୍କୁଲ ଓ ହସ୍ପିଟାଲକୁ ଫାଇଦା ଦେବାର ଯୋଜନା କରିଛି । ଏବେ ନା ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ହେବ ନା ହିଁ କେହି ଇଡବ୍ଲ୍ୟୁଏସ୍‌ ସଂରକ୍ଷଣର ଫାଇଦା ଉଠାଇ ପାରିବେ।