ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୟବତମାଲ ଜିଲ୍ଲାରେ ରବିବାର ଏକ ପିକଅପ ଭ୍ୟାନ ରାଜ୍ୟ ପରିବହନର ଏକ ବସକୁ ଧକା ଦେଇଛି। ଫଳରେ ପିକପ୍ରେ ଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏନେଇ ୟବତମାଲ ପୁଲିସ ଅଧିକାରୀ ବପନ ବଂସୋଡ଼େ କହିଛନ୍ତି, ଏହି ଦୁର୍ଘଟଣା ନେର ସହରରୁ ଅମରାବତୀ ଯାଇଥିବା ସଡ଼କରେ ଘଟିଛି। ପୂର୍ବାହ୍ନ ପ୍ରାୟ ୧୦ ଟା ୧୫ ରେ ଦୁର୍ଘଟଣା ଘଟିଛି। ସେ କହିଛନ୍ତି, ୟବମାଲରୁ ଏକ ପିକପ ଭ୍ୟାନ ୭ ଜଣ ଲୋକଙ୍କୁ ନେଇ ଅମରାବତୀ ଆଡ଼କୁ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବସକୁ ଧକା ଦେଇଥିଲା ପିକପ ଭ୍ୟାନ। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଆହତମାନଙ୍କୁ ଉପସ୍ଥିତ ଲୋକମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ପୁଲିସ କହିଛି ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଛି।