ନୂଆଦିଲ୍ଲୀ – ଉତ୍ତର ପ୍ରଦେଶର ବାଗପତରେ “ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଉତ୍ସବ” ଏକ ନିଆରା ଉଦାହରଣ ପାଲଟିଛି, ଯେଉଁଠି ମାନବତା ଓ ଏକତାର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଛି। ଏହି ଭବ୍ୟ ଆୟୋଜନରେ ଗୋଟିଏ ମଣ୍ଡପ ତଳେ ଶହ ଶହ ଯୋଡି ନୂଆ ଜୀବନର ଶୁଭାରମ୍ଭ କରିଛନ୍ତି।
ଏହି ଉତ୍ସବଟି କେବଳ ଗୋଟିଏ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ନଥିଲା, ବରଂ ସାମାଜିକ ସୌହାର୍ଦ୍ଦ, ପ୍ରେମ ଓ ସମାନତାର ଏକ ଅପୂର୍ବ ଉତ୍ସବ ପାଲଟି ଥିଲା। ବାଗପତର ଡିଏମ୍ ଅସ୍ମିତା ଲାଲ୍ଙ୍କ କହିବାନୁସାରେ ,ଏହି ଭବ୍ୟ ଆୟୋଜନରେ ୩୦୦ ଯୋଡ଼ିଙ୍କ ବିବାହ କରାଯାଇଛି।
ଏହି ଆୟୋଜନର ସବୁଠୁ ବିଶେଷ କଥା ଏହା ଯେ, ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସରକାରୀ ଅଧିକାରୀଙ୍କ ସ୍ଥାନରେ ପରିବାରର ଗୁରୁଜନଙ୍କର ଭୂମିକା ତୁଲାଇଛନ୍ତି।ଜିଲ୍ଲାଧିକାରୀ ଅସ୍ମିତା ଲାଲ୍ ନିଜେ ସେଠାରେ ନବବିବାହିତା ଯୋଡ଼ିଙ୍କର ଅଭିଭାବକ ସାଜି ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ଏହି ଆୟୋଜନରେ ଏକ ପାରିବାରିକ ସ୍ପର୍ଶ ଅନୁଭବ ହୋଇଥିଲା।ଜିଲ୍ଲାର ଅନେକ ଅଫିସରମାନେ ବର-ବଧୂଙ୍କୁ ଆର୍ଶୀବାଦ ଦେଇଥିଲେ, ଗଠବନ୍ଧନ ବାନ୍ଧିଥିଲେ ଏବଂ ନବବିବାହିତ ଯୋଡ଼ିଙ୍କୁ ତାଙ୍କର ଆବଶ୍ୟକୀୟ ଜିନିଷ ଦେଇ ବିଦା କରିଥିଲେ।
ସାମୂହିକ ବିବାହରେ ସାମିଲ ହୋଇଥିବା ବର-କନ୍ୟା ଏହି ଆୟୋଜନକୁ ଖୁବ୍ ପ୍ରଶଂସା କରିଥିଲେ। କନ୍ୟା ଛବି ଶର୍ମା କହିଥିଲେ , ମୁଁ ଏହି ବିବାହରେ ବହୁତ ଖୁସି , ଏଠାରେ ବିବାହରେ ସବୁ ଜିନିଷ ଦିଆଯାଉଛି। ମୁଁ ଯୋଗୀ ଜୀ (ମୁଖ୍ୟମନ୍ତ୍ରୀ)ଙ୍କର ଏବଂ ପ୍ରଶାସନକୁ ଧନ୍ୟବାଦ ଦେଉଛି।