ଓଡ଼ିଶାର ୨ଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ୱର ୭/୩: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡିଶାର ୨ଟି କୋଇଲା ଖଣି ନିଲାମ କରାଯାଇଛି । ଗତ ମାସ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ୨ଟି ନିଲାମ ହୋଇଛି । ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବାବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି ।
୫୦୦ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ନିଲାମ ନେଇଛି । ଏହା ବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ ୧,୧୫୨.୧୧ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି ।
ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବାବେଳେ ବୈତରଣୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍ । ଏହି ୨ଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି । ସେହିପରି ଏହାଦ୍ୱାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ୱ ଆୟ ହେବାର ଅନୁମାନ କରାଯାଉଛି ।