ଭୁବନେଶ୍ୱର ୧୭/୧୧: ଫିଟିବ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ଭାଗ୍ୟ । ଲମ୍ବା ପ୍ରତୀକ୍ଷା ପରେ ଏହି ପ୍ରକଳ୍ପକୁ ମିଳିବାକୁ ଯାଉଛି କ୍ୟାବିନେଟ ମଞ୍ଜୁରି । ଇତିମଧ୍ୟରେ ପ୍ରକଳ୍ପକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜଲ୍ କମିଟି (ପିପିପିଏସି)ରୁ ମଞ୍ଜୁରି ମିଳିଯାଇଛି । ଏହି ପ୍ରକଳ୍ପ ଯେ ଲାଭଦାୟକ ହେବ, ସେଇ ପ୍ରସ୍ତାବରେ ଅର୍ଥ ମନ୍ତ୍ରଣାଳୟ କମିଟି ମୋହର ମାରିଛି । ପ୍ରାୟ ମାସକ ଭିତରେ କେନ୍ଦ୍ର କ୍ୟାବିନେଟରୁ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିବା ସମ୍ଭାବନା ଅଛି । କ୍ୟାବିନେଟରୁ ସବୁଜ ସଙ୍କେତ ମିଳିବା ପରେ ପ୍ରକଳ୍ପ ପାଇଁ ପୁଣି ଥରେ ଚୂଡ଼ାନ୍ତ ଟେଣ୍ଡର ଆହ୍ୱାନ ହେବ । ସବୁ କିଛି ଠିକ୍ଠାକ ରହିଲେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାର ବଡ଼ପୋଖରୀଆରୁ ରତନପୁର ପର୍ଯ୍ୟନ୍ତ ପ୍ରାୟ ୧୬୨ କିମି ଉପକୂଳ ରାଜପଥ ନିର୍ମାଣ ପାଇଁ ପ୍ରକ୍ରିୟା ଆଗକୁ ବଢ଼ିବ ।
୧୦ ବର୍ଷ ହେବ ଓଡ଼ିଶା ଅପେକ୍ଷା କରି ରହିଛି ଉପକୂଳ ରାଜପଥ ପ୍ରକଳ୍ପକୁ । ୨୦୧୫ରେ ପିପିଲିରେ ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ପାଇଁ ଉପକୂଳ ରାଜପଥ ପ୍ରକଳ୍ପ ଘୋଷଣା କରିଥିଲେ । ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ବିବାଦ ଯୋଗୁ ପ୍ରଥମ ୪/୫ ବର୍ଷ ପ୍ରକଳ୍ପ ଆଗେଇ ପାରିନଥିଲା । ୨୦୨୦ ପରେ ପ୍ରକଳ୍ପକୁ ଗତି ମିଳିଥିଲା । ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା, ଡିପିଆର୍ ପ୍ରସ୍ତୁତି ଆଗେଇଥିଲା । ୨୦୨୪ ଓ ୨୦୨୫ରେ ଦୁଇ ଥର ଟେଣ୍ଡର ଆହ୍ୱାନ ହୋଇଥିଲା । କିନ୍ତୁ, ବୈଷୟିକ କାରଣ ଓ ଆବଶ୍ୟକ ପ୍ରଶାସନିକ ଅନୁମୋଦନ ମିଳିନଥିବାରୁ ଦୁଇ ଥର ଟେଣ୍ଡରକୁ ରବ୍ଦ କରିଥିଲା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ।
ପ୍ରକଳ୍ପଟି ଅନିଶ୍ଚିତତା ଭିତରେ ଗତି କରୁଥିବାବେଳେ ଡବଲ୍ ଇଞ୍ଜିନ ସରକାର ଏହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏନ୍ଏଚ୍ଏଆଇ ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂହ କହିଛନ୍ତି, ଉପକୂଳ ରାଜପଥ ପ୍ରକଳ୍ପକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ତ୍ୱରିତ ବେଗରେ ସବୁ ପ୍ରକ୍ରିୟା କରାଯାଉଛି । କେନ୍ଦ୍ର କ୍ୟାବିନେଟ ଅନୁମୋଦନକୁ ଅପେକ୍ଷା ରହିଛି । ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି ।
ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ କୁମାର ସିଂହ କହିଛନ୍ତି, ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ପିପିପିଏସିରୁ ଅନୁମୋଦନ ମିଳିଯାଇଛି । ଖୁବଶୀଘ୍ର କ୍ୟାବିନେଟ ମଞ୍ଜୁରି ମିଳିଯିବ । ସମ୍ଭବତଃ ମାସକ ଭିତରେ ଏ ନେଇ ମଞ୍ଜୁରି ମିଳିପାରେ । ପ୍ରକଳ୍ପ ପାଇଁ କିଛି ସ୍ଥାନରେ ଜମି ଅଧିଗ୍ରହଣ ହୋଇଥିବାବେଳେ ଆଉ କିଛି ସ୍ଥାନରେ ଅଧିଗ୍ରହଣ କରାଯିବ । କ୍ୟାବିନେଟ ଅନୁମୋଦନ ପରେ ଶୀଘ୍ର ଟେଣ୍ଡର ଆହ୍ୱାନ ହେବ ।
ପ୍ରଥମେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ପରିବେଶ ମନ୍ତ୍ରଣାଳୟର ବିଭିନ୍ନ ସର୍ତ୍ତାବଳୀ ଓ ବିଭିନ୍ନ ସ୍ଥାନୀୟ ସମସ୍ୟା ଯୋଗୁ ଖୋର୍ଦ୍ଧାର ରାମେଶ୍ୱର ପାଖ ବଡ଼ପୋଖରୀଆରୁ କେନ୍ଦ୍ରାପଡ଼ା ପାଖ ରତନପୁର ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୪ଟି ପ୍ୟାକେଜରେ ପ୍ରକଳ୍ପ କରିବାକୁ ଟେଣ୍ଡର ଡକାଯାଇଥିଲା । ଖୋର୍ଦ୍ଧା ବଡ଼ପୋଖରୀଆରୁ ପୁରୀ (୪୭ କିମି), ପ୍ୟାକେଜ୍-୨ରେ ପୁରୀ-କାକଟପୁର (୪୨ କିମି), ପ୍ୟାକେଜ୍-୩ରେ କାକଟପୁରରୁ ଏରସମା (୪୭ କିମି) ଓ ପ୍ୟାକେଜ-୪ରେ ଏରସମାରୁ ପାରାଦୀପ ଓ କେନ୍ଦ୍ରାପଡ଼ା ପାଖ ମଶାକଣିକୁ (୨୬) କିମି) ଉପକୂଳ ରାଜପଥ ନିର୍ମାଣ କରିବାକୁ ଯୋଜନା ଥିଲା । ବଡ଼ପୋଖରୀଆରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ଓ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।