ଲକ୍ଷ୍ନୌ, ୧୮।୫: ଆଗକୁ ବକ୍ରି ଇଦ୍ ପର୍ବ ଆସୁଥିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବସାଧାରଣ ସ୍ଥାନ ଓ ରାସ୍ତାଘାଟରେ ନମାଜ ପାଠକୁ ନେଇ ଏକ ବଡ଼ ଏବଂ କଡ଼ା ବୟାନ ଦେଇଛନ୍ତି । ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ରାସ୍ତା ଅବରୋଧ କରି କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । ଯଦି ନମାଜ ପଢ଼ିବାର ଅଛି, ତେବେ ଲୋକେ ଶିଫ୍ଟ ଅନୁସାରେ ପଢ଼ନ୍ତୁ । ଭଲରେ ବୁଝାଇଲେ ଯଦି କେହି ନ ମାନିବେ, ତେବେ ସରକାର ଅନ୍ୟ ଉପାୟ ଆପଣାଇବାକୁ ବାଧ୍ୟ ହେବେ ।

‘ୟୁପିରେ ରାସ୍ତା ଉପରେ ନମାଜ ପାଠ ସମ୍ପୂର୍ଣ୍ଣ ବନ୍ଦ’

ନିଜ ସରକାରଙ୍କ କଡ଼ା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, "ଅନେକ ସମୟରେ ଲୋକେ ମତେ ପଚାରନ୍ତି, ସତରେ କ’ଣ ୟୁପିରେ ରାସ୍ତା ଉପରେ ନମାଜ ପଢ଼ା ହେଉନାହିଁ ? ମୁଁ ସେମାନଙ୍କୁ ସ୍ପଷ୍ଟ ଭାବେ କହେ- ଆଦୌ ନାହିଁ, ଆପଣ ନିଜେ ଯାଇ ଦେଖିପାରିବେ । ରାସ୍ତା କେବଳ ଯାତାୟାତ ପାଇଁ ଉଦ୍ଦିଷ୍ଟ । କୌଣସି ବି ବ୍ୟକ୍ତି ଛକ ଜାଗାରେ ଆସି ନାଟକ କରିପାରିବେ ନାହିଁ । କାହାରିକୁ ରାସ୍ତା ଅବରୋଧ କରିବାର କିମ୍ବା ସାଧାରଣ ଜନତାଙ୍କ ଯାତାୟାତରେ ବାଧା ସୃଷ୍ଟି କରିବାର ଅଧିକାର ନାହିଁ । ଯାହାର ଯେଉଁ ଧାର୍ମିକ ସ୍ଥଳ ରହିଛି, ସେ ସେଠାକୁ ଯାଇ ପ୍ରାର୍ଥନା କରନ୍ତୁ ।"

ଜନସଂଖ୍ୟା ନିୟନ୍ତ୍ରଣ ଓ ସିଷ୍ଟମ୍ ଉପରେ ଗୁରୁତ୍ୱ:

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଯେତେବେଳେ କିଛି ସଂଗଠନର ଲୋକେ ତାଙ୍କୁ କହିଥିଲେ ଯେ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ମସଜିଦ୍ ଭିତରେ ସ୍ଥାନ ହେଉନାହିଁ, ସେତେବେଳେ ଯୋଗୀ ସେମାନଙ୍କୁ ଶିଫ୍ଟରେ ନମାଜ ପାଠ କରିବାକୁ ପରାମର୍ଶ ଦେଇଥିଲେ । "ଯଦି ଆପଣଙ୍କ ଘରେ ରହିବାକୁ ଜାଗା ନାହିଁ, ତେବେ ଭାଇ ଜନସଂଖ୍ୟା ନିୟନ୍ତ୍ରଣ କରନ୍ତୁ । ଯଦି ସାମର୍ଥ୍ୟ ନାହିଁ, ତେବେ ବେକାରରେ ସଂଖ୍ୟା ବଢ଼ାଇବା କ’ଣ ଦରକାର ? ଯଦି ଆପଣଙ୍କୁ ଏହି ବ୍ୟବସ୍ଥା ସହ ରହିବାକୁ ଅଛି, ତେବେ ଆପଣଙ୍କୁ ନିୟମକାନୁନ ମାନିବାକୁ ହିଁ ପଡ଼ିବ ।"

ସମସ୍ତଙ୍କ ପାଇଁ କାନୁନ୍ ସମାନ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କେବଳ ଆଇନର ଶାସନ ଚାଲିବ ଏବଂ ଏହା ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବ । "ନମାଜ ପଢ଼ିବା ଜରୁରୀ, ଆମେ ତାହାକୁ ରୋକିବୁ ନାହିଁ, କିନ୍ତୁ ଆପଣ ଶିଫ୍ଟ କରି ପଢ଼ନ୍ତୁ । ରାସ୍ତା କୌଣସି ଜଣେ ଅସୁସ୍ଥ ବ୍ୟକ୍ତି, ଶ୍ରମିକ, ଚାକିରିଆ, ବ୍ୟବସାୟୀ କିମ୍ବା ଜଣେ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରାଯାଇପାରିବ ନାହିଁ । ସରକାରଙ୍କ ନିୟମ ସାର୍ବଜନୀନ ଏବଂ ଏହା ସମସ୍ତଙ୍କ ଉପରେ ସମାନ ଭାବେ ଲାଗୁ ହେବ ।" ନିଜର କଡ଼ା ଚେତାବନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମେ ରାଜ୍ୟରେ କୌଣସି ପ୍ରକାରର ଅରାଜକତା ଚଳାଇ ଦେବୁ ନାହିଁ । ଯଦି ପ୍ରେମ ଓ ଆଲୋଚନା ମାଧ୍ୟମରେ ମାନିବେ, ତେବେ ବହୁତ ଭଲ କଥା । ନହେଲେ ଆମ ପାଖରେ ଦ୍ୱିତୀୟ ଉପାୟ ମଧ୍ୟ ରହିଛି । ଆମର କାମ ହେଉଛି ସଂଳାପ ବା କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା । ଯଦି କଥାବାର୍ତ୍ତାରେ ନ ହେବ, ତେବେ ଆମେ ସଂଘର୍ଷ ପାଇଁ ବି ପ୍ରସ୍ତୁତ । ବରେଲିରେ କିଛି ଲୋକ ନିଜର ବାହୁବଳ ଦେଖାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସରକାରଙ୍କ ଶକ୍ତି କ’ଣ ସେମାନେ ଦେଖିସାରିଛନ୍ତି । ତେଣୁ ସରକାର ସମଗ୍ର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଚାହାନ୍ତି ।"

ଆହୁରି ପଢ଼ନ୍ତୁ... ​​​​​​​ଛାତ୍ର ରାଜନୀତିରୁ ରାଜ୍ୟ ମୁଖିଆ, କେତେ କୋଟି ସମ୍ପତ୍ତିର ମାଲିକ କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀସନ୍ ?