ଅଧା ଓଡ଼ିଶାକୁ ଶୀତ ସତର୍କତା

source:www.telegraphindia.com
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଉତ୍ତର ଦିଗରୁ ମାଡ଼ି ଆସୁଛି ଶୀତ ଲହରୀ । ଥରୁଛି ସାରା ଓଡ଼ିଶା । ୧୫ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ସତର୍କ କରାଇ ଦେଇଛି, ଶୁକ୍ରବାର ବି ନିସ୍ତାର ମିଳିବନି ହାଡ଼ଭଙ୍ଗା ଜାଡ଼ରୁ । ତେଣୁ ଅଧା ଓଡ଼ିଶା ପାଇଁ ଶୀତ ଲହରୀ ୱାର୍ଣ୍ଣିଂ ଜାରି କରାଯାଇଛି । ରାତ୍ରିକାଳୀନ ପାରଦ ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ୍ କମ୍ ରହିବ । ଯଦିଓ ଶନିବାରଠାରୁ ତାପମାତ୍ରା ସାମାନ୍ୟ ବଢ଼ିବ । ତଥାପି ଶୀତ ଜାରି ରହିବ ।
ସାରା ଓଡ଼ିଶାରେ ଏବେ ପ୍ରଚଣ୍ଡ ଶୀତ ଜାରି ରହିଛି । ସନ୍ଧ୍ୟାରୁ ସକାଳ ୯ଟା ପର୍ଯ୍ୟନ୍ତ କାଲୁଆ ପବନ ଜନଜୀବନକୁ ବେହାଲ୍ କରୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ କହିବାନୁଯାୟୀ ଗୁରୁବାର ଓ ଶୁକ୍ରବାର ରାତିରେ ଶୀତ ଲହରୀ ଥରାଇବ । ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଯଦିଓ ଶନିବାରଠାରୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ, କିନ୍ତୁ ସଙ୍ଗେସଙ୍ଗେ ଶୀତ କମିଯିବ ନାହିଁ । ଆହୁରି ୨-୩ ଦିନ ଶୀତ ଅନୁଭୂତ ହୋଇପାରେ ।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଗୁରୁବାର ରାତି ଓ ଶୁକ୍ରବାର ସକାଳେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବା ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବି ଶୀତ ଲହରୀ ଜାରି ରହିବ । ଶୁକ୍ରବାର ରାତି ଓ ଶନିବାର ସକାଳେ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ପ୍ରଚଣ୍ଡ ଶୀତ ଅନୁଭୂତ ହେବା ସମ୍ଭାବନା ଅଛି ।
ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଆଜି ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବାବେଳେ ଅନୁଗୁଳରେ ବି ୬ ଡିଗ୍ରୀ ରହିଛି । ସୋନପୁର ତାପମାତ୍ରା ୬.୨, ଫୁଲବାଣୀ ୬.୮, ବଲାଙ୍ଗିର ୭.୪, ଟିଟିଲାଗଡ଼ ୭.୫, କେନ୍ଦୁଝର ୭.୮, ଭବାନୀପାଟଣା ୮, ଝାରସୁଗୁଡ଼ା ୮.୧, ସମ୍ବଲପୁର ୮.୫, କୋରାପୁଟ ୮.୬, ବାରିପଦା ୯ ଓ ବାଲେଶ୍ୱର ୯.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ଥିବାବେଳେ କଟକ ୧୦.୨, ହୀରାକୁଦ ୧୦.୪ ଓ ସୁନ୍ଦରଗଡ଼ରେ ୧୧ ଡିଗ୍ରୀ ରେକର୍ଡ କରାଯାଇଛି ।