ଥିରୁଅନନ୍ତପୁରମ, ୧୮।୫: ୧୯୯୦ ଦଶକରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା କଂଗ୍ରେସର ଅଭିଜ୍ଞ ନେତା ଭିଡି ସତୀସନ୍ ଏବେ କେରଳ ରାଜନୀତିର ସର୍ବୋଚ୍ଚ ଶିଖରରେ ପହଞ୍ଚିଛନ୍ତି । ଦୀର୍ଘ ଦିନର ସଂଘର୍ଷ ଏବଂ ଦଳ ପ୍ରତି ନିଷ୍ଠା ପରେ ଶେଷରେ କଂଗ୍ରେସ ହାଇକମାଣ୍ଡ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସୋମବାର ଏକ ଭବ୍ୟ ସମାରୋହରେ ସେ କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ଅନ୍ୟ ୨୦ ଜଣ ନେତା ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ପୂର୍ବ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦୃଢ଼ ଭୂମିକା ଗ୍ରହଣ କରିଥିବା ସତୀସନ୍, ଏହି ନିର୍ବାଚନରେ କଂଗ୍ରେସର ବିଜୟର ପ୍ରମୁଖ ସୂତ୍ରଧର ସାଜିଥିଲେ । ନିର୍ବାଚନ ପୂର୍ବରୁ ସେ ଏକ ବଡ଼ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ଯଦି କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ନିର୍ଣ୍ଣାୟକ ବିଜୟ ହାସଲ ନକରେ, ତେବେ ସେ ରାଜନୈତିକ ନିର୍ବାସନକୁ ଚାଲିଯିବେ । ତେବେ ତାଙ୍କର ଏହି ଆତ୍ମବିଶ୍ୱାସ ସତ ପ୍ରମାଣିତ ହୋଇଛି ଏବଂ ସେ ରାଜ୍ୟର ମଙ୍ଗ ଧରିଛନ୍ତି ।

ଭିଡି ସତୀସନ୍ କିଏ ?

ଏର୍ଣ୍ଣାକୁଲମ୍ ଜିଲ୍ଲାର ନେଟ୍ଟୁରର ମୂଳ ବାସିନ୍ଦା ଭିଡି ସତୀସନ୍ ଜଣେ ପେସାଦାର ହାଇକୋର୍ଟ ଓକିଲ । ତାଙ୍କର ରାଜନୈତିକ ଯାତ୍ରା ଛାତ୍ର ଜୀବନରୁ ହିଁ ଆରମ୍ଭ ହୋଇଥିଲା ।

ଛାତ୍ର ରାଜନୀତିରୁ ଆରମ୍ଭ: ଥେଭାରାର ଏସଏଚ କଲେଜରୁ ଛାତ୍ର ରାଜନୀତିରେ ସକ୍ରିୟ ପ୍ରବେଶ କରିବା ପରେ ସେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ଛାତ୍ର ନେତୃତ୍ୱ ଭୂମିକା ତୁଲାଇଥିଲେ ।

କଂଗ୍ରେସରେ ସ୍ଥାନ: ଭାରତୀୟ ଜାତୀୟ ଛାତ୍ର ସଂଘ (NSUI) ର ଜଣେ ପ୍ରମୁଖ ପଦାଧିକାରୀ ଭାବରେ କାର୍ଯ୍ୟ କରି ସେ କଂଗ୍ରେସ ଦଳ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ନିର୍ବାଚନୀ ଯାତ୍ରା: ୧୯୯୦ ଦଶକର ମଧ୍ୟଭାଗରେ ପାରାଭୁର ବିଧାନସଭା ନିର୍ବାଚନୀମଣ୍ଡଳୀରୁ ପ୍ରଥମେ ପରାଜୟର ସାମ୍ନା କରିଥିଲେ ମଧ୍ୟ ସେ ହାର୍ ମାନିନଥିଲେ । ପରବର୍ତ୍ତୀ ସମୟରେ ସେହି ଆସନକୁ ନିଜ କବଜାକୁ ନେଇ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେଠାରେ ନିଜର ଦୃଢ଼ ଗଡ଼ ସ୍ଥାପନ କରିଛନ୍ତି ।

KPCCରୁ AICC ପର୍ଯ୍ୟନ୍ତ ସାଙ୍ଗଠନିକ ଦକ୍ଷତା:

ପୂର୍ବତନ ମୁଖ୍ୟମନ୍ତ୍ରୀ କେ କରୁଣାକରଙ୍କ ଜଣେ ବିଶ୍ୱସ୍ତ ସମର୍ଥକ ଭାବେ ଜଣାଶୁଣା ଭିଡି ସତୀସନ୍ ଦଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ତୁଲାଇଛନ୍ତି । ସେ ଅଖିଳ ଭାରତ କଂଗ୍ରେସ କମିଟି (AICC) ର ସମ୍ପାଦକ ଏବଂ କେରଳ ପ୍ରଦେଶ କଂଗ୍ରେସ କମିଟି (KPCC) ର ଉପାଧ୍ୟକ୍ଷ ପରି ସମ୍ମାନଜନକ ପଦବୀରେ ରହିଛନ୍ତି । ବିଧାନସଭା ରାଜନୀତିରେ ୨୫ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିବା ସତୀସନ୍ ୨୦୦୬, ୨୦୧୧, ୨୦୧୬ ଏବଂ ୨୦୨୧ରେ ପାରାଭୁର ଆସନରୁ ଲଗାତାର ବିଜୟୀ ହୋଇଛନ୍ତି । ୨୦୨୧ ନିର୍ବାଚନରେ ସେ ୨୧,୩୦୧ ଭୋଟ୍ ବ୍ୟବଧାନରେ ଜିତିଥିଲେ ।

କେତେ ଧନୀ କେରଳର ନୂଆ ମୁଖ୍ୟମନ୍ତ୍ରୀ ?

ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ADR) ର ରିପୋର୍ଟ ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଭିଡି ସତୀସନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ମୋଟ ସମ୍ପତ୍ତି ୬ କୋଟି ୬୫ ଲକ୍ଷ ୬୪ ହଜାର ୧୭୦ ଟଙ୍କା । ୨୦୨୬ ବିଧାନସଭା ନିର୍ବାଚନରେ ସେ ନିଜର ପାରମ୍ପରିକ ଆସନ ପାରାଭୁରକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଦଳୀୟ କର୍ମୀମାନେ ଏହି ବିଜୟକୁ କୌଣସି ହଠାତ୍ ଆସିଥିବା ଲହର ନୁହେଁ, ବରଂ ଏକ ଶାନ୍ତ, ସୁଚିନ୍ତିତ ଏବଂ ଆକଳନ କରାଯାଇଥିବା ମାଷ୍ଟରଷ୍ଟ୍ରୋକ ବୋଲି ବର୍ଣ୍ଣନା କରିଛନ୍ତି । ୧୪୦ ସଦସ୍ୟ ବିଶିଷ୍ଟ କେରଳ ବିଧାନସଭା ପାଇଁ ଗତ ଏପ୍ରିଲ ୯ରେ ମତଦାନ ହୋଇଥିଲା ଏବଂ ମେ ୪ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ଏହି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ UDF ୧୦୨ଟି ଆସନରେ ବୃହତ ବିଜୟ ହାସଲ କରିଥିବାବେଳେ ବାମପନ୍ଥୀ ମେଣ୍ଟ (LDF) ୩୫ଟି ଏବଂ ବିଜେପି ମାତ୍ର ୩ଟି ଆସନ ପାଇବାରେ ସକ୍ଷମ ହୋଇଛି ।

ଶପଥ ଗ୍ରହଣ ଉତ୍ସବରେ ଶୀର୍ଷ ନେତାଙ୍କ ଜମାହେଲା ଭିଡ଼:

ସୋମବାର ଅନୁଷ୍ଠିତ ହୋଇଥିବା ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଶର ଅନେକ ଜଣାଶୁଣା ରାଜନୈତିକ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ସମାରୋହରେ ଉପସ୍ଥିତ ରହି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ବ୍ୟତୀତ ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଅନ୍ୟ ବାମପନ୍ଥୀ ନେତା ଏବଂ ବିଜେପିର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଜ ପ୍ରିୟ ନେତାଙ୍କ ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ ସାରା ରାଜ୍ୟରୁ ହଜାର ହଜାର କଂଗ୍ରେସ କର୍ମୀ ରାଜଧାନୀ ଥିରୁଅନନ୍ତପୁରମରେ ଏକତ୍ରିତ ହୋଇଥିଲେ, ଯାହାଦ୍ୱାରା ସହରରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ... କେରଳମରେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସତୀଶନ