ନୂଆଦିଲ୍ଲୀ,୧୮/୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ଅଘଟଣ। ମଝି ନଦୀରେ ଡ଼ଙ୍ଗା ଓଲଟି ୨୫ ଜଣଙ୍କ ମୃତ୍ୟୁ । ସେହିପରି ୧୨ ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏନେଇ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି।
ସୂଚନା ମୁତାବକ, କଙ୍ଗୋର ଫିମି ନଦୀ କୂଳରେ ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଡ଼ଙ୍ଗା ଯାଉଥିଲା। ସେହି ସମୟରେ ଡ଼ଙ୍ଗା ବୁଡ଼ିଯିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଏବେବି ନିଖୋଜ ଅଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅଧିକାରୀଙ୍କ କହିବା ମୁତାବକ ଡଙ୍ଗାରେ ଅଧିକ ଯାତ୍ରୀ ଯୋଗୁଁ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ଡଙ୍ଗାରେ ଯାତ୍ରୀଙ୍କ ସମେତ ଜିନିଷ ପତ୍ର ମଧ୍ୟ ଲଦା ହୋଇଥିଲା। ତେବେ ନିଖୋଜ ବ୍ୟକ୍ତିଙ୍କ ଖୋଜାଖୋଜି ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଶଙ୍କା ରହିଛି। କଙ୍ଗୋ ପ୍ରଶାସନ ପୂର୍ବରୁ ନାବିକମାନଙ୍କୁ ଅଧିକ ଲୋକଙ୍କୁ ଡ଼ଙ୍ଗାରେ ନ ନେବାକୁ ଚେତାବନୀ ଦେଇଥିଲା । ଯେଉଁ ନାବିକ ଏହି ନିୟମର ଉଲଂଘନ କରିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ଡ଼ଙ୍ଗା ଓଲଟି ୭୮ଜଣଙ୍କ ଜୀବନ ଚାଲିଯାଇଥିଲା । ସେହିପରି ଜୁନରେ କିନଶାହା ପାଖର ୮୦ ଜଣଙ୍କ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଡଙ୍ଗା ଓଲଟି ଯାଇଥିଲା ।