କଟକ, ୧।୩: ଚୌଧୁରୀବଜାର କିମ୍ବା ପିଠାପୁର ହୋଲସେଲ୍ ମାର୍କେଟକୁ ଯିବା ବେଳେ ତିନି କିମ୍ବା ଚାରି ଚକିଆ ଗାଡ଼ି ରଖିବେ କେଉଁଠି ଚିନ୍ତାରେ ପଡୁଛନ୍ତି ଲୋକେ । ଦୋଳମୁଣ୍ଡାଇ, ହରିପୁର, ମଙ୍ଗଳାବାଗ୍, ମାଲଗୋଦାମ ଭଳି ହୋଲସେଲ୍ ବଜାରରୁ ସାମଗ୍ରୀ ଉଠାଇବା ପରେ ଲୋଡିଂ କରି ନେଇ ଯିବା କେତେ ଯେ ମୁସ୍କିଲ୍ ହେଉଛି ସେ ସମସ୍ୟା ବ୍ୟବସାୟୀ ଓ ଗ୍ରାହକ ହିଁ କହିପାରିବେ । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ କଟକ ସହରରେ ବେଆଇନ ପାର୍କିଂ ଓ ଗହଳି ବଢ଼ି ଚାଲିଥିବା ବେଳେ ଏ ବାବଦରେ ପ୍ରଶାସନ କିନ୍ତୁ ଗୁରୁତ୍ୱର ସହ ଚିନ୍ତା ବି କରୁନାହିଁ । ସକାଳୁ ରାତି ଯାଏ ଗହଳିରେ ଛନ୍ଦି ହେଉଛି ସହର । ଯିଏ ଯେଉଁଠି ପାରିଲା ଗାଡ଼ି ରଖି ନିଜ କାମରେ ଚାଲିଲା । ବ୍ୟବସାୟିକ ନଗରୀ କଟକ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ପାର୍କିଂ ବ୍ୟବସ୍ଥାର ଅଭାବ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସହରରେ ପାର୍କିଂ ପାଇଁ ଏବେ ସୁଦ୍ଧା କଟକ ମହାନଗର ନିଗମ(ସିଏମ୍ସି) ଓ କମିସନରେଟ୍ ପୁଲିସ୍ ତରଫରୁ ମିଳିତ ଭାବେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଏହା ବି ପଢ଼ନ୍ତୁ... ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ: IED ବିସ୍ଫୋରଣରେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଗୁରୁତର
ସମନ୍ୱୟ ଅଭାବରୁ ବେଆଇନ୍ ପାର୍କିଂ କଟକ ସହର ପାଇଁ ସବୁଠାରୁ ବଡ ସମସ୍ୟା ପାଲଟିଥିବା ବେଳେ ଆବଶ୍ୟକତା ଅନୁସାରେ ନୂଆ ପାର୍କିଂ ସ୍ଥାନ ସୃଷ୍ଟି କରିବାକୁ ଆଗ୍ରହ ବି ନାହିଁ । କଟକ ସହରରେ ସିଏମ୍ସିର ୨୭ଟି ପାର୍କିଂ ଷ୍ଟାଣ୍ଡ୍ ରହିଛି । ସେଥିରୁ ପ୍ରାୟ ୨୫ଟି ଷ୍ଟାଣ୍ଡ୍ ଟେଣ୍ଡର କରାଯାଇ ନିଲାମ ଦିଆଯାଇଛି । ଷ୍ଟାଣ୍ଡ୍ର ଉଦ୍ଦେଶ୍ୟ ହେଲା, ଲୋକେ ଏହି ଷ୍ଟାଣ୍ଡ୍ରେ ଗାଡ଼ି ରଖି ସହର ଭିତରେ ନିଜ କାମ ସାରିବେ । ପରେ ପୁଣି ଷ୍ଟାଣ୍ଡ୍ରୁ ଗାଡ଼ି ନେଇ ଫେରିବେ । କିନ୍ତୁ ଏ ଷ୍ଟାଣ୍ଡ୍ ପ୍ରକୃତ ଉଦ୍ଦେଶ୍ୟ ପୂରଣ କରୁନାହିଁ । କିଛି ଷ୍ଟାଣ୍ଡ୍ରେ ଅଜବ ଚିତ୍ର ଦେଖିବାକୁ ମିଳୁଛି । ଲୋକେ ନିଜ ବ୍ୟବହୃତ କାର୍, ଅଟୋ ଓ ଅନ୍ୟାନ୍ୟ ଯାନକୁ ଷ୍ଟାଣ୍ଡ୍ରେ ରଖି ମାସିକିଆ ଦେୟ ଦେଉଛନ୍ତି । ଅର୍ଥାତ୍ ଯିଏ କାର୍ ଚଳାଉଛି ସେ ନିଜ ବାସଭବନରେ ପାର୍କିଂ ନକରି ମାସିକ ୧୫ଶହ ଟଙ୍କାରେ ସିଏମ୍ସି ପାର୍କିଂ ସ୍ଥାନରେ ରଖୁଛି । ସେହିପରି ଅନେକ ପାର୍କିଂ ଷ୍ଟାଣ୍ଡ୍ ଏବେ ବ୍ୟବସାୟିକ ଆଡ୍ଡାରେ ପରିଣତ ହୋଇଛି । ଉଠା ଦୋକାନୀଙ୍କୁ ଷ୍ଟାଣ୍ଡ୍ରେ ବସାଇ ଟେଣ୍ଡର ନେଉଥିବା ବ୍ୟକ୍ତି ଟଙ୍କା ଆଦାୟ କରୁଛନ୍ତି ।
ଯେହେତୁ ରାଜସ୍ୱ ଭାବେ ସିଏମ୍ସି ଆବଶ୍ୟକ ମୁତାବକ ଅର୍ଥ ଅସୁଲ କରିନେଉଛି ତେଣୁ ଏ ବାବଦରେ କେହି ମୁହଁ ଖୋଲୁନାହାନ୍ତି । ସିଏମ୍ସିର ପାର୍କିଂ ଷ୍ଟାଣ୍ଡ୍ ଭାବେ ଟେଣ୍ଡର ସର୍ତ୍ତକୁ ଖିଲାପ କରାଯାଉଥିବା ବେଳେ ବିଗତ ଦିନ ମାନଙ୍କରେ କେବେ ଚଢଉ ହେବା ବା ଯାଞ୍ଚ୍ ହେବାର ଦେଖିବାକୁ ମିଳିନାହିଁ । ଅନ୍ୟପକ୍ଷରେ ସହରରେ ନୂଆ ପାର୍କିଂ ଷ୍ଟାଣ୍ଡ୍ ପାଇଁ ପଦକ୍ଷେପ ନେବା ଜରୁରି ହେଲାଣି ବୋଲି ସହରର ବୁଦ୍ଧିଜୀବୀ ମାନେ ମତ ରଖୁଛନ୍ତି । ବିଶେଷ କରି ସବୁ ହୋଲସେଲ୍ ବଜାର, ଛତ୍ରବଜାର ଓ ମାଲଗୋଦାମ ଭଳି ମଣ୍ଡି ସହିତ ବଡ ମେଡିକାଲ, ଶିଶୁଭବନ, ସିଟି ହସ୍ପିଟାଲ ନିକଟରେ ଦେୟଯୁକ୍ତ ପାର୍କିଂ କରାଯିବାକୁ ଦାବି ହେଉଛି । ଅନେକ ସଂଗଠନ, ବ୍ୟକ୍ତିବିଶେଷ ଓ ସାମାଜିକକର୍ମୀ ଏ ବାବଦରେ ପୂର୍ବରୁ ଏକାଧିକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଏଯାଏ ଯୋଜନା ହୋଇନାହିଁ । କଟକ ସହରରେ ମହାନଗର ନିଗମର ଅନେକ ସରକାରୀ ଜମି ଜବରଦଖଲରେ ରହିଛି । ୧୯୮୦ ମସିହା ପରଠାରୁ ଲିଜ୍ ବ୍ୟବସ୍ଥା ନିଗମ ବନ୍ଦ କରିଦେଇଛି । କିନ୍ତୁ ତା’ପୂର୍ବରୁ ଯେଉଁମାନେ ଲିଜ୍ ନେଇଥିଲେ ସେ ସବୁ ଜମି ଏବେ ବି ସମ୍ପୂର୍ଣ୍ଣ ପୂର୍ବ ଲିଜ୍ଧାରୀଙ୍କ ଦଖଲରେ ରହିଛି । ଗୁରୁତ୍ୱପୂର୍ଣ୍ଣ ହେଲା, କେତେ ଜମି ଜବରଦଖଲରେ ରହିଛି ତାର ହିସାବ ବି ସିଏମ୍ସି ପାଖରେ ନାହିଁ କିମ୍ବା ସର୍ଭେ ବି ହେଉନି । ଭୁବନେଶ୍ୱର ମହାନଗର ନିଗମରେ ଯାଞ୍ଚ୍ କରାଯାଇ ପ୍ରାୟ ୫ଶହ ଏକର ଜମି ଜବରଦଖଲରେ ଥିବା ରିପୋର୍ଟ ପ୍ରସ୍ତୁତ କରାଯାଇ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ବେଳେ ସିଏମ୍ସି କାହିଁକି ନିଜ ପଦକ୍ଷେପ ନେଉନି ତାକୁ ନେଇ ପ୍ରଶ୍ନ ଉଠିଛି ।
ଏସବୁ ଜମିକୁ ଫେରାଇ ଆଣି ସେଠାରେ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇ ପାରିଲେ ଟ୍ରାଫିକ ସମସ୍ୟା ସମାଧାନ ହୁଅନ୍ତା ଏବଂ ରାଜସ୍ୱ ମଧ୍ୟ ଆୟ କରିପାରନ୍ତା ସିଏମ୍ସି । ଏ ବାବଦରେ ଲାଇସେନ୍ସ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିସନର ସରୋଜ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ପାର୍କିଂ ଷ୍ଟାଣ୍ଡ୍ ଅଛି ତାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରୁଛୁ । ସବୁ ଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ ହେବା ପରେ ଏହା କିଭଳି କେବଳ ପାର୍କିଂ କ୍ଷେତ୍ରରେ ବ୍ୟବହାର ହେବ ତାକୁ ଦୃଷ୍ଟି ଦେବୁ । ଏବେ ଯେଉଁମାନେ ଷ୍ଟାଣ୍ଡ୍ ନେଇଛନ୍ତି ସେମାନଙ୍କ ଅଭିଯୋଗ ହେଲା ଲୋକେ ଗାଡ଼ି ରଖୁନାହାନ୍ତି । ଯାହାଫଳରେ କିଛି ସ୍ଥାନରେ ବ୍ୟବସାୟିକ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି । ଏ ଦିଗରେ ଆଗକୁ ଏକ ସ୍ପଷ୍ଟ ନୀତି ଆଣିବାକୁ ସିଏମ୍ସି ଚିନ୍ତା କରିଛି ।