ବ୍ରହ୍ମପୁର,୧୫/୦୫ : ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ପଞ୍ଚାୟତର ପାତିସୁନାପୁର ଗ୍ରାମରେ ଯାତ୍ରାକୁ ନେଇ ଘଟିଛି ଅଶାନ୍ତ ସ୍ଥିତି । ଗ୍ରାମରେ ଶାନ୍ତି ଫେରାଇବାକୁ ଦାବି କରିବା ସହ ପୋଲିସର ଗିରଫ ଭୟରେ ଗ୍ରାମରୁ ଫେରାର ଥିବା ୪୦୦ରୁ ଅଧିକ ଗ୍ରାମବାସୀଙ୍କୁ ଗାଁକୁ ଫେରାଇବା ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।
କହିରଖୁ କି, ଗ୍ରାମରେ ଯାତ୍ରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀ ୧୧ ତାରିଖରେ ଯାତ୍ରା କରିବା ପାଇଁ ଚାହୁଁଥିବା ବେଳେ ଆଉ ଏକ ଗୋଷ୍ଠୀ ମାସ ଶେଷକୁ ଯାତ୍ରା କରିବାକୁ ଚାହୁଁଥିଲେ । ଏନେଇ ପ୍ରଶାସନ ଓ ପୋଲିସର ଉପସ୍ଥିତିରେ ଗ୍ରାମବାସୀଙ୍କୁ ନେଇ ତିନି ଥର ବୈଠକ ହୋଇଥିଲା । ବୈଠକରେ ଗ୍ରାମର ଉଭୟ ଗୋଷ୍ଠୀଙ୍କୁ ସହମତିରେ ଯାତ୍ରା ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ୧୧ ତାରିଖରେ ଯାତ୍ରା ନହୋଇ ପୂଜାର୍ଚ୍ଚନା ହୋଇଥିଲା । ଗ୍ରାମରେ ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସଦର ଏସ୍ଡିପିଓଙ୍କ ଲିଖତ ପତ୍ର ଆଧାରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଗ୍ରାମରେ ୧୬୩ ଧାରା ଲାଗୁ କରିଥିଲେ । ତେବେ ରାତିରେ ପୋଲିସ ସେଠାରେ ମୁତୟନ ହୋଇଥିଲା ।
ଅଧରାତିରେ ପୋଲିସ ଉପରକୁ କିଛି ଗ୍ରାମବାସୀ ପଥର, ବୋତଲ ମାଡ଼ କରିବା ଫଳରେ କିଛି କାର୍ଯ୍ୟରତ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ଗୋଳଝରା ପୋଲିସ ଗ୍ରାମର ୧୮ ଜଣ ମହିଳାଙ୍କ ସମେତ ୪ ଜଣ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇଥିଲା । ପ୍ରାୟ ୪୦୦ରୁ ଅଧିକ ପୁରୁଷ ଓ ମହିଳା ଗିରଫ ଭୟରେ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଛନ୍ତି । ଯାହା ଫଳରେ ସେମାନଙ୍କ ଘରୁ ଚୋରି ହେବା ସହ ଘରର ଅନ୍ୟ ସଦସ୍ୟମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
ଏହି ମର୍ମରେ ଚିକିଟି ବ୍ଲକ୍ ଅଧ୍ୟକ୍ଷ ଆପନା ସେଠୀଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ପଟ୍ଟନାୟକ, ବିଜେଡି ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ବ୍ରହ୍ମପୁର ଏସ୍ପି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗ୍ରାମରେ ଶାନ୍ତି ଫେରାଇବା ସହ ଫେରାର ଥିବା ଗ୍ରାମବାସୀଙ୍କୁ ଫେରାଇ ଆଣିବାରେ ପୋଲିସ ସହଯୋଗ କରୁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲେ । ଏହା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ଫେରାଇବାରେ ପୋଲିସ ଓ ପ୍ରଶାସନ ସହଯୋଗ କରୁ ବୋଲି କହିଥିଲେ । ଏହା ସହ ଗ୍ରାମରେ ପୁଲିସ୍ ଓ ପ୍ରଶାସନର ଅସ୍ଥାୟୀ କ୍ୟାମ୍ପ୍ କରି ଗ୍ରାମବାସୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଶାନ୍ତି ଫେରାଇବାକୁ ଅନୁରୋଧ କରିଥିଲେ।
ସୂଚନାଥାଉକି, ୧୪ ବର୍ଷ ପୂର୍ବରୁ ଗ୍ରାମର ଯାତ୍ରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବାରୁ ସେହିଦିନ ଠାରୁ ଗ୍ରାମରେ ଯାତ୍ରା ବନ୍ଦ ଥିଲା। ଏବେ ମଧ୍ୟ ଯାତ୍ରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ତେଣୁ ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଜେଡି ନେତା ଓ କର୍ମୀ ଏସ୍ପି ଡା.ସର୍ବଣା ବିବେକ ଏମ୍. ଓ ଉପଜିଲ୍ଲାପାଳ ଦାନା ଦସ୍ତଗୀରଙ୍କୁ ଅନୁରୋଧ କରିଥିଲେ। ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ମେୟର ସଂଘମିତ୍ରା ଦଳେଇ, ସୁବାସ ମହାରଣା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରାଜୁ ରେଡ୍ଡୀ, ସମିତି ସଭ୍ୟ ଅମୂଲ୍ୟ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଗୋବିନ୍ଦ ବେହେରା, ପୂର୍ବତନ ସରପଞ୍ଚ ଆରମ୍ଭ ରେଡ୍ଡୀ, ଭବାନୀ ସାହୁ, ଦୁର୍ଗା ଲାୟକ, କିରଣ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।