ଆଶ୍ରମ ସ୍କୁଲରେ ନାବାଳିକାଙ୍କ ପ୍ରସବ
ଦାରିଙ୍ଗବାଡ଼ି ୧୩|୦୧: ଅଷ୍ଟମ ଶ୍ରେଣୀର ଛାତ୍ରୀ ମାଆ ହେଲେ। ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା। ଏଭଳି ଏକ ଘଟଣା ରାଜ୍ୟରେ ଚହଳ ପକାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନ୍ ବାଡ଼ି ଆଶ୍ରମ ସ୍କୁଲରେ ଘଟିଛି ଏହି ଅଭାବନୀୟ ଘଟଣା। ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ଅନ୍ତେବାସୀ ଅଟନ୍ତି ଏହି ନାବାଳିକା। ରବିବାର ଭୋର୍ ୪ଟାରେ ହଷ୍ଟେଲ ଶୌଚାଳୟରେ ସେ ସନ୍ତାନ ପ୍ରସବ କରିଛନ୍ତି। ଏହି ଖବର ପ୍ରଘଟ ହେବାକ୍ଷଣି ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ଗ୍ରାମର ଶତାଧିକ ଲୋକ ବିଦ୍ୟାଳୟ ଭିତରକୁ ଆସି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିଲେ। ସ୍କୁଲ ଓ ହଷ୍ଟେଲ୍ ଚତୁର୍ଦ୍ଦିଗରେ ବି ଉତ୍ତ୍ୟକ୍ତ ଲୋକ ଘେରାବନ୍ଦୀ କରିଥିଲେ। ଘଟଣାକୁ ଚପାଇବା ଦେବାକୁ ଉଦ୍ୟମ କରି ପ୍ରସୂତିକୁ ଜଙ୍ଗଲ ଭିତରେ ପ୍ରଧାନଶିକ୍ଷୟିତ୍ରୀ ଛାଡ଼ି ଦେଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ବହୁ ଖୋଜାଖୋଜି କରିବା ପରେ ପୀଡ଼ିତାକୁ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ଥାନା ଅଧିକାରୀ ଅଲେଖ ଗର୍ଡିଆ,ଏସ୍ଆଇ ଗୋପାଳ କୃଷ୍ଣ ଅଗୁପାତ୍ର ଓ ଚନ୍ଦ୍ରିକା ସ୍ବାଇଁ, ଏଏସ୍ଆଇ ଆର୍. ଭୀମ ରାଓ ରେଡି ସହ ପୁଲିସଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା। ପୀଡ଼ିତାଙ୍କୁ ଉଦ୍ଧାର କରି ନବଜାତ ସହ ଡାକ୍ତରଖାନା ପଠାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା ପୁଲିସ।
ଏ ଘଟଣାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଘୋର ଉଦ୍ ବେଗ ପ୍ରକାଶ କରିଛନ୍ତି। ଏ ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦଶେ ଦେଇଛନ୍ତି। ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ ଦର୍ଶ।ଇଛନ୍ତି କୌଣସି ପରିସ୍ଥିତିରେ ବି ସରକାର ସ୍କୁଲ ଗୁଡିକରେ ଏଭଳି କାଣ୍ଡକୁ ପ୍ରଶ୍ରୟ ଦେବେ ନାହିଁ। ଯେଉମାନେ ଦୋଷୀ ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍କୁଲ ଓ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଘଟଣାର ତୀବ୍ର ପ୍ରତିବାଦ କର ଅଞ୍ଚଳବାସୀ ଜାତୀୟ ରାଜପଥ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ସ୍ବାଭାବିକ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ବାଲିଗୁଡ଼ା ଏସ୍ ଡିପିଓ ନିତିନ କୁଲାସ୍ କର ଡାଗୁଡୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଦାରିଙ୍ଗବାଡ଼ି ଥାନା ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଟକରମାଲା ଗ୍ରାମର ଯୁକ୍ତ ତିନି ଶ୍ରେଣୀର ଛାତ୍ରଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ କହିଛନ୍ତି। ଛାତ୍ରୀ ପ୍ରସବ ଘଟଣାରେ ଅଧିକ ତଦନ୍ତ ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗର୍ଡିଆ ସୂଚନା ଦେଇଛନ୍ତି। ମାଆ ଓ ଶିଶୁ ସୁସ୍ଥ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରୀ ଜଣକ ଗର୍ଭବତୀ ହୋଇ 9 ମାସ ବିତିଯାଇଥିଲେ ସୁଦ୍ଧା ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ କିପରି ଜାଣି ପାରିଲେନି ସେ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ଅତି ଗମ୍ଭୀରତାର ସହ ନେଇ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି. ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କ ସମେତ ଏହି ଘଟଣାରେ ଜଡ଼ିତ ସମସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇ, ହଷ୍ଟେଲର ତିନ ଜଣ ମହିଳା ସହକାରୀ ପରିଚାଳିକା ଆଶାରାଣୀ ମିଶ୍ର, ନକ୍ଷତ୍ରମାଳା ସାହୁ ଓ ଜ୍ୟୋଥା ନାୟକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଏହା ସହିତ ୨ ଜଣ ମାଟ୍ରନ୍ ସୌଦାମିନୀ ସିଂ ଓ ମଞ୍ଜୁଳା ଦିଗାଳ, ଦୁଇ ଜଣ ସିସିଏ ରଶ୍ମିତା ପ୍ରଧାନ ଓ ସୁମିତ୍ରା ମାଝି, ଏଏନଏମ ଶୈବାଳିନୀ ପ୍ରଧାନ, ବାଡେନ୍ ଲତା ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଶ ଦିନ ଭିତରେ ରିପୋର୍ଟ ଦେବାକୁ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ବାହୁସାହେବଙ୍କୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି।
ସୂଚନାଥାଉ କି, 2018 ଏପ୍ର୍ରିଲ 22 ରେ ତ ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଏନେଇ ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁ ହେବା ସହ ପ୍ରଧାନଶିକ୍ଷକ ନିଲମ୍ବିତ ହେବା ପରେ ରାଧାରାଣୀ ଦଳାଇ ନୂତନ ପ୍ରଧାନଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ।
ସେପଟେ ମାଆକୁ ସମ୍ମାନ କହୁଥିବା ବିଜେଡି ଦଳ ଶାସନରେ ମହିଳା ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ କରିଛି ବିଜେପି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ବିଜେପି ଶାଖା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଚାରବିଭାଗୀୟ ତଦନ୍ତ ଦାବି କରିଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ୍, ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ଅରୁଣ ପ୍ରଧାନ, ସମ୍ପାଦକ ପ୍ରଭାକର ସାହୁ, ଉମେଶ କର, ଜିଲ୍ଲା ଉପସଭାପତି ବିଷ୍ଟୁଚରଣ ପ୍ରଧାନ, ଇନ୍ଦ୍ରମଣି ପ୍ରଧାନ ପ୍ରମୁଖ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ ନକରି ଜିଲ୍ଲାପାଳଙ୍କ ବଦଳି ଓ ଜିଲ୍ଲା ଓ ବ୍ଲକ୍ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବନ ଦାବି କରିଛନ୍ତି।